ୟୁଜି ଓ ପିଜି ପରୀକ୍ଷା କେବେ ହେବ, ନିଷ୍ପତ୍ତି ୧୮ରେ : ଉଚ୍ଚଶିକ୍ଷା ମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀ କାରଣରୁ ରାଜ୍ୟରେ ସ୍ନାତ୍ତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପରୀକ୍ଷା ବାତିଲ ହେବ ନାହିଁ । ପରୀକ୍ଷା କରିବା ଅପାତତଃ ନିଶ୍ଚିତ ଥିବା ବେଳେ ତାହା କେବେ ଓ କେମିତି ହେବ ସେ ବିଷୟରେ ଆସନ୍ତା ୧୮ ତାରିଖରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି  ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଅନୁଷ୍ଠିତ ଏକ ବୈଠକ ପରେ ସୂଚନା ଦେଇଛନ୍ତି । 

ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସଙ୍କ ସହିତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ  ଦେଇଥିଲେ | ରାଜ୍ୟରେ ବର୍ତ୍ତମାନ  ସ୍ନାତ୍ତକ ଓ ସ୍ନାତକୋତ୍ତର ପରୀକ୍ଷା ସମ୍ପର୍କରେ ଆଲୋଚନା କରିବା ଆହୂତ କୁଳପତିମାନଙ୍କ ବୈଠକରେ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କୁଳପତିମାନଙ୍କ ମତାମତ ନେଇଥିଲେ । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ପରୀକ୍ଷା ସପକ୍ଷରେ ପ୍ରାୟ ସମସ୍ତେ ମତ ଦେଇଥିବା ଜଣାପଡ଼ିଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବା ପାଇଁ କୁଳପତିମାନେ ୭ ଦିନ ସମୟ ନେଇଛନ୍ତି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ କୁଳପତିମାନେ ସେମାନଙ୍କ ଅଧୀନରେ ଥିବା  କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ର ପ୍ରତିନିଧିଙ୍କ ସହ ସେମାନେ ଆଲୋଚନା କରିବେ । ସେହି ବୈଠକରେ ଆସିଥିବା ସମସ୍ତଙ୍କ ମତ ଉପରେ ଆସନ୍ତା ୧୮ ତାରିଖ ଅନୁଷ୍ଠିତ ହେବାକୁ ଥିବା କୁଳପତି ବୈଠକରେ ସବିଶେଷ ତର୍ଜ୍ଜମା ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ  ଡ଼ ସାହୁ କହିଛନ୍ତି । ଆଜିର  ବୈଠକରେ ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ସମ୍ପର୍କେ ବି ଆଲୋଚନା କରାଯାଇଥିଲା | ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଉଚ୍ଚଶିକ୍ଷା ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ପରିପ୍ରେକ୍ଷୀରେ  ଏହାକୁ ଅଧିକ ସୁଦୃଢ କରିବା ଉପରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଥିଲା | ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରାଧାନ୍ୟ ଦେବା ତଥା ଏକ ଗବେଷଣା ସଂସ୍କୃତି ସୃଷ୍ଟି କରିବା ପାଇଁ ଓଡିଶା ବିଶ୍ୱ ବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା, ଏକାଡେ଼ମିକ ଅଡିଟ ତଥା ନାକ ମାନ୍ୟତା ପ୍ରସଙ୍ଗରେ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯାଇଥିଲା | 

 

 

 

0
0
0
s2sdefault