ଘରେଘରେ ପାନୀୟ ଜଳ ପହଞ୍ଚାଇବାକୁ ଆଦିତ୍ୟ ଆଲୁମିନିୟମ ଶୁଭାରମ୍ଭ କଲା ‘ଜଳ ବାହିନୀ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଧାତୁ ଉତ୍ପାଦନ କ୍ଷେତ୍ରରେ ଥିବା ଛାମୁଆ କମ୍ପାନୀ ହିଣ୍ଡାଲ୍‍କୋର ଆଦିତ୍ୟ ଆଲୁମିନିୟମର ସିଏସଆର ପ୍ରୟାସର ଅଂଶସ୍ୱରୂପ ଜଳ ବାହିନୀ ଯୋଜନା ଶୁଭାରମ୍ଭ କରାଯାଇଛି ଯାହା ଅଧୀନରେ ଏହା କମ୍ପାନୀର ପାରିପାର୍ଶ୍ଵିକ  ଗ୍ରାମଗୁଡିକରେ ଲୋକଙ୍କ ଦ୍ୱାରଦେଶରେ ପାନୀୟ ଜଳ ଟ୍ୟାଙ୍କର ପହଞ୍ଚାଇବ । ଗ୍ରୀଷ୍ମ ଋତୁ ଆରମ୍ଭ ଏବଂ ହିନ୍ଦୁ ନବବର୍ଷ ପାଳନ ଅବସରରେ ସ୍ଥାନୀୟ ସମୁଦାୟଙ୍କ ପାଇଁ ଗତ ୧୪ତାରିଖରେ ଏହି ଜଳ ବାହିନୀ (ପାଣି ଟ୍ୟାଙ୍କର ସେବା) ଶୁଭାରମ୍ଭ କରାଯାଇଛି । 

ବୋମାଲୋଇ ସରପଞ୍ଚ ଶ୍ରୀ ଶେଷଦେବ ପଧାନ, ମାନବସମ୍ବଳ ମୁଖ୍ୟ ଡ.ବିବେକାନନ୍ଦ ମିଶ୍ର, ଡିଜିଏମ-ମାନବସମ୍ବଳ ଶ୍ରୀ ସତ୍ୟପ୍ରସାଦ ଦାସ, ଡିଜିଏମ-ମାନବସମ୍ବଳ ଶ୍ରୀ ଭବାନି ମହାପାତ୍ର ଏବଂ ସିଏସଆର ତଥା ଆରଆର ମୁଖ୍ୟ ଶ୍ରୀମତୀ ଶ୍ୱେତା ଉପାଧ୍ୟାୟ ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବୋମାଲୋଇ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତିଲେଇମାଲ ଗ୍ରାମରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । 

ଏ ସର୍ମ୍ପକରେ ପ୍ରକାଶକରି ଡ.ବିବେକାନନ୍ଦ ମିଶ୍ର କହିଛନ୍ତି ଯେ, ଆମ କମ୍ପାନୀ ସ୍ଥାନୀୟ ଜନସାଧାରଣଙ୍କର ଆବଶ୍ୟକତାକୁ ବୁଝିଛି । ଗ୍ରୀଷ୍ମ ଋତୁରେ ଏଠାରେ ଜଳସଙ୍କଟ ଉତ୍କଟ  ରୂପ ଧାରଣ କରିଥାଏ । ପ୍ରତିବର୍ଷ ଆମେ ପାଣି ଟ୍ୟାଙ୍କର ସେବା ଜରିଆରେ ପରିଷ୍କାର ପାନୀୟ ଜଳ ଯୋଗାଇ ଦେଉଛୁ । ଏହି ଟ୍ୟାଙ୍କରଗୁଡିକ ମଧ୍ୟରୁ ପ୍ରତ୍ୟେକର କ୍ଷମତା ୫୦୦୦ ଲିଟର ଏବଂ ଏହା ଜନସମୁଦାୟଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳ ଆବଶ୍ୟକତା ପୂରଣ କରିପାରିବ । ଏହି ସେବା ମୋ÷ସୁମୀ ଆରମ୍ଭ ହେବା ପର୍ଯ୍ୟନ୍ତ ଅଥବା ୭୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ । ଦୈନନ୍ଦିନ ଭିତ୍ତିରେ ହାରହାରି ଟ୍ୟାଙ୍କରଗୁଡିକ ଦ୍ୱାରା ୫୨ଟି ଗ୍ରାମ/ପଡାଗ୍ରାମକୁ ୬୦ଟି ଟ୍ରିପ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ଏହାଦ୍ୱାରା ପ୍ରାୟ ୩୦୦୦ରୁ ଅଧିକ ପରିବାର ଉପକୃତ ହେବେ । ଏଥିପାଇଁ ୨୫ଜଣ ଭେଣ୍ଡରଙ୍କୁ ନିୟୋଜିତ କରାଯିବ । ଗ୍ରାମଗୁଡିକରେ ଏସପିଓସି ଦ୍ୱାରା ଟ୍ୟାଙ୍କରଗୁଡିକର ଚଳାଚଳ ଉପରେ ନଜର ରଖାଯିବ ଏବଂ ସିଏସଆର ଦାୟିତ୍ୱରେ ଥିବା ବ୍ୟକ୍ତି ଅଚାନକ ଗସ୍ତକରି ସେଗୁଡିକ ଯାଞ୍ଚ କରିବେ । ବାସ୍ତବ ସମୟ ଭିତ୍ତିକ ନିରୀକ୍ଷଣ ପାଇଁ ଭେଣ୍ଡର, ଏସଏଚଜି ମହିଳା ଏବଂ ଏସପିଓସିଙ୍କୁ ନେଇ ଏକ ହ୍ୱାଟ୍‍ସଆପ ଗ୍ରୁପ୍‍ ସୃଷ୍ଟି କରାଯାଇଛି । ଲୋକଙ୍କର ଦ୍ୱାରଦେଶରେ ଏହି ସେବା ଯୋଗାଇବା ସମୟରେ  କୋଭିଡ-୧୯ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡ.ମିଶ୍ର କହିଥିଲେ । 

ସ୍ଥାନୀୟ ସମୁଦାୟଙ୍କର ସବୁ ମହଲରେ କମ୍ପାନୀର ଏଭଳି ପ୍ରୟାସକୁ ପ୍ରଶଂସା କରାଯାଇଛି । 

0
0
0
s2sdefault