ହେଡଲାଇନସ୍:

“ଖଣି ଆମର, କାମ କରିବୁ ଆମେ” : ଭୋକିଲା ପେଟକୁ ଲାତ ମାରିଲେ ମାରିବୁ ଅବା ମରିବୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


“ଖଣି ଆମର, କାମ କରିବୁ ଆମେ” : ଭୋକିଲା ପେଟକୁ ଲାତ ମାରିଲେ ମାରିବୁ ଅବା ମରିବୁ 

ଯୋଡ଼ାରୁ ସମୀର ନନ୍ଦ  : “ଖଣି ଆମର, କାମ କରିବୁ ଆମେ” ଦାବିରେ ଉଚ୍ଚବାଲିସ୍ଥିତ ବାବା ଧବଳେଶ୍ୱର କମିଟି ବଡ଼ବିଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପୂର୍ବାହ୍ନରେ ଆମରଣ ଅନଶନରେ ବସିଥିବା ଜଣାପଡିଛି। ସଞ୍ଜୟ ବାରିକଙ୍କ ନେତୃତ୍ୱରେ ଆୟୋଜିତ ଏହି ଅନଶନରେ ୫ଶହରୁ ଅଧିକ ମହିଳା ଓ ପୁରୁଷ ହାତରେ ଫ୍ଲାକାର୍ଡ଼ ଧରି ଏହି ଅନଶନରେ ଭାଗ ନେଇଥିବା ଜଣାପଡିଛି। ଖଣିରେ କାମ ଯୋଗାଇବା ପ୍ରତିଶୃତି ଦେଇ ପ୍ରଶାସନର ବାରମ୍ବାର ପ୍ରତାରଣା ପ୍ରତିବାଦରେ ଆଜିର ଏହି ଅନଶନ।ପ୍ରଚଣ୍ଡ ଖରାକୁ ଖାତିର ନକରି ଖୋଲା ମଇଦାନରେ ବସି ରହିଛନ୍ତି ଶହ ଶହ ଅନଶନକାରୀ।ହକ୍ ନ ପାଇଲେ ମରିଯିବୁ ପଛେ ଉଠିବୁ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରଦାନ କରନ୍ତି।ଭୋକିଲା ଲୋକ ଯେ କେତେ ଭୟଙ୍କର ସେମାନଙ୍କ ଉକ୍ତିରୁ ଏହା ସ୍ପଷ୍ଟ ଜଣାପଡେ।

ଏଠାରେ ସୂଚନାଯୋଗ୍ୟ ଯେ,ପଳସା,ବଳଦା,ବଡ଼କାଳୀମାଟି,ନୟାଗଡ଼ ଆଦି ୪ଟି ପଞ୍ଚାୟତର ଇନ୍ଦ୍ରାଣୀ ପଟ୍ଟନାୟକ ଏବଂ ସିରାଜୁଦ୍ଦିନ ଖଣି ଦ୍ୱାରା ପ୍ରଭାବିତ ବାସିନ୍ଦା ଏହି ୨ଟି ଖଣିରେ ନିଯୁକ୍ତି, ପରିବହନ ଏବଂ ରେଳ ଵୋଝେଇରେ ଅଗ୍ରାଧିକାର ଦାବିରେ ଦୀର୍ଘ ୬ମାସ ଧରି ସଂଗ୍ରାମ ଚଳାଇ ବାରମ୍ବାର ପ୍ରଶାସନ ଏବଂ ଖଣି ମାଲିକଙ୍କ ପ୍ରତିଶୃତି ପରେ ମଧ୍ୟ ନ୍ୟାର୍ଯ୍ୟଦାବି ପାଇବାରୁ ବଞ୍ଚିତ ହୋଇ ଏବେ ଏକ ଅନିଶ୍ଚିତ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି।ଗତ ତା-୦୨/୦୨/୨୦୧୮ରିଖରେ ସେମାନେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଫାଟକ ସମ୍ମୁଖରେ ଏଥିପାଇଁ ଏକ ଆନ୍ଦୋଳନ କରିଥିଲେ।ଏଥିରେ ବାମେଵାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଇନ୍ଦ୍ରାଣୀ ଏବଂ ସିରାଜୁଦ୍ଦିନ ଖଣି କାର୍ଯ୍ୟରେ ଅଗ୍ରାଧିକାର ଦେବାକୁ ୧୫ଦିନ ସମୟ ନେଇଥିଲେ।ତେବେ ୧୫ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ୧୦/୦୩/୨୦୧୮ରିଖରେ ପୁନର୍ବାର ସିରାଜୁଦ୍ଦିନ ଓ ଇନ୍ଦ୍ରାଣୀ ଖଣିରେ ଧାରଣା ଦେଇଥିଲେ।ସେତେବେଳେ ବାମେଵାରୀ ଥାନା ଅଧିକାରୀ ଧାରଣାରୁ ଉଠାଇ ନେଇ ୧୬/୦୩/୨୦୧୮ ରିଖ ଯୋଡ଼ା ଥାନାରେ ଚମ୍ପୁଆ ଉପଜିଲ୍ଲାପାଳ, ବାମେଵାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ରହି ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ କାମ ମିଳିଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।୭ଦିନ ପରେ କିଛି ଫଳ ନ ହେବାରୁ ପୁନର୍ବାର ୨୩/୦୩/୨୦୧୮ରିଖରେ ଡକାଯାଇ ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ,ଉପଜିଲ୍ଲାପାଳ, ଉପଖଣ୍ଡ ପୋଲିସ ଅଧିକାରୀ, ବାମେଵାରୀ ଥାନା ଭାରପ୍ରାପ୍ତ ଅଧିକାରୀ, ଖଣି ଉପମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ ୧୫ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା ।ହେଲେ ଏଥର ମଧ୍ୟ କିଛି ଫଳ ମିଳିନଥିଲା।ତା-୧୭/୦୪/୨୦୧୮ରିଖରେ ସେମାନେ ପୁନର୍ବାର ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ।ତେବେ ତା-୧୮/୦୪/୨୦୧୮ରିଖରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ଉପଖଣ୍ଡ ପୋଲିସ ଅଧିକାରୀ ମହେଶ୍ୱର ସେଠୀ ଆସି ସେମାନଙ୍କୁ ୪ଦିନ ସମୟ ମାଗିବା ସହ ତୁରନ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଦେଖା କରିବାକୁ କହିଥିଲେ।ଏପରିକି ଏହିଥର କାମ ନହେଲେ ପ୍ରଶାସନ ଆଉ ସେମାନଙ୍କୁ ମୁହଁ ଦେଖାଇବ ନାହିଁ ବୋଲି ଦୃଢୋକ୍ତି ପ୍ରଦାନ କରି ଆନ୍ଦୋଳନରୁ ଉଠାଇ ଦେଇଥିଲେ।ଏଥର ମଧ୍ୟ ନିରାଶ ହେବାକୁ ପଡିଲା।ତେଣୁ ୨୫/୦୪/୨୦୧୮ରିଖରେ ସିରାଜୁଦ୍ଦିନ ଖଣି ମୂଖ୍ୟ ଫାଟକ ସମ୍ମୁଖରେ ଧାରଣା ପରେ ୨୬/୦୪/୨୦୧୮ରିଖ ସକାଳେ ବଡ଼ବିଲ ଉପଖଣ୍ଡ ଅଧିକାରୀ ଓ ଚମ୍ପୁଆ ଉପଜିଲ୍ଲାପାଳ,ବାମେଵାରୀ ଥାନା ଭାରପ୍ରାପ୍ତ ଅଧିକାରୀ ୪ଶହରୁ ଉର୍ଦ୍ଧ୍ବ ରିଜର୍ଭ ପୋଲିସ ଆଣି ସେମାନଙ୍କୁ ବଳପୂର୍ବକ ସେଠାରୁ ଉଠାଇ ଦେଇଥିଲେ ଏବଂ ବାମେଵାରୀ ଥାନାକୁ ଡାକି ୪ଦିନ ଭିତରେ କମ୍ପାନୀ କାମ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ହେଲେ ଏହା ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଥିଲା।ଏହା ପ୍ରଶାସନର ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ସେମାନେ ଅଭିଯୋଗ କରନ୍ତି।

ଏହି ଯୋଡ଼ା ଖଣି କ୍ଷେତ୍ରରେ ଅପାରଗ ଖଣି ମାଲିକମାନେ ଧାରା ୩୭ର ଖୋଲାଖୋଲି ଉଲ୍ଲଂଘନ କରି ବାହାର ରାଜ୍ୟର ଠିକାଦାର ନିଯୁକ୍ତି କରିବା ସହ ଖଣିଜ ଉତ୍ତୋଳନ, ପରିବହନ, ରେଳ ବୋଝେଇ ଏପରିକି ବିକ୍ରିବଟା କାମ ବର୍ଷ ବର୍ଷ ଧରି କରିଆସୁଥିବା କଥା କାହାରିକୁ ଅଛପା ନାହିଁ।ପ୍ରଶାସନିକ ଅଧିକାରୀଙ୍କ ବାହୁଛାୟା ତଳେ ରହି ଠିକାଦାର ୬୦/୪୦ ପ୍ରତିଶତ ଭାଗିଦାରୀରେ ଏହି କାର୍ଯ୍ୟ କରୁଥିବା ବେଳେ ଖଣି ମାଲିକ ବସି ଶୋଇ କୋଟି କୋଟି ଟଙ୍କା ମୁନାଫା କରିଥାନ୍ତି।ବାହାର ରାଜ୍ୟର ଠିକାଦାର ସମ୍ପୂର୍ଣ୍ଣ ଭାବେ ଯାନ୍ତ୍ରିକ ଉପାୟରେ ଏବଂ ବାହାର ରାଜ୍ୟର କର୍ମଚାରୀ ଆଣି ଏହି କାର୍ଯ୍ୟ ସମ୍ପାଦନ କରିବା ହେତୁ ଏ ଅଞ୍ଚଳବାସୀ କାମଧନ୍ଦାଟିଏ ପାଇପାରିନଥାଏ।ଫଳରେ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହୋଇଥାଏ।ଉଗ୍ର ଖଣି ଖନନ ଯୋଗୁଁ ବ୍ୟାପକ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ପ୍ରଦୂଷଣ ଏ ଅଞ୍ଚଳକୁ ଜରାଗ୍ରସ୍ତ କରିଦେଇଛି।ପ୍ରଦୂଷଣ ଯୋଗୁଁ ଚାଷ ଜମିସବୁ ତାର ଉର୍ବରତା ହରାଇ ବନ୍ଧ୍ୟା ପାଳଟିଯାଇଛି।ତେଣୁ ଖଣି କାର୍ଯ୍ୟରେ ସ୍ଥାନୀୟ ଲୋକେ କାମଧନ୍ଦା ଦାବି କରି ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ ଖଣି ମାଲିକ ଓ ସମ୍ପୃକ୍ତ ଠିକାଦାର ଅତି ଚତୁରତାର ସହ ଜଣେ ସ୍ଥାନୀୟ ରାଜନେତାଙ୍କ ମାଧ୍ୟମରେ ସେମାନଙ୍କ ସ୍ୱରକୁ ଚପାଇ ଦେଇଥିବା ଅଭିଯୋଗ ହୋଇଛି, କେତେବେଳେ ପ୍ରଶାସନ ମାଧ୍ୟମରେ ଦମନ କରି ତ ଅନ୍ୟ କେତେବେଳେ ଏହି ଭୋକିଲା ଲୋକଙ୍କୁ ଟଙ୍କାର ଲୋଭ ଦେଖାଇ।ଏଥିରେ ପ୍ରଶାସନର ପ୍ରଚ୍ଛନ୍ନ ହାତ ଥିବା କାହାରିକୁ ଅଜଣା ନୁହେଁ ।

0
0
0
s2sdefault