ହେଡଲାଇନସ୍:

ୱାଲମିର ୪୧ ତମ ପରିଚାଳନା ପରିଷଦ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କାର୍ଯ୍ୟରତ ୧୫୩କର୍ମଚାରୀଙ୍କର ୭ମ ବେତନ କମିଶନ ସୁପାରିଶ ଅନୁସାରେ ବେତନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ  

  • ପ୍ରତିଷ୍ଠାନରେ କାର୍ଯ୍ୟରତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପଦବୀର ନାମକରଣ ହେଲା ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର 

ଭୁବନେଶ୍ୱର: ଭୁବନେଶ୍ୱର-କଟକ ରାସ୍ତାରେ ପ୍ରତାପ ନଗରୀସ୍ଥିତ ଜଳ ଓ ଓ ଭୂ ସମ୍ପଦର ସମନ୍ୱିତ ପରିଚାଳନା ନିମନ୍ତେ  ଉତ୍ସର୍ଗୀକୃତ ପ୍ରମୁଖ ତାଲିମଓ  ଗବେଷଣା ପ୍ରତିଷ୍ଠାନ( ୱାଲମି)ର ୪୧ ତମ ପରିଚାଳନା ପରିଷଦ ବୈଠକ (ଗଭଣ୍ଣିଂ କାଉନ୍ସିଲ୍ ମିଟିଂ) ସୋମବାର ଦିନ  ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ  ହୋଇଯାଇଛି । ୱାଲମିର ସଭାପତି ରାଜ୍ୟ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ୱାଲମିର ନିର୍ଦ୍ଦେଶକ ଇଂ. ବିଶ୍ୱମୋହନ ଆଚାର୍ଯ୍ୟଙ୍କ ସମେତ ପରିଚାଳନା ପରିଷଦର ୧୫ ଜଣ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ୱାଲମିରେ କାର୍ଯ୍ୟରତ ୧୫୩ ଜଣ କର୍ମଚାରୀଙ୍କର ବହୁପ୍ରତୀକ୍ଷିତ ୭ମ ବେତନ କମିଶନ ସୁପାରିଶ ଅନୁସାରେ ବେତନ ପ୍ରଦାନ ନେଇ ରହିଥିବା  ପ୍ରସ୍ତାବକୁ ପରିଚାଳନା ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି  ଓ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ନିଷ୍ପତି ନିଆଯାଇଛି । ଏଥି ସହିତ ପ୍ରତିଷ୍ଠାନରେ କାର୍ଯ୍ୟରତ ପରିସଂଖ୍ୟାନ ସହାୟକ(ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ) ପଦବୀର ନାମକରଣକୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୮ ତା-୦୩.୦୧.୨୦୧୮ ଅନୁସାରେ ପରିବର୍ତନ କରାଯାଇ ସହକାରୀ ପରିସଂଖ୍ୟାନ ଅଧିକାରୀ( ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର) କରାଯାଇଛି । ବୈଠକରେ ପୂର୍ବରୁ ଅନୁଷ୍ଠିତ ପରିଷଦ ବୈଠକର ନିଷ୍ପତିର କାର୍ଯ୍ୟାନୁଷ୍ଠାନ, ୱାଲମିରେ ତାଲିମ ପ୍ରଦାନରେ ସଫଳତା, ୨୦୨୧-୨୨ରେ  ଏହି ପ୍ରତିଷ୍ଠାନରେ କାର୍ଯ୍ୟକ୍ରମ ଯୋଜନା, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଆଦି ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା । 

 ପ୍ରକାଶ ଥାଉକି, ପ୍ରମୁଖ ଶାସନ ସଚିବ ଶ୍ରୀମତୀ  ଗର୍ଗ  ଗତ ନଭେମ୍ବର ମାସ ୨୭ ତାରିଖରେ ୱାଲମିରେ ଭର୍ଚୁୁଆଲ ବ୍ୟବସ୍ଥାରେ ପ୍ରଶିକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଏହି ପ୍ରତିଷ୍ଠାନକୁ  ଗସ୍ତ ଅବସରରେ ଏଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି,  ତାଲିମ ଓ ଗବେଷଣା କ୍ଷେତ୍ରରେ ଏହାକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ) ରେ ପ୍ରତିଷ୍ଠିତ  କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ତଦନୁସାରେ ୱାଲମିରେ ଭିତିଭୂମିରେ ଉନ୍ନତି, ସବୁ ପ୍ରକୋଷ୍ଠରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା,  ସମସ୍ତ କର୍ମଚାରୀଙ୍କୁ କମ୍ପୁଟର ସୁବିଧା ସହ  ହାଇସ୍ପିଡ୍ ଇଣ୍ଟରନେଟ୍ ବ୍ୟବସ୍ଥା ଏବଂ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯାଇଛି ।ୱାଲମିରେ ପ୍ରତିବର୍ଷ କୃଷକ, ପାଣିପଂଚାୟତର କର୍ମକର୍ତା, ଚାକିରୀରେ ଥିବା କନିଷ୍ଠ  ଓ ବରିଷ୍ଠ ଯନ୍ତ୍ରୀ, ଅନ୍ୟରାଜ୍ୟରୁ କୃଷକ ଓ ଯନ୍ତ୍ରୀମାନେ ପ୍ରଶିକ୍ଷଣ ନେଉଛନ୍ତି । ୨୦୧୯-୨୦ ବର୍ଷରେ  ଏଠାରେ ୫୯୪୨ ଜଣ, ୨୦୨୦-୨୧ରେ ୯୩୯୬ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେଇଛନ୍ତି ଏବଂ ୨୦୨୧-୨୨ ବର୍ଷରେ ଏହି ପ୍ରତିଷ୍ଠାନରେ ଜଳ ସମ୍ପଦ ବିଭାଗରେ ନବ ନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ  ୨୮,୧୧୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault