ଉନ୍ନୟନ କମିଶନରଙ୍କ ଝାରସୁଗୁଡ଼ା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଝାରସୁଗୁଡ଼ା :(ସୁଭାଷ ସହାରେ)-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଦିନିକିଆ ଗସ୍ତରେ ଆସି ଝାରସୁଗୁଡ଼ାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ଶ୍ରୀ ଜେନା ଶିକ୍ଷା , ପାନୀୟ ଜଳ,ସ୍ୱାସ୍ଥ୍ୟ , ବିଦ୍ୟୁତିକରଣ, କ୍ଷୁଦ୍ର ଜଳସେଚନ , ଉଠା ଜଳସେଚନ ,ମତ୍ସ୍ୟ , କୃଷି , ଉଦ୍ୟାନ କୃଷି , ରାସ୍ତା ଓ ସଂଯୋଗୀକରଣ , ବନ୍ଧ ଓ କଟାର ନବୀକରଣ ଏବଂ ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରଦତ୍ତ ଅର୍ଥରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକର ବ୍ୟାପକ ଅନୁଶୀଳନ ସହ ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବିଭିନ୍ନ ବିଭାଗ ସମ୍ମିଳିତ ଭାବରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ପାରମ୍ପରିକ ଚାଷ ପରିବର୍ତ୍ତେ ଅର୍ଥକାରୀ ଫସଲ ଉତ୍ପାଦନ ଦିଗରେ ଯତ୍ନବାନ ହେବା ପାଇଁ ଲୋକେ ଯେପରି ଆଗଭର ହେବେ ସେଥି ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ ସଂକ୍ରମଣକୁ ରୋକିବା ଦିଗରେ ସମ୍ମିଳିତ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ ପୂର୍ବକ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ନିୟମିତ ହାତ ପରିଷ୍କାର ପାଇଁ ସେ କହିଥିଲେ ।

ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ବୈଠକ ପୂର୍ବରୁ ଉନ୍ନୟନ କମିଶନର ଶ୍ରୀ ଜେନା , ଓ ଏମ୍ ବି ଏ ଡି ସି ( odisha mineral bearing areas corporation)ର  ସି ଇ ଓ ଉମା ନନ୍ଦୁରି , ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ବୈଠକରେ ଡି ଏଫ ଓ ଲଳିତ ପାତ୍ର ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ସି ଡି ଏମ୍ ଓ ଲାଲମୋହନ ରାଉତରାୟଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault