ହେଡଲାଇନସ୍:

ମୋ କଲେଜ’ ଅଭିଯାନ ଅଧୀନରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱବିଦ୍ୟାଳୟର ‘ଆଲୁମିନି ଡିରେକ୍ଟୋରି’ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନ ମିଟ୍-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଆଲୁମିନି ଡିରେକ୍ଟୋରି ପୁସ୍ତକ ଏବଂ ପିଏଚଡି ପୁସ୍ତକ ଉନ୍ମୋଚନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆକାଶ ଦାସନାୟକ କହିଥିଲେ, ‘‘ଆଲୁମିନି ଡିରେକ୍ଟୋରି ପ୍ରକାଶ କରିବାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ହେଉଛି ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ। ଏଭଳି ପଦକ୍ଷେପ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଭଲ ଉଦାହରଣ। ଏହା ଦ୍ୱାରା ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରିୟ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ସହଜ ହୋଇପାରିବ।’’
ଶ୍ରୀ ଦାସନାୟକ ଆହୁରି କହିଥିଲେଯେ, ରାଜ୍ୟ ସରକାରଙ୍କର ଏକ ଅଭିନବ ପରିକଳ୍ପନା ହେଉଛି ମୋ କଲେଜ ଅଭିଯାନ। ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଜଣେ ପୁରାତନ ଛାତ୍ରଛାତ୍ରୀ ଚାହିଁଲେ ନିଜର ପ୍ରିୟ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ବିଭିନ୍ନ ପ୍ରକାରର ସହଯୋଗ କରିପାରିବେ। ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ନିଜର ଜ୍ଞାନ ଓ ଅନୁଭୂତି ବାଣ୍ଟିବା ସହ କଲେଜର ବିକାଶ ପାଇଁ ଆର୍ଥିକ ସହଯୋଗ କରିପାରିବେ। ଏହାଛଡ଼ା ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ମାର୍ଗଦର୍ଶନ କରିପାରିବେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଥିଲେ, ‘‘ଗୋଟିଏ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ହେଉଛନ୍ତି ସମ୍ପଦ। ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ଲାଗି ମୋ’ କଲେଜ ଅଭିଯାନ ଭଲ ସୁଯୋଗ ଆଣିଦେଇଛି। ତେଣୁ ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିବା ପାଇଁ ପ୍ରତ୍ୟେକ ମାସରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବୈଠକ କରାଯିବ।’’
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଆଲୁମିନି ଡିରେକ୍ଟୋରି ପୁସ୍ତକରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କର ନାମ ଏବଂ ଫୋନ ନମ୍ବର ରହିଛି। ସେହିପରି ଏହି ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ରଛାତ୍ରୀମାନଙ୍କର ସବିଶେଷ ତଥ୍ୟ ଗୋଟିଏ ଜାଗାରେ ରଖିବା ଲାଗି ଏକ ପୁସ୍ତକ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଫଟୋଚିତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ଅଶୋକ କୁମାର ନାଏକ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ବିଶ୍ୱବିଦ୍ୟାଳୟର ୩୬ ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଲଚର ଷ୍ଟଡିଜର ଅଧ୍ୟାପକ ଡକ୍ଟର ଆଶିଷ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିଜି କାଉନସିଲ ମୁଖ୍ୟ ଡକ୍ଟର ଚକ୍ରଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault