ହେଡଲାଇନସ୍:

"ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ ମିଶ୍ର ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ନଦୀର ଜଳସ୍ତର, ଆଗାମୀ ଲଘୁଚାପ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହେବା ସହ, ଘାଇ ଓ ଘଳିଆଗୁଡିକର ତୁରନ୍ତ ମରାମତି, ବନ୍ୟାପ୍ଲାବିତ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନାନ୍ତରିକରଣ ଓ ରହିବାଖାଇବା, ପାନୀୟ ଜଳ ଓ ପରିମଳ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ସମୀକ୍ଷା ବୈଠକ ପରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଯେ, ବର୍ତ୍ତମାନ ସମୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳିକୁ ପଠାଯାଇ ଅଛି । ସେଠାରେ ରନ୍ଧାଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଅଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନେ ଆବଶ୍ୟକ ସ୍ଥଳରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟବାନ ଉକ୍ତି ପ୍ରତିଟି ଜୀବନ ମୂଲ୍ୟବାନ । ଏହାକୁ ଆଧାର କରି ଆମେ କାର୍ଯ୍ୟ କରୁଛୁ । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆଗୁଡିକୁ ଆମେ ତୁରନ୍ତି ମରାମତି କରୁଛୁ । ବନ୍ୟା ପ୍ରବାବିତ ଅଞ୍ଚଳରେ ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଗୋଖାଦ୍ୟ ବଣ୍ଟନର ମଧ୍ୟ ବ୍ୟବସ୍ଥା କରାଯାଇଅଛି ।
ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଲେ ଯେ ଆଜି ଦୁଇଟି ଘାଇ ସୃଷ୍ଟି ହୋଇଛି । କୁଶଭଦ୍ରାରେ ଖଣ୍ଡିଆକୂଦ ଓ ମହାନଦୀ ତେରମାଣପୁରଠାରେ ଘେରି ବନ୍ଧରେ ଘାଇ ହୋଇଛି । ଏଠାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗରେ ଘାଇ ମରାମତି ଦେଇଛି । ମୁଣ୍ଡଳିଠାରେ ସକାଳ ୬ ଟା ପରଠାରୁ ଜଳସ୍ତର ହ ୍ରାସ ପାଇଛି । ହୀରାକୁଦରେ ଏବେ ୪୦ ଟି ଗେଟ୍‌ ଖୋଲା ରହିଛି । ଆଗାମୀ ୧୮ ତାରିଖ ଓ ୨୦ ତାରିଖ ହେବାକୁ ଥିବା ଲଘୁଚାପରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଅନୁମାନ କରୁଛି । ଏହି ବର୍ଷାକୁ ଆଖିରେ ରଖି ହୀରାକୁଦର ଗେଟ୍‌ ପରିଚାଳନା କରାଯିବ ।
ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିସ୍ନେକ ଭେନମ ରଖିବାର ବ୍ୟବସ୍ଥା କରିଛି । ଏହା ସହ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୪ ଟି ଭ୍ରାମ୍ୟମାଣ ଆରଓ ୱାଟର ପ୍ଲାଣ୍ଟକୁ ବନ୍ୟା ପ୍ଲାବିତ ଅଞ୍ଚଳକୁ ପଠାଯାଇଛି । ସେହିପରି ଆବଶ୍ୟକ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଫାୟାର ସର୍ଭିସର ଟିମ୍‌ଗୁଡିକୁ ମୁତୟନ କରାଯାଇଛି ।
ବନ୍ୟାରେ ୬୦ ଟି ବ୍ଲକ ଓ ପ୍ରବଳ ବର୍ଷାରେ ୪୩ ଟି ବ୍ଲକ ମୋଟ ୧୦୩ ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୬୦୬ ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟା ଓ ବର୍ଷାରେ ୩୮୨ ଟି ଗ୍ରାମ ଜଳ ଘେରରେ ରହିଥିବା ବେଳେ ୨ ଲକ୍ଷ ୧୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଓ ୩ ଲକ୍ଷ ୬୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୧୩୪ ଟି କେନ୍ଦ୍ରରେ ୪୫ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨,୦୦୦ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୦,୦୦୦ ହେକଫର ଚାଷ ଜମି ଜଳମଗ୍ନ ହୋଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

 

0
0
0
s2sdefault