ହେଡଲାଇନସ୍:

ଖାରିଗୁମାରେ ପାନୀୟ ଜଳ ଓ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ଓ ବ୍ଳକ ଘେରାଉ ଚେତାବନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତର ଜନସାଧାରଣ ବ୍ଳକକୁ ଯାତାୟତ କରିବା ପାଇଁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ମୋହନା ବ୍ଳକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧିନ ଖାରିଗୁମା ଗ୍ରାମର ପ୍ରାୟ ୨ ଶହରୁ ଉର୍ଦ୍ଧ୍ଵ ଲୋକ ଦୀର୍ଘଦିନ ଧରି ରାସ୍ତା ଓ ପାନୀୟ ଜଳର କଷ୍ଟ ଅନୁଭବ କରି ଆସୁଛନ୍ତି।
ଏ ସମ୍ପର୍କରେ ପୂର୍ବତନ ଜିଲ୍ଲାପାଳ , ବିଡିଓ , ଗ୍ରାମ୍ୟ ଉନ୍ନୟନ ବିଭାଗଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଛନ୍ତି। ପ୍ରଶାସନ ସେମାନଙ୍କୁ କିଛିଦିନ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଭିନ୍ନ ସମୟରେ ଲୋକଙ୍କୁ ପ୍ରତିଶୃତି ମଧ୍ୟ ଦେଇଆସୁଛି। କିନ୍ତୁ ଫଳ ଶୂନ। ଖାରିଗୁମା ଗ୍ରାମକୁ ଯାଇଥିବା ରାସ୍ତା ଉପରେ ତିନୋଟି ପଞ୍ଚାୟତ ବାଘମାରି , ବଡସିଦ୍ଧବା ଓ ଯୁବ ପଞ୍ଚାୟତର ୨୦ ରୁ ୨୫ ଗ୍ରାମର ଶହଶହ ଲୋକେ ରାତି ପାହିଲେ ବିଭିନ୍ନ କାମରେ ସରକାରୀ , ବେସରକାରୀ ଓ ବେପାର ବଣିଜ କରିବା ପାଇଁ ଯିବା ଆସିବା କରିଥାନ୍ତି। କିନ୍ତୁ ଖାରିଗୁମା ଗ୍ରାମଠାରୁ ମୋହନାକୁ ସଞ୍ଜୋଗ କରୁଥିବା ରାସ୍ତାର ଖାରିଗୁମା ଠାରୁ ହୁଣ୍ଡିପଦର ୨ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରୋଗୀ ଓ ପ୍ରସୂତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା କଷ୍ଟକର ହୋଇପଡ଼ୁଛି।
ସେହିଭଳି ଗ୍ରାମରେ ରହିଥିବା ୪ଟି ସାହିରେ ମାତ୍ର ୪ଟି ନଳକୂପ ରହିଛି। ଯାହାକି ଖରାଦିନେ ଜଳସ୍ତର କମିବା ଫଳରେ ପାନୀୟ ଜଳ ଠିକ ଭାବେ ପାଇବା ସମ୍ଭବପର ହୋଇପାରୁନି। ନଳକୂପରୁ କଳଙ୍କି ଓ ଦୂଷିତ ଜଳ ବାହାରୁଛି। ସେହି ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ଜନିତ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି। ଏଣୁ ପାନୀୟ ଜଳ ଓ ରାସ୍ତା ସମସ୍ୟାର ସମାଧାନ ଯଥାଶୀଘ୍ର ପୂରଣ କରାନଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ ଓ ବ୍ଲକ ଘେରାଉ କରିବେ ବୋଲି ଲିଖିତ ଅଭିଯୋଗ ବିଡିଓ ତପସ୍ଵିନୀ ହାସଁଦାଙ୍କୁ ଦେଇଛନ୍ତି।

0
0
0
s2sdefault