ହେଡଲାଇନସ୍:

ବିକାଶ ଖୋଜୁଛି ରାସ୍ତା : କାଲେମା ନାଳ ସାଜିଛି କାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଦିବାସୀ ଅଧ୍ୟୁଷିତ ଜନକପୁରରେ ମୌଳିକ ସୁବିଧା ସାତ ସପନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏବେବି ଆଦିବାସୀ ଅଧ୍ୟୁଷିତ ଅନେକ ଗାଁରେ ପହଞ୍ଚି ପାରିନି ବିକାଶର ଛାପ । ଲୋକଙ୍କ ପାଇଁ ମୌଳିକ ସୁବିଧା ପାଇବା ହୋଇଯାଇଛି ସାତ ସପନ।
ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ପାହାଡ଼ ପର୍ବତ ଘେରା ଜଙ୍ଗଲ ମଧ୍ୟରେ ଥିବା ଗାଁ ହେଉଛି ଜନକପୁର । ଏହି ଗାଁର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଜନକପୁର ନିକଟରେ ରହିଥିବା ଉପର ଡକରପଙ୍କା , ତଳ ଡକରପଙ୍କା , ପୁଟାସିଂ ଓ ଡୁଲିପଙ୍କାଳ ଗ୍ରାମର ଶହ ଶହ ଲୋକେ ଚାଷବେଉସା ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିବା ସହ ଏହି ଉପାନ୍ତ ଅଞ୍ଚଳରେ ବସବାସ କରି ରହି ଆସୁଛନ୍ତି ।
ଜନକପୁର ଗ୍ରାମର ଜନସଂଖ୍ୟା ୧୫୫ ହୋଇଥିବା ବେଳେ ଘରସଂଖ୍ୟା ୨୭। ସେହିଭଳି ନିକଟରେ ରହିଥିବା ଗ୍ରାମ ଉପର ଡକରପଙ୍କା , ତଳ ଡକରପଙ୍କା , ପୁଟାସିଂ ଓ ଜନକପୁର ଗ୍ରାମ ଠାରୁ ୪ କିମି ଦୂରରେ ରହିଥିବା ନୂଆଁଗଡ ବ୍ଳକର ଡୁଲିପଙ୍କାଳ ଆଦି ଗାଁର ମୋଟ ଜନସଂଖ୍ୟା ୧୨ ଶହରୁ ଉର୍ଦ୍ଧ୍ୱ ଓ ଘର ସଂଖ୍ୟା ୩ ଶହ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ ରାଇପଙ୍କା ଠାରୁ ଜନକପୁର ଗାଁ ମାତ୍ର ୧୧ କିମି ହେଉଥିବା ବେଳେ ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ରାସ୍ତା ପାଲଟିଛି ମରଣଯନ୍ତା । କେଉଁଠି ଆଣ୍ଠୁଏ ଆଣ୍ଠୁଏ ଖାଲ ତ ଆଉ କେଉଁଠି ରାସ୍ତା ଉପରେ ପାଣି ଜମି ରହିଥିବା ବେଳେ କେଉଁଠି ପଥର ମୁଣ୍ଡଟେକି ବିପଦକୁ ହାତ ଠାରି ଡ଼ାକୁଛି। ଗାଁ ଲୋକଙ୍କ ପାଇଁ ଏହି ରାସ୍ତାଟି ହେଉଛି ଜୀବନ ଜୀବିକାର ମାଧ୍ଯମ ।
ଦୈନନ୍ଦିନ ଯାତାୟତର ମାଧ୍ୟମ ହୋଇଥିବାରୁ ଏହି ରାସ୍ତାରେ ଚାଲି କରି ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ଲୋକେ ଜୀବନକୁ ବାଜି ଲଗାଇ ବହୁକଷ୍ଟରେ ଏହି ରାସ୍ତା ଦେଇ ଯାତାୟତ କରନ୍ତି । କିଏ ପିକ୍ ଅପ୍ ଗାଡ଼ି ଧରି ଯାଉଛି ତ କିଏ ମୋଟର ସାଇକେଲରେ ବିପଦପୂର୍ଣ୍ଣି ସ୍ଥିତିରେ ଜୀବନକୁ ବାଜି ଲଗାଇ ଗମନାଗମନ କରନ୍ତି ।
ଏଭଳି ସମସ୍ୟା ଯୋଗୁଁ ଗାଁରେ ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟଜଳ , ନେଟୱାର୍କ ଭଳି ଅନେକ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଥିବା ବେଳେ ପିଲାଙ୍କ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଆଡକୁ ଠେଲି ହୋଇଯାଉଛି । ନେଟଓ୍ବାର୍କ ଓ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଜରୁରୀ କାଳୀନ ଚିକିତ୍ସା ପାଇଁ ୧୦୮ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି।
ଅପରପକ୍ଷେ ବଜାର ସଉଦା ଓ ଚିକିତ୍ସା ପାଇଁ ବିରିକୋଟ, ଅଡବା , ମୋହନା , ଓ ଚନ୍ଦ୍ରଗିରି ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡେ । ଅନ୍ୟ ଏକ ରାସ୍ତା ଜନକପୁର ଠାରୁ ଲଦିଗୁଡା ଦେଇ ବିରିକୋଟ ଗାଁ କୁ ସଂଯୋଗ କରୁଥିବା ବେଳେ ଜନକପୁର ଠାରୁ ଲଦିଗୁଡା ପର୍ଯ୍ୟନ୍ତ ୨ କିମି ରାସ୍ତା ମଧ୍ୟ ମରଣଯନ୍ତ୍ରା । ଖାଲ , ଢିପ , କାଦୁଅଭରା ହୋଇ ରହିଥିବା ବେଳେ ବାଟରେ ପଡେ ପଥରରେ ପରିପୂର୍ଣ୍ଣ କାଲେମା ନାଳ ।
ସାଧାରଣ ବର୍ଷାରେ ରାସ୍ତାଟି କାଦୁଅ ପଚପଚ ହେଉଥିବା ବେଳେ ବର୍ଷାଦିନେ ଓ ଅଦିନିଆ ଲଘୁଚାପ ବର୍ଷା ହେଲେ ନାଳରେ ପାହାଡର ବର୍ଷା ଜଳ ଲହଡି ଭାଙ୍ଗିବା ଯୋଗୁଁ ଯାତୟତ ଠପ ହୋଇଯାଏ । ଫଳରେ ଏଭଳି ରାସ୍ତା ଓ ନାଳ ଦେଇ ଆମ୍ବୁଲାନ୍ସ ଆସି ପାରେ ନାହିଁ। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯାହାଫଳରେ ପ୍ରସବ ବେଦନା ହେଲେ ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ଆବଶ୍ୟକ ଥିବା ରୋଗୀ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି ତ କେତେବେଳେ ରୋଗୀଙ୍କୁ ଦୋଳାରେ ବୋହି ନାଳ ପାର କରାଇଥାନ୍ତି ଅଞ୍ଚଳବାସୀ ।
ଗାଁରେ ନାହିଁ ଗୋଟିଏ ବି ନଳକୂପ । ଲୋକେ ବାଧ୍ଯ ହୋଇ ପରିତ୍ୟକ୍ତ କୂଅର ଦୂଷିତ ଜଳକୁ ବ୍ୟବହାର କରୁଛନ୍ତି। ଖରାଦିନେ କୂଅ ପାଣି ଶୁଖିଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୂଅର ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ପେଟ ଜନିତ, ଜ୍ୱର , କାଶ , ମେଲେରିଆ ଆଦି ବହୁ ରୋଗରେ ପୀଡିତ ହେଉଥିବା କହିଛନ୍ତି।
ଗ୍ରାମରେ ବିଦ୍ୟୁତ ରହିଥିଲେ ମଧ୍ୟ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁ ଦିନରେ ୩ ରୁ ୪ ଘଣ୍ଟା ବିଦ୍ୟୁତ ରହୁଛି। ଖରା ଓ ବର୍ଷା ଦିନେ ବିଦ୍ୟୁତର ଚାଲେ ଲୁଚକାଳି ଖେଳ। ଜନକପୁର ଓ ପାଖାପାଖି ଗାଁ ଗୁଡିକର ଶିକ୍ଷା ବ୍ୟବସ୍ଥା ଶୋଚନୀୟ । ଏଠି ବିଦ୍ୟାଳୟ ନାହିଁ। ପାଠ ପଢ଼ିବାକୁ ହେଲେ ଗାଁ ଠାରୁ ୧୧ କିମି ଦୂର ରାଇପଙ୍କା , ବିରିକୋଟ, ଗୁଲୁବା ଗଲେ ପିଲାମାନେ ପାଠ ପଢିବେ ଏଣୁ ଏତେ ବାଟ ଯାଇ ପାଠ ପଢିବା ସମ୍ଭବପର ନଥିବାରୁ ବହୁତ ପିଲା ପାଠ ପଢିବାରୁ ବଞ୍ଚିତ ରହୁଛନ୍ତି। ନିରୀହ , ଶାନ୍ତ , ସରଳ ଆଦିବାସୀ ଲୋକେ ଦୂଃସାଧ୍ୟ ଜୀବନ ଯାପନ ଅତିବାହିତ କରୁଥିବା ବେଳେ ଅଞ୍ଚଳବାସୀ ପ୍ରଶାସନକୁ ମୌଳିକ ସୁବିଧା ପାଇବା ଉଦ୍ଦେଶ୍ୟରେ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଇଁ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ବ୍ଲକ୍ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଘେରାଉ କରି ରାଜରାସ୍ତାକୁ ଅବରୋଧ କରିବା ପାଇଁ ସଜବାଜ ହେଉଥିବା କହିଛନ୍ତି । ଏଣୁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

0
0
0
s2sdefault