ହେଡଲାଇନସ୍:

"ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗକୁ ଅବହେଳା କରିବା ଉଚିତ ନୁହେଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ସିଓପିଡି ଦିବସ

ଭୁବନେଶ୍ୱର: କାଶ ଓ କଫ ଦୀର୍ଘ ଦିନ ଧରି ଲାଗି ରହିଲେ, କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ପରବର୍ତ୍ତୀ ସମୟରେ ଏହା ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇଥାଏ ବୋଲି କିମ୍‍ସର ଫୁସ୍‍ଫୁସ୍‍ ରୋଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ବିଶେଷ କରି କୋଭିଡ୍‍ ପରବର୍ତ୍ତୀ ସମୟରେ ଏହି ରୋଗ ପ୍ରତି ସତର୍କ ଓ ସଚେତନତାର ଆବଶ୍ୟକତା ରହିଛି । ବିଶ୍ୱ ସିଓପିଡି (କ୍ରୋନିକ୍‍ ଅବ୍‍ଷ୍ଟ୍ରକ୍‍ଟିଭ୍‍ ପଲମୋନାରୀ ଡିଜିଜ୍‍) ଦିବସ ଅବ୍ୟବହିତ ପୂର୍ବରୁ ଏହି ରୋଗ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିମ୍‍ସର ବିଭାଗୀୟ ବିଶେଷଜ୍ଞ ଡା. ଅମୃତ ମହାପାତ୍ର କହିଲେ, ଦୀର୍ଘ କାଳୀନ କାଶ ଓ କଫ, ଛାତି ଜାକି ହେବା ପରି ଲାଗିବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ହେଉଛି ସିଓପିଡି ରୋଗର ଲକ୍ଷଣ । ଯେଉଁମାନେ ଅତ୍ୟଧିକ ଧୂମପାନ କରିଥାନ୍ତି କିମ୍ବା ଧୂମପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ଏବଂ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‍ ସଂସ୍ପର୍ଶରେ ଆସିଥାନ୍ତି ସେମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହା ଛଡ଼ା ଗ୍ରାମାଞ୍ଚଳରେ କାଠ ଓ ଘଷି ଜାଳେଣିରୁ ନିର୍ଗତ ଧୂଆଁ ଯୋଗୁଁ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ସାଧାରଣତଃ ୪୦ବର୍ଷ ବୟସରୁ ଉର୍ଧ୍ଵ ବୟସର ଲୋକଙ୍କ ମଧ୍ୟରେ ସିଓପିଡି ରୋଗର ସମ୍ଭବନା ଅଧିକ ଦେଖାଦେଇଥାଏ । ବିଶ୍ୱରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୬ ପ୍ରତିଶତ ଲୋକ ସିଓପିଡି ରୋଗରେ ମୃତୁ୍ୟବରଣ କରୁଥିବା ଜଣାପଡ଼ିଛି । ଗ୍ଲୋବାଲ୍‍ ବଡର୍ଣ୍ଣ ଅଫ୍‍ ଡିଜିଜ୍‍ ଅନୁସାରେ ଭାରତରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ସିଓପିଡି । କିନ୍ତୁ ପ୍ରଥମରୁ ଏହି ରୋଗର ଚିକିତ୍ସା କରାଗଲେ ରୋଗୀ ସୁସ୍ଥ ହୋଇଥାଏ ବୋଲି ଡା. ମହାପାତ୍ର କହିଛନ୍ତି । ଏହି ରୋଗ ଯଦି ପ୍ରାଥମିକ ଅବସ୍ଥାରେ ଥାଏ, ତେବେ ରୋଗୀ ଘରେ ଥାଇ ଏହାର ଚିକିତ୍ସା ଓ ଖାଦ୍ୟ ପାନୀୟରେ ନିୟନ୍ତ୍ରଣ କରି ରୋଗର ଉପଶମ ପାଇ ପାରିଥାଏ । ତେଣୁ ଧୂମ୍ରପାନ କରୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଦୂରରେ ରହିବା ସହ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‍ଠାରୁ ଦୂରେଇ ରହିବାକୁ କିମ୍‍ସର ବିଶେଷଜ୍ଞମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କିମ୍‍ସ ପଲମୋନାରୀ ବିଭାଗ ମୁଖ୍ୟ ଡା. ସି. ଏମ୍‍. ରାଓଙ୍କ ସମେତ ଡା. ପି. ସିଂହ, ଡା. ଦେବାଶିଷ ବେହେରା ଓ ଡା. ଏସ୍‍ ଆର୍‍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଲୋକମାନେ କୋଭିଡ୍‍ ପରବର୍ତ୍ତୀ ସମୟରେ ଏହି ରୋଗ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

0
0
0
s2sdefault