ହେଡଲାଇନସ୍:

ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ, ଓଡିଶା ମୋ ପରିବାର ସହଯୋଗରେ ଗାଁ କୁ ଫେରିଲା ଶବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର: ମୃତ୍ୟୁ ପରେ ଅନ୍ୟର ଦୁନିଆକୁ ଆଲୋକିତ କରିବା ପାଇଁ ଦାନ କରିଗଲେ ନିଜ ଚକ୍ଷୁ, କିନ୍ତୁ ଆର୍ଥିକ ଚାପରେ ଥିବାରୁ ପରିବାରବର୍ଗ ଶେଷକୃତ୍ୟ ପାଇଁ କୁମାରୀଙ୍କ ମୃତ ଶରୀର ନିଜ ଗ୍ରାମକୁ ନେଇପାରୁନଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ସସମ୍ମାନେ ନିଜ ଘରକୁ ଫେରିଲା କୁମାରୀଙ୍କ ପାର୍ଥିବଶରୀର ।

ସୂଚନାନୁଯାୟୀ,ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ବାସିନ୍ଦା ୫୨ବର୍ଷିୟା ମହିଳା କୁମାରୀ ଜେନା ୨୦ବର୍ଷ ପୂର୍ବେ କାମ କରିବା ପାଇଁ ଭୁବନେଶ୍ଵର ଚାଲିଆସିଥିଲେ । ସେ ଭୁବନେଶ୍ୱରସ୍ଥିତ ସାଲିଆସାହି ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କୁ ଭୀଷଣ ଜ୍ଵର ଏବଂ ବାନ୍ତି ହେବାରୁ ପରିବାରବର୍ଗ କ୍ୟାପିଟାଲ ହସ୍ପିଟାଲ ନେଇଆସିଥିଲେ । ଦୁର୍ଭାଗ୍ୟବଶତଃ, ଗତକାଲି ରାତିରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ କୁମାରୀଙ୍କ ମୃତ ଶରୀରକୁ ଶେଷକୃତ୍ୟ ନିମନ୍ତେ ତାଙ୍କ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ । ଅସହାୟ ହୋଇ ପୂର୍ବତନ ବିଧାୟିକା ଶ୍ରୀମତି ନନ୍ଦିନୀ ଦେବୀ ଏବଂ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ଵାଇଁଙ୍କୁ ଯୋଗାଯୋଗ କରିଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ଶ୍ରୀମତି ନନ୍ଦିନୀ ଦେବୀ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା ମୋ ପରିବାର ଟିମ୍ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ସାନଖେମୁଣ୍ଡିସ୍ଥିତ ତାଙ୍କ ଗ୍ରାମକୁ ପଠାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା । ଇତି ମଧ୍ୟରେ ପରିବାରବର୍ଗ ସ୍ଵର୍ଗତଃ କୁମାରୀଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦାନ କରି ମହାନତାର ପରିଚୟ ଦେଇଥିଲେ । କୁମାରୀଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଗଲା ସତ କିନ୍ତୁ ଅନ୍ୟକୁ ଦୁନିଆ ଦେଖାଇବା ପାଇଁ କରିଗଲେ ସେ ଚକ୍ଷୁ ଦାନ । ଏଭଳି ମହତ୍ ପଦକ୍ଷେପ ପାଇଁ କୁମାରୀଙ୍କ ପରିବାରବର୍ଗଙ୍କୁ ଭୂରି ଭୂରି ପ୍ରଶଂସାର ସୁଅ ଛୁଟୁଛି ।

କୁମାରୀଙ୍କ ମୃତଶରୀର ଗଞ୍ଜାମରେ ପହଞ୍ଚିବା ପରେ ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।

0
0
0
s2sdefault