ହେଡଲାଇନସ୍:

ପଲ୍ଲୀଶ୍ରୀ-ମେଳା -୨୦୨୧ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲୀଶ୍ରୀ-ମେଳା -୨୦୨୧ ଗୁରୁବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ପରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଅଧ୍ୟକ୍ଷତା କରି ଏସଏଚଜି ମହିଳା ମାନେ ଯେଉଁ ସବୁ ସାମଗ୍ରୀ ଉତ୍ପାଦନ କରୁଛନ୍ତି , ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଲୋକଲୋଚନକୁ ଆଣିବା , ବିକ୍ରିବଟାର ସୁଯୋଗ ସହ ଉଚିତ ମୂଲ୍ୟ ଦେବା ଏବଂ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା ସଂଯୋଜନା କରି ଏସଏଚଜି ମାଆ ମାନଙ୍କ ଦ୍ୱାରା ଉତ୍ପାଦନ କରାଯାଉଥିବା ସାମଗ୍ରୀ ଗୁଡିକର ପ୍ରଦର୍ଶନ ଏବଂ ବିକ୍ରିବତା ସମେତ ଆନୁଷ୍ଠାନିକ ବଜାର ସଂଯୁକ୍ତ କିଭଳି ହୋଇପାରିବ । ସେମାନଙ୍କ କଳା ନୈପୁଣ୍ୟ ଓ କୌଶଳ ପ୍ରଦର୍ଶନ କରିବା ସହ ତାହା ଅନ୍ୟ ଜିଲ୍ଲାଞ୍ଚଳରୁ ଆସିଥିବାଙ୍କ ସାମଗ୍ରୀ ଓ କଥା ସହ ଭାବ ବିନିମୟ ହେବାର ସୁଯୋଗ ଦେବା ଏହି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଜିଲ୍ଲା ଜୀବିକା-ମିଶନର ଡିପିଏମ ପ୍ରିୟମ୍ବଦା ବିଶୋଇ ଯୋଗଦେଇ ଏସଏଚଜି ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବା ଏହା ଏକ ମାର୍ଗ । ଏହି ଏସଏଚଜି ମହିଳା ମାନଙ୍କ ଅଗ୍ରଗତି ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଛନ୍ତି । ସେମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସବୁ ଗୋଟିଏ ସ୍ଥାନରେ ବିକ୍ରିବତା କରିବାର ସୁଯୋଗ ପାଉଛନ୍ତି ଏହି ପ୍ଲାଟଫର୍ମ ମାଧ୍ୟମରେ ବୋଲି କହି ଜୀବିକା ମିଶନର କାର୍ଯ୍ୟକାରିତା ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।
ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର ଯୋଗଦେଇ ଏସଏଚଜି: ମହିଳା ମାନେ ଅର୍ଥନୈତିକ କ୍ଷେତ୍ରରେ କିଭଳି ସଶକ୍ତ ଓ ସୁଦୃଢ଼ ହେବା ସହ ସାମାଜିକ କ୍ଷେତ୍ରରେ ସଚେତନ ହେବେ ଏବଂ ଅର୍ଥନୈତିକ କାର୍ଯ୍ୟ-କଳାପରେ ଲିପ୍ତରହି ଆଗକୁ ବଢିବେ ଏହାହିଁ ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମର ପରିକଳ୍ପନା ଓ ତାର ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏବଂ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଅତିଥି ରହି ଏସଏଚଜି ମହିଳା ମାନେ କିଭଳି ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଉନ୍ନତି ହୋଇପାରିବ ଏବଂ ସେମାନଙ୍କ କଳା, କୌଶଳ ଓ କାରିଗରୀ ଅଧିକ ବିକଶିତ ହୋଇପାରିବ , ସେ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭକ୍ତି ସଙ୍ଗୀତ ସଂସଦର କଳାକାର ମାନେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ ।
ପରେ ଶ୍ରୀ ଶୁଭ୍ରାଂଶୁ ପଟ୍ଟନାୟକଙ୍କ ସଂଯୋଜନାରେ ପଦାମୃତ ନୃତ୍ୟାୟନର ଓଡିଶୀ ନୃତ୍ୟ ମଙ୍ଗଳା ଚରଣ , ଗୁମ୍ମା ବ୍ଲକ୍ ର ଆଦିବାସୀ ନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ମାନେ ପଲ୍ଲୀଶ୍ରୀ ମେଳାର ପ୍ରଦର୍ଶନ ଷ୍ଟଲ ଗୁଡାକ ପରିଦର୍ଶନ କରିଥିଲେ।
ଏହି ପଲ୍ଲୀଶ୍ରୀ ମେଳା ଅବସରରେ ମୋଟ ୧୦୦ଟି ଷ୍ଟଲ ହୋଇଥିବା ବେଳେ ସେଥିମଧ୍ୟରୁ ୬୦ ଟି ଷ୍ଟଲ କେବଳ ଗଜପତି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାଞ୍ଚଳର ଏସଏଚଜି ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିଛି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରିବଟା ପାଇଁ ।
ଏହି ମେଳାରେ ବିଭିନ୍ନ ଘରୋଇ ଓ ସାଜସଜ୍ଜା ଉପକରଣ , ବସ୍ତ୍ର , ପୂଜା ଉପକରଣ, ଖାଦ୍ୟ ମସଲା ପ୍ରଭୃତି ପ୍ରଦର୍ଶନ ଓ ବିକ୍ରିବଟା ପାଇଁ ରହିଛି ।
ପ୍ରଥମ ଦିନର ସନ୍ଧ୍ୟାରେ ଏହି ମେଳାରେ ମୋଟ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲା ଓରମାସ ସୂତ୍ରରୁ ଜଣାଯାଇଛି ।
ଏଥି ସହିତ ଜିଲ୍ଲା ପ୍ରଶାସନ ଅଧିନସ୍ତ ସମସ୍ତ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନ ଷ୍ଟଲ ମାନ ଖୋଲାଯାଇଛି । ଏଥିସହିତ କୋଭିଡ ଷ୍ଟଲ ମଧ୍ୟ ଖୋଲାଯାଇଛି ଯେଉଁ ମାନେ କୋଭିଡ ଟୀକା ନେଇ ନାହାନ୍ତି ସେମାନଙ୍କୁ କୋଭିଡ ଟୀକା ଦିଆଯାଉଛି ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ଼ିଆରଡିଏର ଏପିଡ଼ି ତଥା ଜିଲ୍ଲା ଓରମାସ” ସଂସ୍ଥାର ଡେପୁଟି ସିଇଓ ଶ୍ରୀ ଦେବେନ୍ଦ୍ର କୁମାର କର ଏବଂ ଜିଲ୍ଲା ମିଶନ ଶକ୍ତିର ଡିପିଏମ ଶ୍ରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

0
0
0
s2sdefault