କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ : ପୃଥ୍ୱୀରାଜ ହରିଚନ୍ଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ରାଜ୍ୟରେ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଏଭଳି ସ୍ଥଳେ ଆମେ କାହାରିକୁ ସମାଲୋଚନା କରିବାକୁ ଚାହୁଁନାହୁଁ । ମାତ୍ର ରାଜ୍ୟ ସରକାର ନିଜ ସଠିକ୍ ଦାୟୀତ୍ୱ ତୁଲାଇବା ପରିବର୍ତେ ଯେଉଁଭଳି ଭାବରେ ଏଭଳି ସଂଗୀନ ମହାମାରୀ ସ୍ଥିତିକୁ ହାଲୁକା ଭାବେ ନେଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ସାଂବିଧାନିକ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଉପଯୁକ୍ତ ସ୍ୱାସ୍ଥ୍ୟ ଭିତିଭୁମି ସୃଷ୍ଟି କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହେଲା ରାଜ୍ୟ ସରକାରଙ୍କ ସାଂବିଧାନିକ ଓ ନୈତିକ ଦାୟୀତ୍ୱ । କରୋନା ସଂକ୍ରମଣ ବିଶ୍ୱ ମହାମାରୀର ରୂପ ନେଇ ସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହି ମହାମାରୀ ବିରୁଦ୍ଧ ଯୁଦ୍ଧରେ ସମସ୍ତ ପ୍ରକାରର ଆପାତକାଳୀନ ସହଯୋଗ ନିରନ୍ତର ଭାବେ ଯୋଗାଇ ଦେଇ ଆସୁଛନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟ, ମୋଦି ସରକାରଙ୍କ ତ୍ୱରିତ ପଦକ୍ଷେପ, ସହାୟତା ଓ କାର୍ଯ୍ୟଧାରକୁ ପ୍ରଶଂସା କରିବା ପରିବର୍ତେ ରାଜ୍ୟ ସରକାର ଏବଂ ତାଙ୍କ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଚିରାଚରିତ ଭାବେ କେନ୍ଦ୍ରକୁ ଦୋଷ ଦେଇ ସମାଲୋଚନା କରିବାର ଅଭ୍ୟାସ ଜାରୀ ରଖିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଚାଲିଛି । ଦେଶର ଅନ୍ୟ ରାଜ୍ୟଗୁଡିକ ଟେଷ୍ଟିଂର ମାତ୍ରା ବହୁଗୁଣିତ କରିସାରିଲେଣି । ଅନ୍ୟ ପକ୍ଷରେ ଏବେ ବି ଓଡିଶା ସରକାର ନିଦରେ ଶୋଇ ରହିଛନ୍ତି । କୋଭିଡ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଯେଉଁ ଭଳି ଭାବେ ରାଜ୍ୟର ସହରାଂଚଳ, ଗ୍ରାମାଂଚଳ ଓ ପଂଚାୟତରେ ଟେଷ୍ଟିଂ କରାଯାଉଥିଲା, ତାହା ବର୍ତମାନ ହେଉନାହିଁ । ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ପରିବର୍ତେ ହ୍ରାସ କରାଯାଇଛି । ରାଜ୍ୟର ପଶ୍ଚିମାଂଚଳ, ଦକ୍ଷିଣାଂଚଳ ଜିଲ୍ଲା ସମେତ ଖୋର୍ଦ୍ଧା, କଟକ ଆଦି ଉପକୁଳ ଜିଲ୍ଲାମାନଙ୍କରେ ସଠିକ ଭାବେ କୋଭିଡ୍ ଟେଷ୍ଟିଂ କରାନଯିବା କାରଣରୁ ସଂକ୍ରମିତ ଲୋକମାନେ ବହୁ ବିଳମ୍ବରେ ଅଧିକ ସଂକ୍ରମିତ ହୋଇ ଡାକ୍ତରଖାନା ଆସୁଛନ୍ତି ଏବଂ ଅକ୍ସିଜେନ, ସାଧାରଣ ବେଡ୍ ଓ ଆସିୟୁ ବେଡ୍, ଭଏଂଟିଲେଟର ଭଳି ଚିକିତ୍ସା ସୁବିଧା ନପାଇ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଅଘଟଣ ମଧ୍ୟ ଘଟୁଛି ।କରୋନା ସଂକ୍ରମଣ ଲଢେଇକୁ ପ୍ରତିହିତ କରିବା ପାଇଁ ଟେଷ୍ଟିଂ ସଂଖ୍ୟ ବୃଦ୍ଧି କରାଯିବା ନିହାତି ଆବଶ୍ୟକ । ତେଣୁ ସର୍ବପ୍ରଥମେ ରାଜ୍ୟ ସରକାର ଟେଷ୍ଟିଂ ସଂଖ୍ୟାକୁ ଯଥାଶୀଘ୍ର ବହୁ ମାତ୍ରାରେ ବୃଦ୍ଧି କରିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଅଛି କି ନାହିଁ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ । ସେହିପରି ରାଜ୍ୟର ସମସ୍ତ ସିଏଚସି ସମେତ ସବୁ କୋଭିଡ୍ ଡାକ୍ତରଖାନା ଓ ସାଧାରଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧର ବ୍ୟବସ୍ଥା କରାନ୍ତୁ । ଏହା ଦ୍ୱାରା ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସଠିକ ଚିକିତ୍ସା ପାଇପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ରାଜ୍ୟକୁ ୫୬୭ଟି ଭେଂଟିଲେଟର ଯୋଗାଇ ଦେଇଥିଲେ । ମାତ୍ର ରାଜ୍ୟସରକାର ସରକାରୀ ଡାକ୍ତରଖାନାରେ ସେ ସବୁ ଭେଂଟିଲେଟରକୁ ବ୍ୟବହାର ଉପଯୋଗୀ କରିପାରିଲେ ନାହିଁ । ସେ ସମସ୍ତ ଭେଂଟିଲେଟରର ସଠିକ ବିନିଯୋଗ ହୋଇଛି କି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ବର୍ତମାନ ପୁଣି ଥରେ ପ୍ରତ୍ୟେକ ଜିଲ୍ଲାକୁ ୧୦ଟି ଲେଖାଏଁ ଭେଂଟିଲେଟର ଯୋଗାଇ ଦେବାର ମୋଦି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ସମସ୍ତ ଭେଂଟିଲେଟରର ଡାକ୍ତରଖାନାମାନଙ୍କରେ ଉପଯୁକ୍ତ ବ୍ୟବହାର କରି ମୂଲ୍ୟବାନ ପ୍ରାଣ ବଂଚାଇବା ପାଇଁ ରାଜ୍ୟ ସରକାର ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ସତ୍ୱେ ରାଜ୍ୟ ସରକାର ଟିଏମସି ତଥା ସଙ୍ଗରୋଧ ଗୃହ କାର୍ଯ୍ୟକ୍ଷମ ପାଇଁ କୈାଣସି ବିହୀତ ପଦକ୍ଷେପ ଗ୍ରହଣ କରିନାହାନ୍ତି । ରାଜ୍ୟ ସରକାର ତୁରନ୍ତ ଟିଏମସି ତଥା ସଙ୍ଗରୋଧ ଗୃହକୁ ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ଷମ କରାନ୍ତୁ । ଓଡିଶା ଭଳି ରାଜ୍ୟରେ ସାଧାରଣ ଲୋକମାନଙ୍କ ପାଖରେ ହୋମ ଆଇସୋଲେସନର ସୁବିଧା ନାହିଁ । ତଥାପି ରାଜ୍ୟ ସରକାର ହୋମ ଆଇସୋଲେସନକୁ ପ୍ରାଧାନ୍ୟ ଦେଉଛନ୍ତି । ଯାହାକି ସଂକ୍ରମଣ ରୋକିବା ଏବଂ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବଡ ବାଧକ ସାଜିଛି । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ରାଜ୍ୟବାସୀ ଆହୁରି ଦୁର୍ଦ୍ଧଶାର ସମ୍ମୁଖୀନ ହେବେ ବୋଲି ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

 

 

 

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

 

 

 

0
0
0
s2sdefault