ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ଫୋକସ୍‌ରେ ଓଡ଼ିଶା:ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

 ଓଡ଼ିଆ ଝିଅ ଦୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା କାର୍ଯ୍ୟକାରିଣୀ
 ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା : ରାଜନୈତିକ ଚିଠା
 ଓଡ଼ିଶା ବିକାଶର ଲକ୍ଷ୍ୟ ପାଇଁ ନୁହେଁ, କେବଳ କ୍ଷମତା ଦଖଲ ଲକ୍ଷ୍ୟ ପାଇଁ ବିଜୁ ଜନତା ଦଳ କାର୍ଯ୍ୟ କରୁଛି
 ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ
 ଯୋଗ ଦେଲେ ସାଂସଦ, ବିଧାୟକ, ରାଷ୍ଟ୍ରୀୟ ଏବଂ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି


ଭୁବନେଶ୍ୱର: ଓଡ଼ିଆ ଝିଅ ଦୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦ ପାଇଁ ମନୋନୀତ କରି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ତାଙ୍କ ଫୋକସରେ ଥିବା ପ୍ରମାଣିତ ହେବା ସହ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି । ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରେଳ ଯୋଗାଯୋଗ, ଦୂରସଂଚାର, ବିମାନ ଚଳାଚଳ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପୁଳ ସହାୟତା ପ୍ରଦାନ କରି ମୋଦିଜୀ ଓଡ଼ିଆ ଜାତିର ପ୍ରକୃତ ବନ୍ଧୁଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଦଳିତ, ବଂଚିତ, ନିଷ୍ପେସିତଙ୍କ ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ମୋଦି ସରକାରଙ୍କ ଗତ ୮ବର୍ଷ ଶାସନ କାଳରେ ଓଡ଼ିଶାକୁ ପ୍ରଚୁର ମାତ୍ରାରେ କେନ୍ଦ୍ରୀୟ ସହାୟତା ଓ ଅନୁଦାନ ଆସିଛି । ମୋଦି ଦେଉଥିବା ବ୍ୟାପକ ଅର୍ଥକୁ ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପଂହଚାଇବା ସହ ସଜାଗ ପ୍ରହରୀ ରୂପେ ଜଗିବ ବିଜେପି । ଓଡ଼ିଶାର କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ଆହୁରି ତ୍ୱରାନ୍ୱିତ କରିବାର ପ୍ରଚେଷ୍ଟା ଜାରି ରଖିବ ବିଜେପି ବୋଲି ଆଜି କଟକ ଜିଲ୍ଲା ନିଆଳି ବ୍ଲକ କୁରାଙ୍ଗଠାରେ ଅନୁଷ୍ଠିତ ରାଜ୍ୟ କରାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟ କାର୍ଯ୍ୟକାରିଣୀଙ୍କୁ ସମ୍ବୋଧନ କରି କହିଛନ୍ତି ।
ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଗତକାଲି ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ପାରିତ କରାଯାଇଅଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ସକାଳେ କାର୍ଯ୍ୟକାରିଣୀ ଉଦ୍‌ଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୂପ୍ରସାଦ ତରାଇ ଅତିଥି ପରିଚୟ ଏବଂ କଟକ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା ସ୍ୱାଗତ କରିଥିଲେ । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଗତ ରାଜ୍ୟ କାର୍ଯ୍ୟକାରିଣୀ ଗ୍ରହଣ କରାଯାଇଥିବା ଦଳୀୟ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଇଟି ସେଲ୍ ରାଜ୍ୟ ସଂଯୋଜକ ଶ୍ରୀ ସ୍ୱୟଂପ୍ରକାଶ ବରାଳ ଆଜି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥାପନା କରିଥିଲେ ।
ଆଜିର କାର୍ଯ୍ୟକାରିଣୀ କମିଟି ବୈଠକ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଓଡିଶାର ବିକାଶ ବିନା ଭାରତର ବିକାଶ ଯେ ଅସମ୍ଭବ, ସେହି ଅର୍ଥନୈତିକ ଦର୍ଶନରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱାସ କରୁଥିବା ତାଙ୍କ ଶାସନ କାଳରେ ସେ ବାରମ୍ବାର ପ୍ରମାଣିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ମଞ୍ଜୁର ୨୬ଲକ୍ଷ ୬୭ହଜାର ହିତାଧିକାରୀଙ୍କ ମଧ୍ୟରୁ ୧୬ଲକ୍ଷ ୫୧ହଜାର ପକ୍କା ଘର ଯୋଗାଇ ଦିଆଯାଇଛି । ଏହା ଆହୁରି ୮ଲକ୍ଷ ୧୭ହଜାର ପକ୍କା ଘର ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ନିର୍ମିତ ହୋଇପାରୁନାହିଁ । ସ୍ୱଚ୍ଛ ଭାରତ ଯୋଜନାରେ ଓଡ଼ିଶାରେ ୭୧ଲକ୍ଷ ଶୌଚାଳୟ ନିର୍ମିତ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ୫୨ଲକ୍ଷ ୪୭ହଜାର ଓଡ଼ିଆ ଗୃହିଣୀଙ୍କୁ ଇନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଛି । ହର୍ ଘର୍ ନଲ୍ ପେ ଜଲ୍ କାର୍ଯ୍ୟକ୍ରମରେ ରାଜ୍ୟର ୪୭% ବାସଗୃହକୁ ନଳ ଯୋଗେ ସ୍ୱଚ୍ଛ ଜଳ ଯୋଗାଇ ଦିଆଗଲାଣି । ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ଲକ୍ଷ ୨୪ହଜାର ଓଡ଼ିଆଙ୍କୁ ଖାଦ୍ୟାନ୍ନ ଯୋଗାଇ ଦିଆଯାଇଛି । ସୌଭାଗ୍ୟ ଉଜ୍ଜ୍ୱଳା ଯୋଜନାରେ ୫କୋଟି ୨୩ଲକ୍ଷ ଏଲଇଡି ବଲ୍ ବଂଟନ କରାଯାଇଛି । କିଷାନ ସମ୍ମାନନିଧି ଯୋଜନାରେ ୪୦ଲକ୍ଷ ୫୪ହଜାର ଓଡିଆ ଚାଷୀ ପରିବାରକୁ ୭୦୯୭କୋଟି ଟଙ୍କାର ସିଧାସଳଖ ସହାୟତା ଯୋଗାଇ ଦିଆଯାଇଛି । ପିଏମ୍ ମୁଦ୍ରା ଯୋଜନାରେ ରାଜ୍ୟର ୨୩ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀଙ୍କୁ ବିନା କୌଣସି ବନ୍ଧକରେ ଋଣ ପ୍ରଦାନ କରାଯାଇଛି । ଧାନର ସର୍ବନିମ୍ନ ସଂଗ୍ରହ ମୂଲ୍ୟ ୨୦୧୩ରେ ୧୩୧୮ଟଙ୍କା ଥିବାବେଳେ ମୋଦି ତାହାକୁ ପ୍ରତିବର୍ଷ ବୃଦ୍ଧି କରି ୨୦୪୦ଟଙ୍କାରେ ପହଂଚାଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୨୦ଲକ୍ଷରୁ ଅଧିକ ଓଡ଼ିଆ ଚାଷୀ ୪ହଜାର କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧.୪୭ଲକ୍ଷ ବ୍ୟାଙ୍କ ଜମା ଖାତାକୁ ୧୫ଶହ ଟଙ୍କାର କରୋନା ସହାୟତା ପ୍ରଦାନ କରାଯାଇଛି । ଏହି ଖାତା ଗୁଡ଼ିକରେ ୭୩୧୫କୋଟି ଟଙ୍କା ଜମାରାଶି ରହିଛି । ନ୍ୟାସନାଲ ରୁରାଲ୍ ଲାଇଭହୁଡ୍ ମିଶନରେ ମହିଳାମାନଙ୍କୁ ସଶକ୍ତିକରଣ କରାଯାଇଛି । ମୋଦିଙ୍କ ସମୟରେ ରାଜ୍ୟରେ ୮ଟି ମେଡିକାଲ କଲେଜ, ଆଇଜର, ନାଇଜର ଓ ଆଇଆଇଏମ ପ୍ରତିଷ୍ଠା ହୋଇଛି । ରେଳ ବିଭାଗ ପାଇଁ ରାଜ୍ୟର ଦାବିଠାରୁ ଅଧିକ ଅର୍ଥରାଶି ମଞ୍ଜୁର କରାଯାଇଛି । ଏସବୁ ସତ୍ୱେ ମୋଦି ପଠାଉଥିବା ସାହାଯ୍ୟ ଓ ସହାୟତାରୁ ରାଜ୍ୟବାସୀ ଯେପରି ବଂଚିତ ନହୁଅନ୍ତି ସେ ସମ୍ପର୍କରେ ବ୍ୟାପକ ଖସଡା ପ୍ରସ୍ତୁତ ପାଇଁ ଆଜିର ବୈଠକରେ ଆଲୋଚନା ଚାଲିଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।
ଓଡ଼ିଶା ବିକାଶର ଲକ୍ଷ୍ୟ ପାଇଁ ନୁହେଁ, କେବଳ କ୍ଷମତା ଦଖଲ ଲକ୍ଷ୍ୟ ପାଇଁ ବିଜୁ ଜନତା ଦଳ କାର୍ଯ୍ୟ କରୁଥିବାରୁ ଆଜି ଓଡ଼ିଶାର ବିକାଶ ଠପ୍ ହୋଇପଡ଼ିଛି । ଗତ ୮ବର୍ଷ ଭିତରେ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶା ରାଜ୍ୟର ସାମଗ୍ରିକ ବିକାଶ ଲକ୍ଷ୍ୟରେ କେନ୍ଦ୍ରରୁ ପର୍ଯ୍ୟାପ୍ତ ଆର୍ôଥକ ଅନୁଦାନ ଯୋଗାଇ ଦେଇଥିବାବେଳେ ବ୍ୟାପକ ମାତ୍ରାରେ ଅର୍ଥର ଦୁରୁପଯୋଗ ହେଉଥିବାରୁ କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ବାଟବଣା ହୋଇଯାଇଛି । ଝାଟି, ମାଟି, କୁଡିଆ ଘରେ ରହୁଥିବା ଗରୀବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ମୋଦି ସରକାର ଓଡ଼ିଶାର ଗ୍ରାମାଚଂଳ ଓ ସହାରାଚଂଳକୁ ପର୍ଯ୍ୟାପ୍ତ ଘର ଯୋଗାଇ ଦେଇଥିବାବେଳେ ବିଶେଷଭାବେ ବିଜେଡି କର୍ମୀ ଓ ଧନୀ ଲୋକଙ୍କୁ ଅଧିକାଂଶ ଘର ବାଂଟିଦେଇଥିବାରୁ ଆଜି ଲକ୍ଷ ଲକ୍ଷ ଗରୀବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବାରୁ ବଂଚିତ ହେଉଛନ୍ତି । ଓଡ଼ିଶା ‘ସରକାର-ମିଲର୍ସ-ଦଲାଲ’ମାନଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀ ଶୋଷଣର ଶିକାର ହେଉଛି । ଧାନର ସର୍ବାଧିକ ସହାୟକ ମୂଲ୍ୟ ଲୁଟ୍ ହେଉଛି । ରାଜ୍ୟ ସରକାରଙ୍କ ହୀନ ମନୋଭାବ କାରଣରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ବାର୍ଷିକ ୬ହଜାର ଟଙ୍କା ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଓଡ଼ିଶାର ପର୍ଯ୍ୟାପ୍ତ ଜଳସ୍ରୋତ ଥିବାବେଳେ ପ୍ରତି ବ୍ଲକକୁ ୩୫% ଜଳସେଚିତ କରିବାର ରାଜ୍ୟ ସରକାରଙ୍କ ଘୋଷଣା କେବଳ ଭାଷଣରେ ସୀମିତ ହୋଇ ରହିଗଲା । ଜନ ଆନ୍ଦୋଳନ ଚାପରେ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ୪ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ମୁକ୍ତ କରି ତାଙ୍କୁ ସୁରକ୍ଷା ଦେଉଥିବାବେଳେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ କାର୍ଯ୍ୟକାରିଣୀ ଦାବି କରିଛି । “ମହାନଦୀ ମହାନାଟକ” ଓ ବିଜୁ ଜନତା ଦଳର କୁମ୍ଭୀର କାନ୍ଦଣା ୨୦୧୯ ନିର୍ବାଚନ ପରେ ବଳ ହୋଇଯାଇଛି । ଦୁର୍ନୀତି ଚରମ ସୀମାରେ ପହଂଚିଛି । ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ଦୁର୍ନୀତି ଚାଲିଛି । ବିକାଶ ପାଇଁ ଆସୁଥିବା ବ୍ୟାପକ କେନ୍ଦ୍ରୀୟ ଅନୁଦାନକୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଲୁଟି ଖାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ‘ପିସି ବଳ୍‌’ ନାରା କେବଳ ଲୋକ ଦେଖାଣିଆ । ସେହିପରି ବିଜୁଳି ସମସ୍ୟା, ଧ୍ୱଂସାଭିମୁଖୀ ଶିକ୍ଷା ବ୍ୟବସ୍ଥା, କୁପୋଷଣ, ଲଘୁ ଖଣିଜ ଚୋରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା, ମହାନଦୀ ସମେତ ଅନ୍ୟାନ୍ୟ ନଦୀ ସମସ୍ୟା, ଓବିସି ବର୍ଗଙ୍କୁ ବିଶ୍ୱାସ ଘାତକତା, ନିଯୁକ୍ତି, ଶ୍ରମିକ ସମସ୍ୟା, ବାଟବଣା ହୋଇଥିବା ମହିଳା ସଶକ୍ତିକରଣ, ଅଚଳାବସ୍ଥାରେ ପରିଣତ ହୋଇଥିବା ରାଜ୍ୟର ସମବାୟ ସଂସ୍ଥା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କାର୍ଯ୍ୟକାରିଣୀରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ରାଜନୈତିକ ଚିଠାପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ଭାରତୀୟ ଜନତା ପାର୍ଟି ରାଷ୍ଟ୍ରସେବାକୁ ସର୍ବଦା ପ୍ରାଥମିକତା ଦେଇଥାଏ । ମୋଦି ସରକାରଙ୍କ ଗରୀବକଲ୍ୟାଣ ଓ କୃଷିକଲ୍ୟାଣ ଯୋଜନାକୁ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଂଚାଇବା ଆମର ପ୍ରମୁଖ ଦାୟୀତ୍ୱ । ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ୁଛି । ନିରନ୍ତର ସଂପର୍କ ଜାରୀ ରଖିଲେ ସଫଳତା ପ୍ରାପ୍ତି ନିଶ୍ଚିତ ମିଳିବ । ଓଡ଼ିଶାର କ୍ଷମତାକୁ ଆସିବା ପାଇଁ ସଂଘର୍ଷ ଜାରୀ ରଖିବାକୁ ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟ ପାଲସିଂ ତୋମାର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ ଉପସଭାନେତ୍ରୀ ଶ୍ରୀମତି ଅନିତା ଶୁଭଦର୍ଶିନୀ ରାଜନୈତିକ ଚିଠା ଆଗତ କରିଥିବାବେଳେ ରାଜ୍ୟ ସଂପାଦକ ସୀମାଚଂଳ ଖଟେଇ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣିମା ନାୟକ ବିସ୍ତୃତ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟତମ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ସମର୍ଥନ ଜଣାଇଥିବାବେଳେ ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ସଂକଳନ କରିଥିଲେ । କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଆଗତ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ ମହାନ୍ତି ସମର୍ଥନ କରିଥିଲେ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ସଂକଳନ କରିଥିଲେ ।
‘ଅଗ୍ନିପଥ ଯୋଜନା’ ଏବଂ ‘ଅଗ୍ନିବୀର’ ପ୍ରସଙ୍ଗରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଏକ “ସ୍ୱାବଲମ୍ବି ଭାରତ ଅଭିଯାନ” ପ୍ରସଙ୍ଗରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶାରଦା ପ୍ରସାଦ ଶତପଥୀ କାର୍ଯ୍ୟକାରିଣୀକୁ ବିସ୍ତୃତଭାବେ ଅବଗତ କରାଇଥିଲେ ।
ପାର୍ଟିର ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ନିଜ ନିଜ ମୋର୍ଚ୍ଚାର ରିପୋର୍ଟ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଅବଗତ କରାଇଥିଲେ । ବୁଥ୍‌ସ୍ତର ପର୍ଯ୍ୟନ୍ତ ସଂଗଠନକୁ ବିସ୍ତାର ଦିଗରେ ବିସ୍ତୃତ ଯୋଜନାକୁ ଉପସ୍ଥାପନା କରିଥିଲେ ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି । ଶେଷରେ କଟକ ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

0
0
0
s2sdefault