ହେଡଲାଇନସ୍:

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା :  ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି ରଥ ନିର୍ମାଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା :  ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି ରଥ ନିର୍ମାଣ  

ବାରିପଦା(ଦିଲ୍ଲୀପ ମହାନ୍ତି)- :  ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି ରଥ ନିର୍ମାଣ । ଚଳିତ ବର୍ଷ ଜୁଲାଇ ୧୪ରେ ମହାପ୍ରଭୂଙ୍କ ପହଣ୍ଡିବିଜେ ହେବାକୁ ଥିବା ବେଳେ ପରମ୍ପରା ମୁତାବକ ପୁରୀ ରଥଟଣା ଗୋଟାଏ ଦିନ ପରେ ଅର୍ଥାତ ଜୁଲାଇ ୧୫  ଓ ୧୭ରେ ରଥଟଣା ହେବ । ସେହିପରି ମହାପ୍ରଭୂଙ୍କ ବାହୁଡା ଯାତ୍ରା ଅବସରରେ ଜୁଲାଇ ୨୨ରେ ପହଣ୍ଡି ବିଜେ ହୋଇ ୨୩ ଓ ୨୪ ଦୁଇଦିନ ରଥ ଟଣା ସମ୍ପନ୍ନ ହେବ ।  

               ଜନସୃତିରୁ ଜଣାପଡେ଼ ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରବର୍ତ୍ତୀ ସମୟଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି । ସେହିପରି ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ଦେଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ ହୋଇ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେଣୁ ବାରିପଦା ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପବିତ୍ର ଶ୍ରପଞ୍ଚମୀରୁ ରଥ କାଠ ଅନୁକୂଳ ହୋଇଥିଲା ।  ଅକ୍ଷୟ ତୃତୀୟାରେ ଅଖରେ ଚକ ଲାଗି କାର୍ଯ୍ୟ ସମ୍ପନ୍ନ ହେବାପରେ୨୩ ହାତ ୧୨ ଆଙ୍ଗୁଳି ଉଚ୍ଚତା ଓ ୧୬ ଚକ ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ୨୩ ହାତ ୬ ଅଙ୍ଗୁଳି ଓ ୧୪ ଚକ ସହିତ ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ୨୨ ହାତ ୧୪ ଅଙ୍ଗୁଳି ଓ ୧୨ ଚକ ସହିତ ଦେବୀ ସୁଭଦ୍ରାଙ୍କ ବିଜୟା ରଥର ନିର୍ମାଣ କାର୍ଯ୍ୟର ତାଗବାଡ଼ିଆ କାର୍ଯ୍ୟ ଚାଲିଛି । ଏହାପରେ ପଟାପକା, , ପୋଟଳ, ପାରାଭାଡ଼ି, କଳସ ଓ ଖପୁରୀ ଯୋଡ଼ାଯିବ । ଏଥି ସହିତ ରଥଖଳାରେ ରୂପକାର ସେବକ ଶୁଆସାରୀ, ପାଶ୍ୱର୍ଦେବୀ ଓ ନାଟଗୋଡ଼ ଆଦି ଖୁଦେଇ ଓ ରଙ୍ଗ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ମହାପ୍ରଭୂମାନଙ୍କର ୩ ରଥ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଜଣେ ରଥ ମହାପାତ୍ର ସହିତ ରଥ ମହାରଣା ୫ ଜଣ, ବାର୍ଚ୍ଛିଆ ୧୮ ଜଣ, ପୋଟଳବନ୍ଧା ୬ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଦୈନିକ ୫/୬ ରଥ ନିର୍ମାଣ କାରିଗର ଦିନରାତି କାର୍ଯ୍ୟରେ ଲାଗିଛନ୍ତି । ଉକ୍ତ ନିର୍ମାଣ କାର୍ଯ୍ୟକୁ ବାରିପଦା ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ୱାବଧାନରେ ଚାଲିଛି ଓ କାର୍ଯ୍ୟ ଶେଷ ହେବାପରେ ନିର୍ମାଣ ହୋଇଥିବା ରଥର ଫିଟନେଓ ସାର୍ଟିଫିକେଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି ।

0
0
0
s2sdefault