ହେଡଲାଇନସ୍:

ଇଏ ପାରି ହେବା ପାଇଁ ଘାଟ ନା ମରଣ ହାଟ : କେତେ ଲୋକ ମଲେ ଚେତିବେ ସରକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୀବିକା ପାଇଁ ଜୀବନ ବାଜି, କେତେବେଳେ ଯିବ ଜୀବନ ହଜି 

ବ୍ୟୁରୋଚିଫ  (ଜୟଶଙ୍କର ଦାଶ):ରାଜ୍ୟରେ ଅନେକ ସ୍ଥାନକୁ ଗମନାଗମନର ସୁବିଧା ନଥିବାରୁ ବିପଦଜନକ ନୌକାଯାତ୍ରା ଚାଲିଥିବା ଦେଖିବାକୁ ମିଳେ । ଏମିତି କିଛି ଅପହଞ୍ଚ ଇଲାକା ରହିଛି ଯେଉଁଠି ଡଙ୍ଗା ହିଁ ଏକମାତ୍ର ମାଧ୍ୟମ । ଯାତାୟାତରେ ସୁବିଧା ନଥିବାରୁ ଲୋକେ ଡଙ୍ଗା ଉପରେ ନିର୍ଭର କରିବାକୁ ବାଧ୍ୟ । ଅନେକ ସ୍ଥାନରେ ଡଙ୍ଗା ବୁଡ଼ି ବହୁ ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି । ନିକଟରେ ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କର ମୃତ୍ୟୁ  ଘଟିଥିଲା । ଖାଲି ଚିଲିକା ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ଏମିତି ଡଙ୍ଗାରେ ଯାତ୍ରୀ ପରିବହନ ହେଉଥିବା ଦେଖିବାକୁ ମିଳେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମୁଖ୍ୟତଃ ତିନୋଟି ଘାଟରେ ବିପଦସଂକୁଳ ଯାତ୍ରୀ ପରିବହନ କରାଯାଉଥିବା ଦେଖିବାକୁ ମିଳିଛି । ବରଜ ବାହାକୁଦ ଘାଟ, ଖରିନାସୀ ଘାଟ ଏବଂ ଜମ୍ବୁ ଘାଟରେ ଦୈନିକ ଶହ ଶହ ଯାତ୍ରୀ ଡଙ୍ଗାରେ ପାରି ହୋଇଥାନ୍ତି । ନଦୀର ଅପରପାଶ୍ୱର୍ରେ ପାରାଦୀପ ବନ୍ଦର ରହିଥିବାବେଳେ ଇଫ୍କୋ  କମ୍ପାନୀ, ଏସାର, ଅଏଲ ରିଫାଇନାରୀ  ପରି ଅନେକ ଶିଳ୍ପସଂସ୍ଥାରେ ମହାକାଳପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ହଜାର ହଜାର ଲୋକ ବରଜ-ବାହାକୁଦ ଫେରିଘାଟରେ ପାରି ହୋଇଥାନ୍ତି । ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ଭୋର ୪ରୁ ରାତି ୧୧ ପର୍ଯ୍ୟନ୍ତ ଏହି ଘାଟରେ ଦୈନିକ ୨ ହଜାର ଲୋକ ନଦୀ ପାର ହେଉଥିବା ଜଣାପଡ଼ିଛି । ଏହି ଘାଟରେ ୨ଟି ଡଙ୍ଗା ଲୋକଙ୍କୁ ନଦୀ ପାର କରିବାରେ ନିୟୋଜିତ ହୋଇଛି । ଏକାଥରକେ ୭୦/୮୦ ଯାତ୍ରୀ ଏବଂ ବାଇକ ମଧ୍ୟ ଡଙ୍ଗାରେ ପାର ହୋଇଥାଏ । ଡଙ୍ଗାରେ ଯେତିକି ଯାତ୍ରୀ ପରିବହନ ହେବା କଥା ତା' ଠାରୁ ଢେର୍ ଅଧିକ ଯାଇଥାନ୍ତି । ଖାଲି ଲୋକ ଯେ ପାରି ହୋଇଥାନ୍ତି ତା' ନୁହେଁ ଏକାସଙ୍ଗେ ୧୦/୨୦ ବାଇକ୍ ମଧ୍ୟ ଏହି ଡଙ୍ଗାରେ ଯାଇଥାଏ । ଏହି ଘାଟରେ ଜଣେ ଲୋକଙ୍କୁ ଘାଟ ପାର ହେବା ପାଇଁ ୫ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଗୋଟିଏ ଗାଡ଼ି ପାଇଁ ୧୫ ଟଙ୍କା ଦେବାକୁ ପଡ଼ିଥାଏ । ଏହି ଘାଟ ପ୍ରତିବର୍ଷ ନିଲାମ ଯାଇଥାଏ । ଚଳିତବର୍ଷ ୨୫ ଲକ୍ଷ ଟଙ୍କାରେ ଏହି ଫେରିଘାଟ ନିଲାମ ଯାଇଥିବା ଜଣାପଡ଼ିଛି । ଏହାକୁ ପ୍ରମୋଦ ସାମନ୍ତରାୟ ନିଲାମ ନେଇଥିବା ପ୍ରକାଶ । ଦୈନିକ ଫେରିଘାଟରୁ ଆଦାୟ ହେଉଥିବା ଅର୍ଥ ପଞ୍ଚାୟତ ହାତକୁ ଯାଇଥାଏ । ଏହି ଘାଟରେ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆଯାଇନାହିଁ । ଡଙ୍ଗାର ରେଜିଷ୍ଟ୍ରେସନ , ଲାଇଫ୍ ଜ୍ୟାକେଟ୍, ନୋଟିସ ବୋର୍ଡ ଏବଂ ଇନ୍ସ୍ୟୁରାନ୍ସ  ମଧ୍ୟ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯଦି ଚିଲିକା ପରି ଏହି ଘାଟରେ କେବେ ଡଙ୍ଗାବୁଡ଼ି ହୁଏ ତେବେ ଏଥିପାଇଁ ଦାୟୀ କିଏ? ନିଲାମଧାରୀ ନା ପ୍ରଶାସନ ନା ସରକାର? ଅନ୍ୟପକ୍ଷରେ ଚିଲିକା ଡଙ୍ଗାବୁଡ଼ିପରେ ସରକାର ସ୍ଥାନୀୟ ତହସିଲ ପ୍ରଶାସନକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ  ଦେଇଛନ୍ତି । ତହସିଲଦାର କୁହନ୍ତି, ଯାଞ୍ଚ ପ୍ରକ୍ରିୟା  ଚାଲୁ ରହିଛି । ଏଥିରେ ତ୍ରୁଟି ବିଚୁ୍ୟତି ଥିଲେ ନିଲାମଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯିବ । ପ୍ରଶ୍ନ ଉଠୁଛି ଯାଞ୍ଚ କରାଯିବା ପରେ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ନେବ? ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଆଜିପର୍ଯ୍ୟନ୍ତ ନିଆଯାଇନାହିଁ କାହିଁକି? ଯାଞ୍ଚ କରାଯିବା ମଧ୍ୟରେ ଯଦି କୌଣସି ଅଘଟଣ ଘଟିଲା ତେବେ ଏଥିପାଇଁ କିଏ ଦାୟୀ ରହିବ ।

ଭଗବାନ ନକରନ୍ତୁ କିଛି ଅଘଟଣ ନଘଟୁ, କେଲେ କେତେବେଳେ କଣ ହେବ କିଏ କହି ପାରିବ | ଟିକେ ସତର୍କ ହେବାକୁ ପ୍ରଶାସନର ହାଟ କିଏ କଣ ବାନ୍ଧି ରଖିଛି | ନା ...କିଛି ଘଟିଲାପରେ କିଛି ଲୋକଙ୍କ ଆରପାରିକୁ ଟିକଟ କଟିଲା ପରେ ସରକାର ଚେତିବେ !!!!!!

 

 

0
0
0
s2sdefault