ହେଡଲାଇନସ୍:

  " ଟଳିନି ବିପଦ, ଆସନ୍ତୁ ସତର୍କତା ପାଳି ସୁରକ୍ଷିତ ରହିବା "      

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : "ଆମେ କରୋନା ମୁକ୍ତ ହୋଇ ଭଲ ସ୍ଥିତିରେ ଅଛେ | ହେଲେ ଆଜି ବି ସଂକ୍ରମଣ ଆଶଙ୍କା ଟଳିନି |  ଆମେ ଟିକିଏ ଅସତର୍କ ହେଇଗଲେ ପୁଣି ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହୋଇଯିବ | ତେଣୁ ଆମ ପାଇଁ ବର୍ତ୍ତମାନ ପରିସ୍ଥିତିରେ ସତର୍କତା ଅପରିହାର୍ଯ୍ୟ | ଆମେ ସତର୍କ ରହି ନିଜକୁ ସୁରକ୍ଷିତ ରଖିବା ସହ ସମସ୍ତଙ୍କୁ ବିପଦମୁକ୍ତ ରଖିପାରିବା | ଲକ୍‍ଡାଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି | ତେଣୁ କୌଣସି ପରିସ୍ଥତିରେ ଲକ ଡାଉନ ପରିସ୍ଥିତିକୁ ଏଡ଼ାଇବା ପାଇଁ ଆମକୁ ସତର୍କ ରହିବାକୁ ପଡିବ ଓ କୋଭିଡ଼ ନିୟମ ପାଳନ କରିବାକୁ ପଡିବ " ବୋଲି ଆଜି କୋଭିଡି ସମ୍ପର୍କରେ ସାନି ଭିଡିଓ ଜାରି କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ରବାର୍ତ୍ତା ରଖିଛନ୍ତି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ | 

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି  "ଆପଣମାନଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି  । ଏ ଦିଗରେ ଆମ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି  । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି  । ଶୂନ୍ୟ ସଂକ୍ରମଣ ଆମର ଲଖ୍ୟ  । ମୁଁ ଆଗରୁ କହିଛି, ଏବେ ମଧ୍ୟ ପୁଣି ଥରେ କହୁଛି ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍‍ ନୂହେଁ  କାରଣ ବିପଦ ଏବେ ବି ଟଳି ନାହିଁ  ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି  । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‍ଡାଉନ୍‍ ପୁଣି ଫେରିଛି  । ଲକ୍‍ଡାଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି  । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି  । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି  । ଆମେ କେହି ଲକ୍‍ଡାଉନ୍‍କୁ ଫେରିବାକୁ ଚାହୁଁ ନାହୁଁ  । ଆଉ ଲକ୍‍ଡାଉନ୍‍କୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା  । ଆମେ ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ  । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼୍‍ ଗାଇଡ୍‍ଲାଇନ୍‍କୁ କଡ଼ା କଡ଼ି ଭାବରେ ପାଳନ କରିଚାଲିବା  ।" 

ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି "ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା  । ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା  । ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା  । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ  । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ  ।  ବର୍ତ୍ତମାନ କରୋନା ପାଇଁ ଟୀକା କରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି  । ଏ ଦିଗରେ ମୁଁ  ଆପଣମାନଙ୍କର ସହଯୋଗ କାମନା କରୁଛି  । 

କରୋନା ବିରୁଦ୍ଧରେ ଆମର ଲଢେ଼ଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ  । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ  । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ  । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ  ଶ୍ରଦ୍ଧାଞ୍ଚଳି  ।

କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସ୍‍ କୁ ନିର୍ଦ୍ଦେଶ  ଦେଇଛି  । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି  । ଆପଣମାନେ ମୋର ଅନୂରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ  । ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା  । "

 

0
0
0
s2sdefault