ହେଡଲାଇନସ୍:

ଚିଲିକାରେ ହେବ ଫିଲ୍ମ ସିଟି, ରହିବେ ମୁମ୍ବାଇ ସେଲିବ୍ରିଟି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁଟିଂରୁ ପୋଷ୍ଟ ପ୍ରଡକ୍ସନ୍, ଗୋଟିଏ ଜାଗାରେ ସବୁ ସୁବିଧା

ଭୁବନେଶ୍ୱର(ଶାସକ ପ୍ରଶାସକ ): ଏଣିକି ଆଉ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଖୋଜିବାକୁ ପଡୁବନି ମନମୁତାବକ ସୁଟିଂ ସେଟ୍ । ଫିଲ୍ମ ସୁଟିଂଠାରୁ ଆରମ୍ଭ କରି ପୋଷ୍ଟ ପ୍ରଡକ୍ସନ୍ ଯାଏ ସବୁ ସୁବିଧା ମିଳିବ ଗୋଟିଏ ଜାଗାରେ । କେବଳ ଏତିକି ନୁହେଁ, ବଲିଉଡଠୁ ଟଲିଉଡ୍ ଆଉ ଓଲିଓଡ୍- ସବୁ ରଂଗିନ ଦୁନିଆର ସେଲିବ୍ରିଟିମାନେ ସେହି ଗୋଟିଏ ଜାଗାରେ ଘର ନେଇ ରହିବାର ସୁବିଧା ବି ପାଇବେ ଆଉ ସେମାନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ ସେମାନଙ୍କ ଫ୍ୟାନ୍ ସମେତ ସାଧାରଣ ଦର୍ଶକ । ନିଜକୁ, ନିଜ ସଂପର୍କଗୁଡିକୁ କିମ୍ବା ନିଜ ସମୟକୁ ପରଖିପାରିବ, ଏଥିରେ ସନେ୍ଦହ ନାହିଁ । ଆଉ କେଉଁଠି ନୁହେଁ, ସାରା ବିଶ୍ୱର ଆକର୍ଷଣ ନୀଳାମ୍ବୁ ଚିଲିକା ପରିସରରେ ଏଭଳି ଏକ ଫିଲ୍ମ ସିଟି କରିବା ଯୋଜନା ରଖିଛନ୍ତି ବଲିଉଡର ନାଁକରା ପ୍ରଯୋଜକ ତଥା ପ୍ରଖ୍ୟାତ ଅଭିନେତା ଜୟ ମୁଖାର୍ଜୀଙ୍କ ପୁଅ ସୁଜୟ ମୁଖାର୍ଜୀ ।

ସୁଜୟଙ୍କ ଯୋଜନା ଅନୁସାରେ, ଏହା ହେବ ଦେଶର ପ୍ରଥମ ସେଲିବ୍ରିଟି ଡେଷ୍ଟିନେସନ୍ ପଏଂଟ୍ । ଅର୍ଥାତ୍ ଏଠାରେ ସେଲିବ୍ରିଟିମାନେ ଘର ନେଇ ରହିବାର ସୁବିଧା ପାଇବେ କିମ୍ବା ବର୍ଷସାରା ଏଠାରେ ସେମାନଙ୍କର ସମାଗମ ରହିବ । ନାଁକରା ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀଙ୍କ ସମେତ କଳା, ସଂସ୍କୃତି ଓ କ୍ରୀଡା ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ମଧ୍ୟ ଏଠାରେ ରହିପାରିବେ । ସେହିପରି ଏଠାରେ ପ୍ରସ୍ତାବିତ ଫିଲ୍ମି ସିଟିରେ ଫିଲ୍ମ ନିର୍ମାଣ ଲାଗି ଆବଶ୍ୟକ ସବୁ ପ୍ରକାର ସେଟ୍, ଷ୍ଟୁଡିଓ ଏବଂ ଅତ୍ୟାଧୁନିକ ଏଡିଟିଂ ତଥା ଡବିଂ ସୁବିଧା ଉପଲବ୍ଧ ହେବ । ଅର୍ଥାତ୍ ଏଠାରେ ପ୍ରଯୋଜକମାନଙ୍କୁ ଫିଲ୍ମ ସୁଟିଂଠାରୁ ଆରମ୍ଭ କରି ପୋଷ୍ଟ ପ୍ରଡକ୍ସନ୍ ଯାଏ ଗୋଟିଏ ଜାଗାରେ ସବୁ ପ୍ରକାର ସୁବିଧାସୁଯୋଗ ମିଳିପାରିବ । ଏପରିକି ଫିଲ୍ମ ନିର୍ମାଣ ସଂପର୍କରେ ଛାତ୍ରଛାତ୍ରୀ ଓ ଗବେଷକମାନେ ଏଠାରୁ ଆବଶ୍ୟକ ଜ୍ଞାନ ଅର୍ଜନ ମଧ୍ୟ କରିପାରିବେ । ସୁଟିଂ ପାଇଁ ଅନେକ ଭର୍ଚୁଲ୍ଲ୍ ପାର୍କଠାରୁ ଆରମ୍ଭ କରି ବିମାନବନ୍ଦର, ପ୍ରତିମୂର୍ତି, ମିନିଏଚର୍, ଭୂଚିତ୍ର, ଭଳିକି ଭଳି ରେଷ୍ଟୁରାଂଟ୍, ହୋଟେଲ ଓ ଅନ୍ୟ ସମସ୍ତ ଲୋକେସନ୍ ଏହାରି ମଧ୍ୟରେ ରହିବ । ସେହିପରି ଷ୍ଟାଚୁ୍ୟ ଅଫ୍ ଲିବର୍ଟି ବା ଇଫେଲ୍ ଟାୱାର୍ ଭଳି ଦେଶବିଦେଶର ବିଭିନ୍ନ ସହରରେ ଥିବା ପ୍ରସିଦ୍ଧ ପ୍ରତିକୃତି ମଧ୍ୟ ଏହି ଫିଲ୍ମ ସିଟି ପରିସରରେ ରହିବ ବୋଲି ନିକଟରେ ସୁଜୟ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୁଜୟ କହିଛନ୍ତି ଯେ, କୋଭିଡ୍ ସମୟରେ ସାରା ବିଶ୍ୱରେ ଚଳଚ୍ଚିତ୍ର ନିର୍ମାଣ ବାଧାପ୍ରାପ୍ତ ହୋଇଥିଲା । ତେବେ ଏହି ସମୟରେ ନୂଆ ନୂଆ ୱେବ୍ ସିରିଜ୍ ମାଧ୍ୟମରେ ଦର୍ଶକମାନେ ମନୋରଂଜନର ଖୋରାକ୍ ପାଇଥିଲେ । ଓଡିଶା ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ବଢୁଥିବା ଚାହିଦା ଓ ଲୋକପ୍ରିୟତାକୁ ଦେଖି ଓଡିଶାରେ ମଧ୍ୟ ନିର୍ଦେଶକ ଓ ପ୍ରଯୋଜକମାନେ ଏବେ ୱେବ୍ ସିରିଜ୍ ନିର୍ମାଣ କରୁଛନ୍ତି । ଏଭଳି ନିର୍ଦେଶକ ଓ ପ୍ରଯୋଜକଙ୍କ ପାଇଁ ପ୍ରସ୍ତାବିତ ଫିଲ୍ମ ସିଟି ଆଶାର ଆଲୋକ ସାବ୍ୟସ୍ତ ହେବ ବୋଲି ସୁଜୟ କହିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଫିଲ୍ମ ସିଟି ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଓଡିଶା ପାଇଁ ଲାଭଦାୟକ ହେବ ।

ଚିଲିକାରେ ପ୍ରସ୍ତାବିତ ଏହି ଫିଲ୍ମସିଟିର ମାଷ୍ଟର୍ ପ୍ଲାନ୍ ଅନୁସାରେ, ଏଠାରେ ଚଳଚ୍ଚିତ୍ର ନିର୍ମାଣ, ଷ୍ଟୁଡିଓ, ଆଉଟଡୋର୍ ଲୋକେସନ୍, ପୋଶ୍ଟ ପ୍ରଡକ୍ସନ୍, ସ୍ପେସିଆଲ୍ ଇଫେକ୍ଟ ଷ୍ଟୁଡିଓ, ହୋଟେଲ୍, କ୍ଲବ୍ ହାଉସ୍, ଷ୍ଟାଡିୟମ୍ ସମେତ ଗଲ୍ଫ କୋର୍ସ ମଧ୍ୟ ରହିବ । ସେହିପରି ଗାଁ ଏବଂ ସହରର ସବୁ ପ୍ରକାର ଲୋକେସନ୍ ଏଠାରେ ଉପଲବ୍ଧ ହେବ । ଏଥିସହିତ ଚଳଚ୍ଚିତ୍ର ବିଶ୍ୱବିଦ୍ୟାଳୟ ଓ ବିମାନବନ୍ଦର ଖୋଲିବାର ଯୋଜନା ମଧ୍ୟ ରହିଛି । ଏସବୁ ବାଦ୍ କିଣାବିକା ପାଇଁ ବଜାର ଏବଂ ଫୁଡ୍ କୋର୍ଟ ଇତ୍ୟାଦି ରହିବ । ସୁଜୟଙ୍କ ସୂଚନା ଅନୁସାରେ, ଫିଲ୍ମ ସିଟି ପରିସରରେ ଡର୍ମିଟୋରିଠାରୁ ଆରମ୍ଭ କରି ପଂଚତାରକା ହୋଟେଲ୍ ଯାଏ ବ୍ୟବସ୍ଥା କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରସିଦ୍ଧ ଖାଦ୍ୟ ତଥା ଫିଟନେସ୍ ବିଶାରଦ ଡକ୍ଟର ବିନିତ୍ ମଧ୍ୟ ସୁଜୟଙ୍କ ଏହି ଯୋଜନାରେ ସାମିଲ୍ ହେବେ । ସେ ଓ ତାଂକ ସହଯୋଗୀମାନେ ପ୍ରାକୃତିକ ପଦ୍ଧତିରେ ଖାଦ୍ୟ ପ୍ରସ୍ତୁତ କରିବେ, ଯାହା ଅନ୍ୟତମ ଆକର୍ଷଣ ହେବ । ଜୈବିକ ପଦ୍ଧତିରେ ପ୍ରସ୍ତୁତ ପନିପରିବା ସାଙ୍ଗକୁ ଏଠାରେ ବିଭିନ୍ନ ଆମିଷ ଖାଦ୍ୟପଦାର୍ଥ ଉପଲବ୍ଧ ହେବ । ଡକ୍ଟର ବିନିତ୍ ଓଡିଶାର ଏବଂ ସେ ଏବେ ହାଇଦ୍ରାବାଦରେ ଅବସ୍ଥାନ କରୁଛନ୍ତି ।

ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଥିବା ଏହି ଫିଲ୍ମ ସିଟି ନିର୍ମାଣ ନେଇ ସୁଜୟ ଖୁବ୍ ଶୀଘ୍ର ସରକାରଙ୍କ ସହ ଆଲୋଚନା କରିବେ ଓ ଏହାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇସାରିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault