ହେଡଲାଇନସ୍:

ଭୀମସାର ବୁର୍ଲାରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା......

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁରୁତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମିଳୁଛି ୨ ମାସ ପର ତାରିଖ

ବରଗଡ : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ଗୁରୁତର ଅଭିଯୋଗ ଆସୁଛି | ବହିର୍ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି | କିନ୍ତୁ ବୁର୍ଲାରେ ଏଭଳି ପରୀକ୍ଷା ମାନଙ୍କ ପାଇଁ ରୋଗୀମାନଙ୍କୁ ୨ ମାସ ପରର ତାରିଖ ଦିଆଯାଉଛି, ଯାହାକି ସେମାନଙ୍କ ପାଇଁ ବିପଦଜନକ ହୋଇପାରେ | ଗୁରୁତର ରୋଗୀମାନଙ୍କୁ ଏଭଳି କରାଯିବା ଦ୍ୱାରା ତାଙ୍କର ଜୀବନ ମଧ୍ୟ ସଂକଟାପନ୍ନ ହେଉଛି |
ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କାଇଁସିର ଗ୍ରାମର ସ୍ୱେଚ୍ଛାସେବୀ ଅଚ୍ୟୁତାନନ୍ଦ ଦେହେରୀ | ସେ ଡିସଲେସିଆ ରୋଗରେ ପୀଡ଼ିତ | ଗତ ଅକ୍ଟୋବର ୧୩ ତାରିଖରେ ସେ ଭୀମସାର ବୁର୍ଲା ମେଡିସିନ ବହିର୍ବିଭାଗରେ ଚିକିତ୍ସା ପାଇଁ ଯାଇଥିଲେ | ସେଠାରେ ଜଣେ ଡାକ୍ତର ତାଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ | ସେହି କାଗଜ ନେଇ ଅଲ୍ଟ୍ରାସାଉଣ୍ଡ କରୁଥିବା କର୍ମଚାରୀଙ୍କୁ ଦେଖେଇବା ପରେ ତାଙ୍କୁ ଡିସେମ୍ବର ମାସ ୧୬ ତାରିଖରେ ଆସିବାକୁ କୁହାଯାଇଛି | ଏହା ଶୁଣିବା ପରେ ଅଚ୍ୟୁତା ହତାଶ ହୋଇ ବାଧ୍ୟ ହୋଇ ଘରକୁ ଫେରିଆସିଲେ | ଗୋଟିଏ ପରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପାଇଁ ପ୍ରଚାର କରୁଥିବା ସ୍ଥଳେ ଏଭଳି ରୋଗୀଙ୍କ ଜୀବନ ସହିତ ଖେଳ ଖେଳିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି | ବିଗତ ଦିନରେ ଏଭଳି ଅନେକ ରୋଗୀଙ୍କ ସହିତ ଅନୁରୂପ ଘଟଣା ଘଟିଥିବା ଯୋଗୁଁ କିଛି ସାମାଜିକ କର୍ମୀ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ, ଯାହାର ପ୍ରତ୍ୟୁତ୍ତର ରଖିଥିଲେ ଭୀମସାର ଅଧିକ୍ଷକ | ତାଙ୍କ କହିବା ଅନୁଯାୟୀ ବୁର୍ଲାରେ ଆବଶ୍ୟକ ମୁତାବକ କର୍ମଚାରୀ ଅଭାବ ପାଇଁ ଏଭଳି ମାସ ମାସ ଧରି ଲାଇନ ଲମ୍ବୁଛି |
ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲା ପାଇଁ ଏହା ଅବହେଳା ନୁହେଁ କି? ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି କି ନାହିଁ, ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଥଣ୍ଡା ମନରେ ଟିକେ ଚିନ୍ତା କରିବା ଉଚିତ |

0
0
0
s2sdefault