ହେଡଲାଇନସ୍:

ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା:ଶ୍ରୀଜିଉଙ୍କ ଯୁଦ୍ଧ ଯାତ୍ରା ବେଶ ଓ ରାବଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ  ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଭକ୍ତରାଜ ହନୁମାନ ଓ ଯୁବରାଜ ଅଙ୍ଗଦଙ୍କ ସ୍କନ୍ଧରେ ବସି ଲଙ୍କା ଅଭିଯାନରେ ବାହାରିଥିବା ଦୃଶ୍ୟ ଥିଲା ଅତ୍ୟନ୍ତ ମନୋରମ । ଅଷ୍ଟ ସେନାଧ୍ୟକ୍ଷ ଅସ୍ତ୍ର ଶସ୍ତ୍ରରେ ସଜିତ ହୋଇ ସଙ୍ଗରେ ବାହାରି ଥିଲେ । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଅଷ୍ଟ ସେନାଧ୍ୟକ୍ଷ ଓ ବାନରସେନାଙ୍କ ସହାୟତାରେ ମାତା ସୀତାଙ୍କୁ ଉଦ୍ଧାର କରିବା ସହିତ ପ୍ରବଳ ପ୍ରତାପୀ ରାବଣର ନିଧନ ଘଟାଇବା ପରେ ବିଭୀଷଣଙ୍କୁ ଲଙ୍କାର ରାଜା ଭାବରେ ଅଭିଷିକ୍ତ  କରି ବନ୍ଧୁତ୍ୱର ନିଦର୍ଶନ ପ୍ରତିପାଦିତ କରିଥିଲେ । 

ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା କୋଭିଡ କଟକଣା କାରଣରୁ ଚଳିତ ବର୍ଷର ଶ୍ରୀରାମ ନବମୀ ଯାତ୍ରା ନୀତିକାନ୍ତି ମଧ୍ୟରେ ସମାପନ ହେଉଥିବା ବେଳେ ଯୁଦ୍ଧଯାତ୍ରା ଦିବସରେ ପାଳନ କରାଯାଉଥିବା ରାବଣ ପୋଡି ଓ ଆତଶବାଜି କାର୍ଯ୍ୟକ୍ରମକୁ ମଧ୍ୟ ବିଧିରକ୍ଷା ସ୍ୱରୁପ ସାଙ୍କେତିକ ଭାବରେ ପାଳନ କରାଯାଇଛି । ୨୦ ତମ ରାବଣ ପୋଡ଼ି ଉତ୍ସବ ନିମନ୍ତେ ୩ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ପ୍ରତିମୂର୍ତୀରେ ଅବସର ପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟନାରାୟଣ ନାୟକ ଅଗ୍ନୀ ସଂଯୋଗ କରି ବିଧି ରକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ବିଭୁପ୍ରସାଦ ସାହୁ, ବରିଷ୍ଠ  ଆଇନିଜିବୀ ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ବସନ୍ତ ମହାନ୍ତି ଓ ପ୍ରଫୁଲ୍ଲ ଡାକୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଯାତ୍ରାର ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଅନୁଷ୍ଠିତ ହେବ । 

 

0
0
0
s2sdefault