ହେଡଲାଇନସ୍:

ଶିକ୍ଷକ ହେବ ତ ଏମିତି, ଦିବସଙ୍କ ପ୍ରଶଂସନୀୟ ପଦକ୍ଷେପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଜ ଶ୍ରେଣୀର ଶତପ୍ରତିଶତ ପିଲା "ୟୁ ଟ୍ୟୁବ" ରେ ପାଠ ପଢ଼ିବା ପାଇଁ ଶିକ୍ଷକ ଦିବସଙ୍କ ଉଦ୍ୟମ:ଛାତ୍ରଛାତ୍ରୀଙ୍କ ପାଇଁ କିଣିଲେ ମୋବାଇଲ ଫୋନ

ବରଗଡ଼ :ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଗତବର୍ଷ ଠାରୁ ବନ୍ଦ ହୋଇଛି | ଏହିସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁରା ଠପ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ | ଗତବର୍ଷ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଜରିଆରେ ଯେଉଁସବୁ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ଥିବ ସେମାନେ ପାଠ ପଢିଥିଲେ ଯେଉଁଥିରେ ଅଧିକାଂଶ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିବା ଖବର ରହିଛି | ଏହିବର୍ଷ ଜୁନ୨୧ତାରିଖରୁ ରାଜ୍ୟରେ ୟୁ ଟ୍ୟୁବ ମାଧ୍ୟମରେ ପାଠପଢ଼ା କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକି  ସ୍ୱାଗତଯୋଗ୍ୟ  | ମାତ୍ର ଅଧିକାଂଶ ପିଲାମାନଙ୍କ ଅଭିଭାବକ ମାନଙ୍କ ପାଖରେ ମୋବାଇଲ ଫୋନ ନ ଥିବାରୁ ଏହାର ଫାୟଦା ଉଠେଇ ପାରୁନଥିବା ଅଭିଯୋଗ ହେଉଛି ,ଯାହାକି ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରୁଛି |  ଠିକ ଏହି ସମୟରେ ଜଣେ ଯୁବ ଶିକ୍ଷକଙ୍କ ଉଦ୍ୟମକୁ ବରଗଡ଼ ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି |

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଦିବସ କୁମାର ସାହୁ | ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ରୂପେ ଅଂଚଳରେ ପ୍ରସିଦ୍ଧି ଲାଭ କରିଛନ୍ତି | ନିଜ ବିଦ୍ୟାଳୟର ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହ ତାଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି | ବର୍ତ୍ତମାନ କରୋନା ମହାମାରୀ ବେଳରେ ରାଜ୍ୟ ସରକାରଙ୍କ ସମୟୋପଯୋଗୀ "ୟୁ ଟ୍ୟୁବ" ପାଠକୁ ସଫଳତା ସହ ସମ୍ପାଦନ କରିବା କୁ ଅଣ୍ଟା ଭିଡିଛନ୍ତି ଦିବସ | ତାଙ୍କୁ ମିଳିଥିବା ଦାୟିତ୍ୱ ଅନୁଯାୟୀ ତାଙ୍କ ଅଷ୍ଟମ  ଶ୍ରେଣୀର ଶତ ପ୍ରତିଶତ ଛାତ୍ରଛାତ୍ରୀ କିଭଳି ଭାବେ ୟୁ ଟ୍ୟୁବ ରେ ପାଠ ପଢିପାରିବେ | ତାହାପାଇଁ ସେ ଚିନ୍ତାକରି ଯେଉଁ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ଥିଲା ତାଙ୍କୁ ନିଜ ପକେଟରୁ ଖର୍ଚ୍ଚ କରି ମୋବାଇଲ କିଣି ଦେଇଛନ୍ତି |ଯାହାଫଳରେ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ୟୁ ଟ୍ୟୁବ ରେ ପାଠ ପଢ଼ିବା ନିମନ୍ତେ ସାଧନ ଉପଲବ୍ଧ ଅଛି | ବର୍ତ୍ତମାନ ତାଙ୍କ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | ସେଥିମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସେ ମୋବାଇଲ କ୍ରୟ କରି ଉପହାର ଦେଇଛନ୍ତି |

ଶିକ୍ଷକଙ୍କ ଏହି ମହତ କାର୍ଯ୍ୟକୁ ଅଭିଭାବକ ମାନେ ଉଚ୍ଚ ପ୍ରଶଂସା କରିବା ସହ ଅନ୍ୟ ମାନଙ୍କ ପାଇଁ ଏକ ସକାରାତ୍ମକ ଓ ପ୍ରେରଣାଦାୟୀ ବାର୍ତା ପ୍ରଦାନ କରିବ ବୋଲି ମତପ୍ରକାଶ କରିଛନ୍ତି | ଅଗାମୀ ଦିନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କିଭଳି ଭାବେ ପାଠ ୟୁ ଟ୍ୟୁବ ପାଠ ପଢିପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ ଶିକ୍ଷକ ଦିବସ କୁମାର ସାହୁ ଗତବର୍ଷ ମଧ୍ୟ ଅନୁରୂପ ଭାବରେ ତାଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼େଇବା ନିମନ୍ତେ ଦୁଇଜଣ ସ୍ୱେଚ୍ଛାସେବୀଙ୍କୁ ପାରିଶ୍ରମିକ ଦେଇ ନିଯୁକ୍ତ କରିଥିଲେ ଯାହାକୁ ସ୍ଥାନୀୟ ଲୋକେ ଭୁୟସୀ ପ୍ରଶଂସା କରିଥିଲେ |

0
0
0
s2sdefault