ହେଡଲାଇନସ୍:

"ଏବେବି ରହିଛି ବନାଗ୍ନି, ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କ୍ଷେତ୍ର ଅନୁଧ୍ୟାନ କରି ସ୍ଥିତି ପରଖିଲା ବିଜେପିର ୧୨ ଜଣିଆ ପ୍ରତିନିଧି ଦଳ

ବାରିପଦା,(ଦିଲ୍ଲୀପ ମହାନ୍ତି):ଏଥର ଶିମିଳିପାଳ ନିଆଁରେ ତାତିପାରେ ବିଧାନସଭା ଅଧିବେଶନ। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ୧୨ଜଣିଆ ପ୍ରତିନିଧି ଦଳ ବାରିପଦା ପଟୁ ଶିମିଳିପାଳକୁ ପଶିବା ସହିତ ଯଶୀପୁରରେ ବାହାରିଥିଲା। ଏକାଧିକ ସ୍ଥାନ ପରିଦର୍ଶନ କରିସାରି ଯଶୀପୁରେ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହି ଅବସରରେ ବନାଗ୍ନି ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା କହିଛି ପ୍ରତିନିଧି ମଣ୍ଡଳୀ। ବିଶୋଇ ନିକଟସ୍ଥ ରାଜପଥ ଉପରେ ଛିଡ଼ାହେଲେ ଶିମିଳିପାଳ ଜଙ୍ଗଲର ଉପରିଭାଗରେ ନିଆଁ ଏବେବି ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବଡ଼ସାହି ବିଧାୟକ ତଥା ପ୍ରତିନିଧି ମଣ୍ଡଳୀରେ ସଦସ୍ୟ ଥିବା ସନାତନ ବିଜୁଳି ପ୍ରକାଶ କରିଛନ୍ତି। ସେହିପରି ଏସ୍ଟିଆର ଓ ବନବିଭାଗ ଅଧିକାରୀଙ୍କ ଅପାରଗତା କାରଣରୁ ବନାଗ୍ନି ନିୟନ୍ତ୍ରଣ ହୋଇପାରିନଥିବା ବିଜେପି ନେତୃବୃନ୍ଦ ସିଧାସଳଖ ଦୋଷାରୋପ କରିଛନ୍ତି। ସେହିପରି ଅଯଥାରେ ସ୍ଥାନୀୟ ଲୋକଙ୍କ ଉପରେ ଦୋଷ ଲଦି ବିଭାଗୀୟ ଅଧିକାରୀମାନେ ଖସିଯିବାକୁ ବସିଥିବା କହିଛନ୍ତି ଶ୍ରୀ ବିଜୁଳି। କାମ୍ପା ଫଣ୍ଡ୍ରେ ଆସୁଥିବା ଶହ ଶହ କୋଟିକୁ ହରିଲୁଟ୍ କରି ଖାଇବାକୁ ବିଭାଗୀୟ ଅଧିକାରୀଙ୍କର ଏହି ନିଆଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି। ଏହାକୁ ନେଇ କ୍ରମଶଃ ପ୍ରଶମିତ ହେଉଥିବା ବନାଗ୍ନିର ତାତି ପୁଣି ବଢ଼ିବାରେ ଲାଗିଛି। ଶୀତଳ ହେଉଥିବା ପରିବେଶରେ କିନ୍ତୁ ବଢ଼ୁଛି ରାଜନୈତିକ ତାତି। ପ୍ରଥମେ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଶିମିଳିପାଳ ଗସ୍ତ କରିଥିଲେ। ବନାଗ୍ନିର ସତ ପରଖିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଜିଲ୍ଲା ବିଜେଡିର ଏକ ବୃହତ୍ ଟିମ୍ ନିଆଁ ଲିଭାଇବାକୁ କରିଥିଲା ବ୍ୟାପକ ଅଭିଯାନ। ଏପରିକି ଖୋଦ୍ ପ୍ରଣବ ପ୍ରକାଶ ବନାଗ୍ନି ପ୍ରଭାବିତ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ସ୍ଥାନୀୟ ଅଧିବାସୀ ମହୁଲ ଫୁଲ ଏବଂ ଅନ୍ୟାନ୍ୟ ବନ୍ୟଜାତ ସାମଗ୍ରୀ ପାଇଁ ନିଆଁ ଲଗାଉଥିବା ଘଟଣା ମଧ୍ୟ ସମ୍ପୂର୍ଣ୍ଣ ସତ ନୁହେଁ। କାରଣ ଏପରି ଅନେକ ସ୍ଥାନରେ ନିଆଁ ଲାଗିଛି ଯେଉଁଠି ମହୁଲ ଫୁଲର ପ୍ରଶ୍ନ ମଧ୍ୟ ନାହିଁ।

ତେଣୁ ସ୍ଥାନୀୟ ଅଧିବାସୀଙ୍କ ସହିତ ସମ୍ପର୍କ ନରଖି କେବଳ ଉପରଠାଉରିଆ ଭାବେ କାମ କରୁଥିବା ବିଭାଗୀୟ ଅଧିକାରୀମାନେ ଶିମିଳିପାଳ ନିଆଁ ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେପି ପ୍ରତିନିଧି ଦଳର ମୁଖ୍ୟ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି। ଜଙ୍ଗଲ ଭିତରକୁ ଯିବା ପୂର୍ବରୁ ଆରସିସିଏଫ୍ ଯୋଗ ଜୟାନନ୍ଦ ଏବଂ ବାରିପଦା ଡିଏଫଓ ସନ୍ତୋଷ କୁମାର ଯୋଶୀଙ୍କ ସହିତ ସ୍ଥାନୀୟ ସର୍କିଟ୍ ହାଉସ୍ରେ ଆଲୋଚନା କରିଥିଲେ ପ୍ରତିନିଧି ଦଳର ସଦସ୍ୟଗଣ। ଏହା ପରେ ଶିମିଳିପାଳ ଭିତରକୁ ପ୍ରବେଶ କରିଥିଲେ। ବରିଷ୍ଠ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଧାୟକ ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଷ ରାମ ଖୁଂଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ବୁଢ଼ାନ ମୁର୍ମୁ, ସନାତନ ବିଜୁଳି,  ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲାରୁ ଏହି ପ୍ରତିନିଧି ଦଳରେ ସମସ୍ତ ୬ ବିଧାୟକଙ୍କ ସମେତ ଜିଲ୍ଲାପରିଷଦ ସଭାପତି ଏବଂ ଉପସଭାପତି ମଧ୍ୟ ସାମିଲ ଅଛନ୍ତି। ତେବେ ଶିମିଳିପାଳ ନିଆଁକୁ ନେଇ ଜିଲ୍ଲାର ଅଗ୍ରଣୀ ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲା ବନ୍ଦ ମଧ୍ୟ ହୋଇସାରିଛି। ପିସିସିଏଫଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସଚିବ ଏବଂ କେନ୍ଦ୍ରୀୟ ଟିମ୍ ମଧ୍ୟ ଜିଲ୍ଲାଗସ୍ତ କରିସାରିଲେଣି। ଯାହାକି ଶିମିଳିପାଳକୁ ଏବେ ସବୁଠି ଚର୍ଚ୍ଚାରେ ରଖିଛି। 

0
0
0
s2sdefault