ହେଡଲାଇନସ୍:

ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ରୀଙ୍କ ଘରୁ ଚୋରି,୩ ଲକ୍ଷରୁ ଅଧିକ ଟଙ୍କା ସହିତ ଗହଣା ଚୋରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ନିକଟରେ ଆତ୍ମହତ୍ୟା କରିଥିବା ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦଙ୍କ ଘରେ ଚୋରି । ଚୋର ଘରେ କେହି ନଥିବାର ସୁଯୋଗ ନେଇ ନଗଦ ଟଙ୍କା ସହିତ ସୁନା ଗହଣା ଚୋରି କରିଥିବା ଜଣା ପଡିଛି । ସୂଚନା ଅକ୍ଟୋବର ୬ ତାରିଖ ଦିନ ହଷ୍ଟେଲର ରୁମ ନମ୍ବର ୩୦୮ରୁ ତାଙ୍କ ଝୁଲନ୍ତା ମୃତଦେହ ଆବିଷ୍କାର କରାଯାଇଥିଲା । ପରିବାର ନିରୁପମା ଆତ୍ମହତ୍ୟା କରିବାକୁ ବିଶ୍ୱାସ କରୁନାହାନ୍ତି । ସେମାନଙ୍କ ଅନୁସାରେ ଏହା ହତ୍ୟା । ଝିଅର ମୃତ୍ୟୁ ପରେ ଗାଁକୁ ଯାଇଥିବା ପରିବାର ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଛନ୍ତି ।
ଝିଅର ସନ୍ଦେହଜନକ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ବଲାଙ୍ଗୀର ସିଭିଲ କୋର୍ଟ ପଛପଟେ ରହୁଥିବା ବଲାଙ୍ଗୀର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋ ସମାରୁ ନନ୍ଦ ଓ ତାଙ୍କ ପରିବାର ଲୋକ । ୭ତାରିଖ ସକାଳେ ମେଡିକାଲ କଲେଜ ହସ୍ପିଟାଲରେ ଝିଅର ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ଧରି ଗାଁକୁ ଚାଲି ଯାଇଥିଲେ ପୁରା ପରିବାର । ଦୁଃଖରେ ପାହାଡ଼ ତାଙ୍କ ଉପରେ ଖସି ପଡ଼ିଥିଲା । ଘରେ ତାଲା ପକାଇ ଯାଇଥିଲେ । ଝିଅର ଶୁଦ୍ଧିକ୍ରିୟା ସାରି ଘରକୁ ଆଜି ଦିନ (ଶନିବାର) ୧୨ଟାରେ ଫେରିଥିଲେ । ତେବେ ଘରେ ପହଞ୍ଚି ସେମାନେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।
ଚୋର ଆଲମୀରା ଭାଙ୍ଗି ନଗଦ ୩ଲକ୍ଷ ୫୦ହଜାରରୁ ଅଧିକ ଟଙ୍କା ସମେତ ବିପୁଳ ସୁନା ଗହଣା , ଦାମିକା ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରୀ କରିଥିବା ଜଣା ପଡିଛି । ପଛପଟ ଫାଟକ ତାଲା ଭାଙ୍ଗି ଚୋର ଘରେ ପସିଥିବା ଜଣା ପଡିଛି । ଘର ଭିତରେ ଜିନିଷପତ୍ର ଛିନଛତ୍ର ହୋଇ ପଡିଥିବା ଦେଖିବାକୁ ମିଳିଛି ।
ଝିଅର ଅସମୟ ମୃତ୍ୟୁକୁ ନେଇ ଭାଙ୍ଗି ପଡିଥିବା ପରିବାର ପାଇଁ ଚୋରି ବଡ଼ ଧକ୍କା ସାବ୍ୟସ୍ତ ହୋଇଛି । ଏନେଇ ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଲା ଭାଙ୍ଗିବାରେ ବ୍ୟବହୃତ ସମଗ୍ରୀକୁ ପୋଲିସ ଜବତ କରିଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ଏସ୍ଡିପିଓ ତୋଫାନ ବାଗ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖ ଦିନ ନିରୁପମାଙ୍କ ଝୁଲନ୍ତା ମୃତଦେହ ମେଡିକାଲ କଲେଜର ହଷ୍ଟେଲ ନମ୍ବର ୩୦୮ରୁ ଆବିଷ୍କାର କରାଯାଇଥିଲା । ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାର ହତ୍ୟା ସନ୍ଦେହ କରୁଛନ୍ତି ।

0
0
0
s2sdefault