ହେଡଲାଇନସ୍:

ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା:(ଦିଲ୍ଲୀପ ମହାନ୍ତି) : ନଭେମ୍ବର ୨୮ ତାରିଖ ଦିନ ବାରିପଦାର ପାଲବଣୀ ନିକଟସ୍ତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ମୟୂରଭଞ୍ଜ ଯୁବ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ବାହାରିଥିବା ପଦ ଯାତ୍ରା ଆଜି ଅର୍ଥାତ ଡିସେମ୍ବର ୩ ତାରିଖ ଦିନ ଭୁବନେଶ୍ଵରରେ ପହଞ୍ଚିବା ପରେ ଏକ ପ୍ରତିନିଧିମଣ୍ଡଳୀ ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୦୩ ମସିହାରେ ସାନ୍ତାଳୀ ଭାଷାକୁ କେନ୍ଦ୍ର ସରକାର ସ୍ଵୀକୃତି ଲାଭ କରିବା ସହିତ ସମ୍ବିଧାନର ଅଷ୍ଟମ ଅନଚ୍ଛେଦରେ ଅନ୍ତର୍ଭୁକ୍ତ କରାଗଲା ଏବଂ ସେହିଦିନଠାରୁ ସମ୍ବିଧାନର ଧାରା ୩୪୭ ଅନୁସାରେ ସାନ୍ତାଳୀ ଭାଷା ସଂଖ୍ୟାଲଘୁ ଭାଷା ମାନ୍ୟତା ପାଇବାର ହକ୍‌ଦାର । ପଶ୍ଚିମବଙ୍ଗ ସରକାର ୨୦୧୨ ମସିହାରେ ସାନ୍ତାଳୀ ଭାଷାକୁ ପଶ୍ଚିମବଙ୍ଗରେ ସଂଖ୍ୟାଲଘୁ ଭାଷା ସହିତ ଅତିରିକ୍ତ ସରକାରୀ ଭାଷାର ମାନ୍ୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶାରେ ସାନ୍ତାଳୀ ଭାଷାର ସ୍ଵୀକୃତି ବର୍ତ୍ତମାନ ସୁଦ୍ଧା ମିଳିପାରିଲା ନାହିଁ । ଯଦିଚ ସାନ୍ତାଳୀ ଭାଷାଭାଷୀ ଲୋକଙ୍କ ସଂଖ୍ୟା ତୁଳନାରେ କମ୍ ଥିବା ହିନ୍ଦୀ, ଉର୍ଦ୍ଦୁ,ତେଲଗୁ, ବଙ୍ଗଳା ଭାଷାଗୁଡିକୁ ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି । ଏଣୁ ଯଥାଶିଘ୍ର ସାନ୍ତାଳୀ ଭାଷାକୁ ମଧ୍ୟ ସଂଖ୍ୟାଲଘୁ ଭାଷା ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଛି ।

ଦ୍ଵିତୀୟତଃ, ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ-ପାରଗାନା, ମାନକି-ମୁଣ୍ଡା, ପାହାଡି-ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ଭତ୍ତା ପ୍ରଦାନ କରାଯାଉ । ଗ୍ରାମରେ ହେଉଥିବା କଳି ଗଣ୍ଡଗୋଳର ବିଚାର ବା ସମାଧାନ କରିବା ପାଇଁ ଆଦିମ କାଳରୁ ମାଝୀ-ପାରଗାନା, ମାନକୀ-ମୁଣ୍ଡା, ପାହାଡ଼ି-ପଧାନ ବ୍ୟବସ୍ଥା ରହିଆସିଛି । ୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍‌ ପରେ ପରେ ପଞ୍ଚାୟତରାଜ ବ୍ୟବସ୍ଥାରେ ଆଦିବାସୀମାନଙ୍କ ଏହି ବ୍ୟବସ୍ଥାକୁ ସ୍ଵୀକୃତି ଦେବାପାଇଁ ୧୯୯୬ ମସିହାରେ ପେସା ଅଧିନିୟମ ଜାରି ହୋଇଥିଲା । କେବଳ ବିଚାର ବ୍ୟବସ୍ଥା ନୁହେଁ ଗ୍ରାମରେ ଥିବା ଜଳ, ଜଙ୍ଗଲ, ଜମି, ଖଣି ଇତ୍ୟାଦି ପ୍ରାକୃତିକ ସମ୍ପଦର ମାଲିକାନାକୁ ମଧ୍ୟ ଏହି ପାଞ୍ଚ ପଞ୍ଚାୟତର ପାରମ୍ପରିକ ଗ୍ରାମସଭାକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟ ରହିଛି । ଆଦିବାସୀ ପାରମ୍ପରିକ ମୁଖ୍ୟ ମାଝୀ-ପାରଗାନା,ମାନକୀ-ମୁଣ୍ଡା, ପାହାଡି-ପଧାନ ଇତ୍ୟାଦିକୁ ଆବଶ୍ୟକ ସ୍ଵୀକୃତି ଦେବାର ଉଦ୍ୟମ କରି ଝାଡଖଣ୍ଡ ସରକାର ତାଙ୍କ ପାଇଁ ଭତ୍ତା ଦେବାର ବନ୍ଦବସ୍ତ କରିଛନ୍ତି । ପେସା ଅଧିନୀୟମ ଅନୁଯାୟୀ ଆଗାମୀ ଦିନରେ ତାଙ୍କୁ ଅଧିକ କ୍ଷମତା ଦେବାପାଇଁ ଉଦ୍ୟମ ଚାଲିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶା ସରକାର ଏହି ପାରମ୍ପରିକ ବିଚାର ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ଅଧ୍ୟାବଧି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏଥିରେ ମୟୂରଭଞ୍ଜ ଯୁବ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ, ସମ୍ପାଦକ ଚୈତନ ସୋରେନ, ଯୁବନେତା ପୁର୍ଥୁରାଜ ହାଁସଦାଃ,ଉପସଭାପତି ବିଦୁ ଚନ୍ଦନ ହାଁସଦାଃ,ସୁନାରାମ ମାଝୀ ଏବଂ ସୁରୋଜ କୁମାର ଘୋଡେଇ,ଭୁବନ ଟୁଡ଼ୁ, ବିଶ୍ଵନାଥ ମୁର୍ମୁ, ସୁନାରାମ ସୋରେନ, ରାହୁଲ ମୁର୍ମୁ,ମହେନ୍ଦ୍ର ଟୁଡ଼ୁ ଏବଂ ଅନେକ ଯୁବ ନେତା ଉପସ୍ଥିତ ଥିଲେ ।

0
0
0
s2sdefault