ହେଡଲାଇନସ୍:

ମିଶନଶକ୍ତି ଗୃହରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ; ୧୧ ବର୍ଷ ପରେବି ନିଜସ୍ୱ ଗୃହ ନାହିଁ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବିଭିନ୍ନ ପ୍ରକଳ୍ପ ପାଇଁ ଗୃହ ନିର୍ମାଣ ହେଉଛି ସତ କିନ୍ତୁ ଏହା ସଠିକ କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଯଦ୍ୱାରା ଉକ୍ତ ପ୍ରକଳ୍ପର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । କୋମଳମତୀ ଶିଶୁଙ୍କୁ ଶିକ୍ଷାମନସ୍କ କରିବା ପାଇଁ ସରକାରୀ ସ୍ତରରେ ଯୋଜନାମାନ ପ୍ରଣୟନ କରାଯାଇ ଏ ବାବଦକୁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଏହାର ସଫଳ ରୂପାୟନ ହୋଇପାରୁ ନାହିଁ । କେବଳ ଅର୍ଥଶ୍ରାଦ୍ଧ ହେବାସାର ହେଉଛି । ଖାଲି ଯୋଜନା ପ୍ରସ୍ତୁତ କରିଦେଲେ ହେବ ନାହିଁ । ଏଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଲୋଡ଼ା ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରୁଛନ୍ତି । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ନିଜର ହତାଶଭାବ ପ୍ରକାଶ  କରୁଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ  ଦେଖିବାକୁ ମିଳିଛି କାଦବରାଙ୍ଗ ପଞ୍ଚାୟତ ଅର୍ନ୍ତଗତ କାଦବରାଙ୍ଗ ଅଙ୍ଗନୱାଡ଼ି କେନ୍ଦ୍ରରେ । ଉକ୍ତ ପଂଚାୟତର କାଦବରାଙ୍ଗରେ ଥିବା  ୨ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ  ଗୋଟିଏ କେନ୍ଦ୍ରର ନିଜସ୍ୱ ଗୃହ ଥିବା ବେଳେ ୨୦୧୦ ମସିହା ଜାନୁଆରୀ ମାସରେ ପ୍ରତିଷ୍ଠିତ ଅନ୍ୟ  ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ଆସି ପର୍ଯ୍ୟନ୍ତ ନିର୍ମିତ ହୋଇପାରିନାହିଁ ।  ପ୍ରତିଷ୍ଠା ହେବାକୁ  ଇତି ମଧ୍ୟରେ ୧୧ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ସୁଦ୍ଧା କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ଏହା ବର୍ତ୍ତମାନ ମିଶନଶକ୍ତି ଗୃହରେ ଚାଲିଛି । ଚଳିତ ଶିକ୍ଷା ବର୍ଷରେ ୨୫ଜଣ କୋମଳମତି ଶିଶୁ ଏଠାରେ ଅଧ୍ୟୟନରତ । ପ୍ରଥମେ ପଂଚାୟତଗୃହରେ ଏହା ଚାଲୁଥିଲା । କିନ୍ତୁ ୨୦୧୭ ମସିହାରେ ଗୃହକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଏହା ଗତ ଫେବୃଆରୀ ମାସ ପର୍ଯ୍ୟନ୍ତ କର୍ମୀଙ୍କ ନିଜସ୍ୱ ଗୃହରେ ଚାଲୁଥିଲା । କିନ୍ତୁ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନୱାଡ଼ି କେନ୍ଦ୍ର ପକ୍କାଘରେ ଚାଲିବାର ଥିବାରୁ ମିଶନଶକ୍ତି ଯେହେତୁ ଆଇସିଡ଼ିଏସ ଅଧିନରେ ତେଣୁ ସିଡ଼ିପିଓଙ୍କ ଅନୁମତିରେ ଏହା ଗତ ଫେବୃଆରୀ ମାସରୁ ମିଶନଶକ୍ତି ଗୃହରେ ଚାଲୁଥିବାର ଜଣାପଡ଼ିଛି । ମିଶନଶକ୍ତିର ଗୋଟିଏ ଗୃହ ଥିବାରୁ କେନ୍ଦ୍ରଟିର ରୋଷେଇ କାର୍ଯ୍ୟରେ ନାନା ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି । ୧୧ବର୍ଷ ପରେବି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରାଯାଇପାରିନଥିବା ବେଳେ ୫ଲକ୍ଷ ବିନିମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇ ତାକୁ ବ୍ୟବହାର ନ କରିବା ଓ ଶେଷରେ ଅଙ୍ଗନବାଡ଼ି ଗୃହ ନିମନ୍ତେ ତାକୁ ବିନିଯୋଗ କରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ଏହାର  ଅନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ଏଠାରେ ସଂପାଦିତ ହେଉଛି । ଗୃହ ସମସ୍ୟାକୁ ନେଇ କର୍ମୀ ରମାମଣୀ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ ନୂତନ ଗୃହ ନିର୍ମାଣର ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଥିବା  ପ୍ରକାଶ କରିଥିଲେ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

 

0
0
0
s2sdefault