ହେଡଲାଇନସ୍:

ଆଲୁମିନିମାନଙ୍କର ସମ୍ମିଳିତ ଉଦ୍ୟମ ଏକ ଅନୁଷ୍ଠାନର ଭବିଷ୍ୟତକୁ ନୂଆ ସ୍ୱରୂପ ଦେଇପାରିବ : ଆକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝରରେ ମୋ କଲେଜ ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଲେ ମୋ କଲେଜ ଅଧ୍ୟକ୍ଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗୁରୁବାର ଦିନ ମୋ କଲେଜ ଅଭିଯାନର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଭିନବ ପରିକଳ୍ପନା ବୋଲି କହିଥିଲେ।
‘‘ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝର ଜିଲ୍ଲାର ଏକ ଜଣାଶୁଣା ଶିକ୍ଷାନୁଷ୍ଠାନ। ଖଣି ପ୍ରଭାବିତ ତଥା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଷେତ୍ରରେ ଏହା ବିଶେଷ ସହାୟକ ହେଉଛି। ସେମାନଙ୍କ ପାଇଁ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଛି ଏହି ଉଚ୍ଚ ଶିକ୍ଷାନୁଷ୍ଠାନ। ତେଣୁ ଆଗାମୀ ଦିନରେ ଏହି କଲେଜକୁ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ଅଧ୍ୟାପକ, ଅଧ୍ୟାପିକା, ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନଙ୍କର ସହଯୋଗ ଆବଶ୍ୟକତା ରହିଛି’’, କହିଛନ୍ତି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ।
ଏହି ଜିଲ୍ଲାସ୍ତରୀୟ ବୈଠକରେ ଯୋଗ ଦେବାକୁ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଗୁରୁବାର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଥିଲେ। ମୋ କଲେଜ ଅଭିଯାନ ଅଧୀନରେ ଶିକ୍ଷାନୁଷ୍ଠାନର କିଭଳି ସାମଗ୍ରିକ ବିକାଶ ହେବ ଓ ଶିକ୍ଷାଦାନ ଆହୁରି ଉନ୍ନତ ହୋଇପାରିବ ସେନେଇ ଆଲୋଚନା କରିଥିଲେ।
ଏହି ଅବସରରେ ସେ ଆହୁରି କହିଥିଲେ ଯେ, ‘‘କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲ୍ଲା। ଏଠାରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର କ୍ୟାରିୟର ସ୍ୱପ୍ନ ପୂରା କରିବା ପାଇଁ ଅଧିକ ସୁଯୋଗ ମିଳିବା ଦରକାର। ପିଲାଙ୍କ ଭଲ ଭବିଷ୍ୟତ ପାଇଁ ଏହି କଲେଜର ବିଶେଷ ଭୂମିକା ରହିଥିବାରୁ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ଆଗକୁ ଆସିବା ଜରୁରୀ।’’
ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନରେନ୍ଦ୍ର କୁମାର ସାହୁ କହିଥଲେ, ‘‘ଏହି କଲେଜର ପୁରାତନ ଛାତ୍ରଛାତ୍ରୀ ଆମ ପାଇଁ ଗର୍ବ ଓ ଗୌରବ। ଏଠାରେ ପାଠପଢ଼ି ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇଛନ୍ତି। ତେଣୁ କଲେଜର ସାମଗ୍ରିକ ବିକାଶ ଲାଗି ସେମାନେ ସହଯୋଗର ହାତ ବଢ଼ାଇବା ଦରକାର। ସେମାନଙ୍କ ଅବଦାନ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ପାଲଟିବ। ସେମାନେ ବି ନିଜ ପ୍ରିୟ କଲେଜ ସହ ଯୋଡ଼ି ହୋଇପାରିବେ। ଫଳରେ କଲେଜର ବିକାଶ ହେବା ସହ ପିଲାମାନଙ୍କ ସମସ୍ତ ଆବଶ୍ୟକତା ପୂରଣ ହୋଇପାରିବ।’’
ଏହି କାର୍ଯ୍ୟକ୍ରମରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ଡକ୍ଟର ଅନିଲ କୁମାର ଦାଶ ଯୋଗ ଦେଇ କଲେଜର ବିକାଶ ଲାଗି ପୁରାତନ ଛାତ୍ର ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୋ କଲେଜ ସଂଯୋଜକ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ମୋ କଲେଜ ଅଭିଯାନ ଉପରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଜିଲ୍ଲାର ଆଉ ଦୁଇଟି ସରକାରୀ ମହାବିଦ୍ୟାଳୟ, ୧୫ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ପୁରାତନ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶ୍ରୀଯୁକ୍ତ ସୁଧାକର ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

0
0
0
s2sdefault