ହେଡଲାଇନସ୍:

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର:ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ ଆଜି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ କହିଲେ ଯେ ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ । ଜନ୍ମମାଟି ଓ ଶିକ୍ଷାନୁଷ୍ଠାନ ବ୍ୟକ୍ତି ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ନାରୀ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ଏଥି ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୃଷ୍ଟି ହୋଇଛି । ମା ରମୋଦେବୀଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ, ବିଶେଷ କରି ପୁରାତନ ଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟକୁ ଦେଶରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ନିର୍ମାଣ କରିପାରିବେ । ଆମ ରାଜ୍ୟର ଛାତ୍ରଛାତ୍ରୀମାନେ କେବଳ ଦେଶରେ ନୁହେଁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବା ଆବଶ୍ୟକ ବୋଲି ସେ କହିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ସହ ଭଲ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ । ଆଜି ପୁରାତନ ଛାତ୍ରୀମାନେ ଅନେକ ସାଫଲ୍ୟ ପାଇଲେଣି ଓ ଏହି ଅନୁଷ୍ଠାନର ଛାତ୍ରୀ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି । ଏହା ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ । କୁଳପତି ତାଙ୍କ ଅଭିଭାଷଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାରେ ପୁରାତନ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ।
କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରାତନ ଛାତ୍ରୀ ସଂଘର ଉପସଭାପତି ସୁଦୀପା ରାୟ, ପ୍ରଫେସର ମଧୁସ୍ମିତା ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୁରାତନ ଛାତ୍ରୀ ତଥା ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦ ଭାଲିନା ଭାଲେଣ୍ଟିନାଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରୀ ସଂଘର ପୁରାତନ ସଭାପତି ଇପ୍‌ସିତା ସାହୁ ଓ ଅନ୍ୟ ଛାତ୍ରୀମାନେ ସଭା ପରିଚାଳନା କରିଥିଲେ । ପୁରାତନ ଛାତ୍ରୀ ସଂଘ ‘ମୋ କଲେଜ’ ଅଭିଯାନକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ଡ. ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

0
0
0
s2sdefault