ହେଡଲାଇନସ୍:

ନିଜ କଲେଜ ପାଇଁ ୩୦ ଲକ୍ଷ ଦେଲେ ପୁରାତନ ଛାତ୍ରୀ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୋ’ କଲେଜ ଅଭିଯାନରେ ସାମିଲ ହୋଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଏହି ଅର୍ଥ ରାଶି ଦେଲେ ଡାକ୍ତର ନାରାୟଣୀ ପଣ୍ଡା

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ: “ଦିନେ ମୁଁ ଏହି ଶିକ୍ଷାନୁଷ୍ଠାନରେ ପାଠପଢ଼ି ମଣିଷ ହୋଇଛି । ସେତେବେଳେ ମତେ ମାସିକ ୨୫ ଟଙ୍କା ବୃତ୍ତି ଆକାରରେ ମିଳୁଥିଲା । ଛାତ୍ର ଜୀବନରେ ଏହା ମୋ’ ପାଇଁ ଏକ ବଡ଼ ଆର୍ଥିକ ସାହଯୋଗ ହୋଇପାରିଥିଲା । ତେଣୁ ଆଜି ମତେ ମୋର ଶିକ୍ଷାନୁଷ୍ଠାନକୁ କିଛି ଫେରାଇବାର ସୁଯୋଗ ମିଳିଥିବାରୁ ମୁଁ ଗୌରବ ମନେକରୁଛି । ଆମେ ଯେତେ ଦେଲେ ମଧ୍ୟ ଶିକ୍ଷାନୁଷ୍ଠାନର ଋଣ ଶୁଝିବା ସମ୍ଭବ ନୁହେଁ ।’’ – ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୭୭ତମ ପ୍ରତିଷ୍ଠା  ଦିବସ ସମାରୋହରେ ଆବେଗଭରା ସ୍ୱରରେ ଏହା କହିଛନ୍ତି ପୁରାତନ ଛାତ୍ରୀ ଡାକ୍ତର ନାରାୟଣୀ ପଣ୍ଡା |

ଡାକ୍ତର ପଣ୍ଡା ଦିନେ ଗଙ୍ଗଧର ମହାବିଦ୍ୟାଳୟର ଛାତ୍ରୀ ଥିଲେ, ଯାହା ଏବେ ବିଶ୍ୱବିଦ୍ୟାଳୟର ରୂପ ନେଇଛି । ମୋ’ କଲେଜ ଅଭିଯାନ ଅଧୀନରେ ଏହି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସେ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ଲାଗି ଏହାର ପୁରାତନ ଛାତ୍ରଛାତ୍ରୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ କେବଳ ଅର୍ଥ ଦାନ ନୁହେଁ, ସେମାନେ ନିଜର ସମୟ ଓ ଅଭିଜ୍ଞତା ଦାନ କରି ନିଜେ ପଢ଼ୁଥିବା ଶିକ୍ଷାନୁଷ୍ଠାନକୁ ଆଗକୁ ନେବାରେ ସହାୟକ ହୋଇପାରିବେ ବୋଲି ଡାକ୍ତର ପଣ୍ଡା କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଲକ୍ଷ୍ୟ ଉପରେ ସୂଚନା ଦେଇଥିଲେ । ଡାକ୍ତର ନାରାୟଣୀ ପଣ୍ଡାଙ୍କ ଏହି ଅବଦାନକୁ ସ୍ୱାଗତ କରିବା ସହ ଅନ୍ୟମାନେ ଏହାକୁ ଉଦାହରଣ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ଗର୍ବ । ଏହି ଶିକ୍ଷାନୁଷ୍ଠାନରେ ପାଠପଢ଼ି ଅନେକ ବ୍ୟକ୍ତି ନିଜ ନିଜର ସ୍ୱପ୍ନ ଓ ଭବିଷ୍ୟତକୁ ସାକାର କରିଛନ୍ତି । ତେଣୁ ଏହାକୁ ଆଉ ଏକ ସୋପାନକୁ ନେବା ପାଇଁ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ ।

ଏହି ଉତ୍ସବରେ କୁଳପତି ପ୍ରଫେସର ଏନ୍ ନାଗରାଜୁ ତାଙ୍କ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଡକ୍ଟର ଉମା ଚରଣ ପତି ଏବଂ ମୋ’ କଲେଜ ଅଭିଯାନର ସଂଯୋଜକ ଡକ୍ଟର ସୀତାକାନ୍ତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର ପ୍ରଫେସର ଦୀପକ ବେହେରା, ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ଡକ୍ଟର ସ୍ମିତା ଦେବୀ ପ୍ରମୁଖ ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଡକ୍ଟର ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ‘ନୂଆ ଶିକ୍ଷା ନୀତିର କାର୍ଯ୍ୟାନ୍ୱୟନ : ବିଶ୍ୱବିଦ୍ୟାଳୟ ପାଇଁ କାର୍ଯ୍ୟଖସଡ଼ା’ ଶୀର୍ଷକ ଉପରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ଡକ୍ଟର ପଙ୍କଜ ମିତ୍ତଲ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଡକ୍ଟର ନିବେଦିତା ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କୁଳପତି ଏନ୍ ନାଗରାଜୁ, ରେଜିଷ୍ଟ୍ରାର ଜୁଗଳେଶ୍ୱରୀ ଦାଶ, ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ମୋହିନୀ ମହମ୍ମଦ, ବିତ୍ତୀୟ ନିୟନ୍ତ୍ରକ କନକଲତା ଏକ୍କା, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ହେମା କୁମାର ନାୟକ, ଡେପୁଟି ରେଜିଷ୍ଟ୍ରାର ଡକ୍ଟର ଉମା ଚରଣ ପତି ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

 

 

 

 

0
0
0
s2sdefault