ହେଡଲାଇନସ୍:

ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱସ୍ତରରେ ଯେଉଁମାନେ ମହାନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସେମାନଙ୍କ ମୂଳରେ ଶିକ୍ଷକ ଓ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ତାରତମ୍ୟ ଓ ଶିକ୍ଷାଦାନ ବିଷୟରେ ମଧ୍ୟ ସେ ଅବତାରଣା କରିଥିଲେ । ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ ।
ଶିକ୍ଷା ଭରଣା କାର୍ଯ୍ୟକ୍ରମକୁ କିପରି ଭାବରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ କାର୍ଯ୍ୟକାରୀ କରିପାରିବେ ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଦାଶ ବିଶଦ ଆଲୋଚନା କରିଥିଲେ । ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଆର୍‌ଏ ସ୍କିମ୍‌ରେ ୪ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ‘ମୋ ସ୍କୁଲ’ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରେସନାଲାଇଜେସନ୍‌ ଅଫ୍‌ ଟିଚରସ୍‌ ଆପଏଣ୍ଟମେଣ୍ଟ ଅଫ୍‌ ନୁ୍ୟ ହାଇସ୍କୁଲ ଟିଚରସ୍‌, ମର୍ଜର ଓ ଡି-ମର୍ଜର ଅଫ୍‌ ସ୍କୁଲସ୍‌, ପାରଦର୍ଶୀ ପୋର୍ଟାଲର କାର୍ଯ୍ୟକାରିତା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍‌ ପ୍ରାପ୍ତିଗୁଡ଼ିକୁ କିପରି ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ସେ ନିର୍ଦ୍ଦେଶ ଦେଇଥିଲେ । ବଲେଶ୍ୱର ଜିଲ୍ଲାକୁ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଗଣ୍ୟ ଜିଲ୍ଲା ଭାବେ ଗଢ଼ିତୋଳିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି ବୈଠକରେ ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ ଦାଶ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସମ୍ବିତ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault