ଭୋକିଲା ପେଟ ପାଇଁ ସଂଘର୍ଷ : ମହୁଲ ଗୋଟାଇ ଭୋକ ମେଣ୍ଟାଉଛନ୍ତି  ରୌପ୍ୟ ପଦକ ବିଜୟୀ ତୀରନ୍ଦାଜ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଡିଆ/କାଲିମେଳା :  ଗତ କିଛି ବର୍ଷରେ କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାରୁ ବିଭିନ୍ନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଛାପ ଛାଡିଥିବା ଦେଖିବାକୁ ମିଳିଛି  । ତେବେ ଆଦିବାସୀ ଅଧୁଷିତ ଅଞ୍ଚଳ, ଉପଯୁକ୍ତ ଭିତ୍ତିଭୂମି ଅଭାବ ସହ ଗରିବ ରେଖା ତଳେ ରହିଥିବା ଅନେକ ଖେଳାଳୀ ନିଜ ଖେଳରୁ ଦୁରେଇ ପେଟ ପାଇଁ ସଂଘର୍ଷ କରି ଦିଗହରା ହେଉଛନ୍ତି । ଉନ୍ନତ ଖେଳାଳୀ ହୋଇଥିଲେ ସୁଦ୍ଧା ନିଜର ଖେଳର ମାନ ଦିନକୁ ଦିନ ଉନ୍ନତ କରିବା ପରିବର୍ତ୍ତେ ପାରିବାରିକ ଦାୟିତ୍ୱ ଓ ପେଟ ପାଇଁ ଦାନା ଯୋଗାଡ କରିବାରେ ନିଜକୁ ବ୍ରତୀ କରିପକାଉଛନ୍ତି। ଏଭଳି ଏକ ସମାନ୍ତରାଳ ଚିତ୍ର ଦେଖିବାକୁ ମିଳିଛି କାଲିମେଳା ବ୍ଲକ ମାଲାବରମ ଗ୍ରାମରେ । ଏହି ଗ୍ରାମର ଏରା ତାତି ନାମକ ଜଣେ ୧୫ ବର୍ଷୀୟ ଆଦିବାସୀ ଯୁବକ ୨୦୧୯-୨୦ ମସିହାରେ ମଧ୍ୟପ୍ରଦେଶର ଉଜ୍ବେନ୍ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ବିଦ୍ୟାଳୟ ସ୍ତରୀୟ ତୀରନ୍ଦାଜରେ ରୌପ୍ୟ ପଦକ ଜିତି ମାଲକାନଗିରି ଜିଲ୍ଲା ପାଇଁ ଜାତୀୟ ସ୍ତରରେ ଗୌରବ ଆଣିଥିଲେ । ତେବେ ବର୍ତ୍ତମାନ ଏରା ପେଟ ପାଇଁ ସଂଘର୍ଷ କରି ନିଜର ଗ୍ରାମକୁ ଫେରି ମହୁଲ ଗୋଟାଇବା ସହ ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ଦୈନିକ ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳିଛି। ନିଜ ସହ ଅନ୍ୟ ଦୁଇ ଭାଇ ଭଉଣୀଙ୍କ ପେଟକୁ ଦି ମୁଠା ଦାନା ଯୋଗାଇବା ପାଇଁ ନିଜର ସ୍ୱପ୍ନ କୁ ବଳି ଦେଇ ଆଦିବାସୀ ଅଧ୍ୟୁଷିତ ନିଜର ପୈତୃକ ଗ୍ରାମ ମାଲାବରମକୁ ଫେରି ଯାଇଛନ୍ତି ଏରା । ଏରା ଙ୍କ ବାପା ବୋଜା ତାତେ ପ୍ରାୟ ୮ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ରହିଥିବା ବେଳେ  ମାଁ ଜିଇ ତାତି ଗତ ୩୧ ତାରିଖ ଦିନ ରୋଗ ଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ । ମାଁ ଙ୍କ ଶେଷ କୃତ୍ୟ କାମ ସାରିବାକୁ ଆସି ଏରା ନିଜ ଅନ୍ୟ ଦୁଇ ଭାଇ ଭଉଣୀ ସହ ଗ୍ରାମରେ ରହି ନିଜର ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ନିଜ ପରିବାରରେ ଅନ୍ୟ କେହି  ନଥିବାରୁ, ବଡ଼ ଭାଇ ଗଙ୍ଗା ତାତି(୨୪) ଏବଂ ଭଉଣୀ ଭିମେ (୨୦) ଙ୍କ ସହ ଏରା କଷ୍ଟେମଷ୍ଟେ ଚଳୁଛନ୍ତି। ଦି ଓଳି ଖାଇବା ପାଇଁ ଦାନା ଯୋଗାଡ ପାଇଁ  ତିନି ଭାଇ ଭଉଣୀ ମହୁଲ ଗୋଟେଇବା ସହ  ତାକୁ ନିକଟସ୍ଥ ବଜାରରେ ବିକ୍ରି କରି ଯେଉଁ ପଇସା ପାଆନ୍ତି, ସେଥିରେ  ଦୈନଦିନ  ଖର୍ଚ୍ଚ ଚଳାଉଛନ୍ତି।  ଆଦିବାସୀ ଅଞ୍ଚଳରେ ରହୁଥିବାରୁ  ଏରା ତାତି ଛୋଟ ଦିନରୁ  ପାରମ୍ପରିକ ଧନୁ ତୀରର ପ୍ରୟୋଗ କରିବା ଶିଖିଯାଇଥିଲେ ଯାହାକି ତାଙ୍କୁ ତୀରନ୍ଦାଜ ଖେଳରେ ଆଗେଇବାକୁ ସାହାଯ୍ୟ କରିଥିଲା । ଏହି ଖେଳରେ ନିଜର ଭାଗ୍ୟ ଗଢ଼ିବ ବୋଲି ଆଶା ରଖିଥିବା ବେଳେ ଦୈବ ଦାଉ ସାଦିବା ପରି ପୁରା ଜୀବନ ଓଲଟା ପାଲଟ ହୋଇଯାଇଥିଲା। ପ୍ରତିଭାବାନ ଏରା ଜିଲ୍ଲା , ରାଜ୍ୟ ରେ ସଫଳତା ସହ  ଜାତୀୟ ସ୍କୁଲ କ୍ରୀଡ଼ାରେ  ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ହେଲେ ମାଁ ଙ୍କ ମୃତ୍ୟୁ ହେବା ଯୋଗୁ ଏବେ ଦି ମୁଠା ଖାଇବା ଯୋଗାଡ଼ ପାଇଁ  ଭାଇ ଭଉଣୀ ଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଆଗକୁ ବଢିବାକୁ ଚିନ୍ତା କରୁଥିବା କହିଛନ୍ତି।  ପ୍ରତିଭାବାନ୍ ଏରା ନିଜର ସ୍ୱପ୍ନ ତୀରନ୍ଦାଜ କ୍ରୀଡା ଠାରୁ ଦୂରେଇ ରହିବାକୁ ଏବେ ବାଧ୍ୟ ହୋଇଥିବା କହିଛି । ଏରା ନିଜ ସହ ଅନ୍ୟ ଦୁଇ ଭାଇଭଉଣୀ ଙ୍କ ପାଇଁ ଗଣମାଧ୍ୟମର ସହାୟତରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାକୁଳ ଅନୁରୋଧ କରିଛି ।   ଏରା ର ଏଭଳି ସ୍ଥିତି ପ୍ରତି ସରକାର ଦୃଷ୍ଟି ଦେଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତିନି ଭାଇ ଭଉଣୀଙ୍କ ଥଇଥାନ ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ୱାର୍ଡ ମେମ୍ବର, ସରପଞ୍ଚ ଓ ଅଂଚଳବାସୀ ଦାବି କରିଛନ୍ତି ।

 

0
0
0
s2sdefault