କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କଲେ ଅନୁରୋଧ  

ନୂଆଦିଲ୍ଲୀ/ଭୁବନେଶ୍ୱର – ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ କରିବା ସହ ସାକ୍ଷାତ୍ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଶ୍ରୀ ପ୍ରଧାନ ଶ୍ରୀ ଗଡକରୀଙ୍କୁ ପ୍ରଦାନ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଳାଶୁଣି ଛକରେ ଗୋବରୀ ନାଳ ଉପରେ ଥିବା ଏହି ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି । ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି । ଜନବସତି ଅଞ୍ଚଳ ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହେଉଛି । ପ୍ରତି ବର୍ଷ ଏହି ଅଞ୍ଚଳର ଲୋକମାନେ ବନ୍ୟା ଭଳି ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ୮ ଲେନରେ ପରିଣତ ହେବାକୁ ଯାଉଛି ଏବଂ ଏହି ସଡ଼କ ପଥର ସମ୍ପ୍ରସାରଣ ହେବା ଦ୍ୱାରା ଯାତାୟତ ସୁଗମ ହେବା ସହ ଅର୍ଥନୈତିକ କୋରିଡରକୁ ମଧ୍ୟ ଗତି ଦେବ । ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ମନ୍ତ୍ରୀ ଗଡକରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ସାକ୍ଷାତ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ବି ଉପସ୍ଥିତ ଥିଲେ |

0
0
0
s2sdefault