ହେଡଲାଇନସ୍:

"ଶିମିଳିପାଳ ନିଆଁ :  ପିସିସିଏଫ ଓ ରାଜ୍ୟ ସରକାର ମିଛ କହିଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବବିବିଧତା ଆଜି ସଙ୍କଟରେ

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ, ସୋର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ସତ୍ୟଶିବ ଦାସ, ମମତା କୁଣ୍ଡୁ ଓ ମହେନ୍ଦ୍ର ନାଏକ ପ୍ରମୁଖଙ୍କୁ ନେଇ ଗଠିତ ଏକ ୬ ଜଣିଆ ସତ୍ୟ ଅନୁସନ୍ଧାନକାରୀ ଟିମ ଶିମିଳିପାଳ ପରିଦର୍ଶନରେ ଆସି ପ୍ରଥମେ ବାରିପଦା ବନଖଣ୍ଡ ଅଧୀନ ପିଠାବଟା, ଜ୍ୟୋତିପୁର, ଲକ୍ଷ୍ମୀପୋଷି, କୁଚିଳାଘାଟୀ, ଗୁଡ଼ିପୋଖରୀ ଓ ସୀତାକୁଣ୍ଡ ଆଦି ବିଭିନ୍ନ ଅଞ୍ଚଳ ଗସ୍ତରେ ଯାଇ ଜଙ୍ଗଲ ଓ ବିଭିନ୍ନ ଗ୍ରାମ ପରିଦର୍ଶନ କରି ନିଜ ଆଖିରେ କେଉଁଠି ନିଆଁ ଲାଗିଛି ଓ ଲିଭାଯାଇଛି ଦେଖିବା ସହିତ ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧି, ଜଙ୍ଗଲ ସୁରକ୍ଷା କମିଟି, ବନ ସୁରକ୍ଷା ସମିତି, ମୟୂରଭଞ୍ଜ ଜଙ୍ଗଲ ସୁରକ୍ଷା ମଞ୍ଚ, ବୁଦ୍ଧିଜୀବୀ ଓ ପରିବେଶବିତ୍ମାନଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କ ନିକଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ ଆଜି ବାରିପଦାସ୍ଥିତ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଛି ଓ ଏହା ନିୟନ୍ତ୍ରଣାଧୀନ ରହିଥିବା ବିଷୟକୁ ନେଇ ପିସିସିଏଫ ଶଶୀ ପଲ ସମ୍ପୂର୍ଣ୍ଣ ଭାବେ ମିଛ କହିଛନ୍ତି । ଏଥି ସହିତ ଓଡ଼ିଶା ସରକାର ମଧ୍ୟ ମିଛ କହିଛନ୍ତି । ଗତକାଲି ଯେତିକି ଅଞ୍ଚଳରେ ନିଆଁ ଜଳୁଥିଲା ଆଜି ତାଠାରୁ ଅଧିକ ଅଞ୍ଚଳକୁ ବ୍ୟାପି ଯାଇଥିବାର ଚିତ୍ର ନାସା ସେଟଲାଇଟରୁ ପରିଲକ୍ଷିତ ହୋଇଛି ବୋଲି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଟିମର ସଦସ୍ୟ ତଥା କଂଗ୍ରେସର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି । ସେହିପରି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଆଜି ସଙ୍କଟରେ । ଏହା ସ୍ଥାନୀୟ ଅଥବା ରାଜ୍ୟସ୍ତରୀୟ ସମସ୍ୟା ନୁହେଁ, ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ପରିସରକୁ ଆସିଯାଇଛି । ସେହିପରି ଶିମିଳିପାଳର ସୁରକ୍ଷା କ୍ଷେତ୍ରରେ ବନ ବିଭାଗ ଓ ରାଜ୍ୟ ସରକାର ଏହାର ସୁରକ୍ଷା ପ୍ରତି ଅଣଦେଖା କରିଆସୁଥିବାରୁ ଏହି ପ୍ରକାରର ବିପତ୍ତି ମାଡ଼ିଆସିଛି । ଶିମିଳିପାଳ ଅଭୟାରଣ୍ୟରେ କେଉଁ କାରଣରୁ ନିଆଁ ଲାଗୁଛି ସେ ସମ୍ପର୍କରେ ଅନୁସନ୍ଧାନ କରିବା ପରେ ଜଙ୍ଗଲରୁ ମହୁଲ ସଂଗ୍ରହ, କାଠମାଫିଆମାନଙ୍କ ଦ୍ୱାରା ମୂଲ୍ୟବାନ କାଠ ଏବଂ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରିବା ଉଦେ୍ଧଶ୍ୟରେ ଜାଣିଶୁଣି ନିଆଁ ଲଗାଉଥିବାର ଜଣାପଡ଼ିଛି । ତେବେ ବନ ବିଭାଗର ପଦାଧିକାରୀ ଓ ଅଧିକାରୀ ଜଙ୍ଗଲ ସୁରକ୍ଷା କମିଟି, ବନ ସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଲିଭାଉଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଅଣଦେଖା କରାଯାଉଛି । ପୁଣି ଜଙ୍ଗଲ ସୁରକ୍ଷା ସହାୟକ ନିଯୁକ୍ତିରେ ଅପରିପକ୍ୱତାକୁ ମଧ୍ୟ ଉତ୍ତରଦାୟୀ କରିଛନ୍ତି । ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନ ଦେଇ ଜଙ୍ଗଲ ବିଷୟରେ ଅନଭିଜ୍ଞ ବାହାର ଜିଲ୍ଲାର ନିଜର ଆତ୍ମୀୟ ସ୍ୱଜନ ଆଦି ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ସେମାନେ ନିଜର ଦାୟିତ୍ୱ ନିର୍ବାହ କରିବାରେ ସଫଳ ହୋଇ ପାରୁନାହାନ୍ତି । ଶିମିଳିପାଳ ଜଳୁଥିବା ବେଳେ ୬ ଜଣ ଜଙ୍ଗଲ ସୁରକ୍ଷା ସହାୟକ ଡେ଼ପୁଟୀ ଡ଼ାଇରେକ୍ଟରଙ୍କ ଘରେ ଲୁଗା ସଫା କରିବା, ବାସନ ମାଜିବା ରୋଷେଇ ଆଦି ବିଭିନ୍ନ କାର୍ଯ୍ୟରେ ଲାଗିଛନ୍ତି । ବନ ବିଭାଗର ପଦାଧିକାରୀ ଓ ଅଧିକାରୀମାନେ ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ୬ଶହ କିଲିମିଟର ମୋରମ ରାସ୍ତା ରହିଥିବା ବେଳେ ପ୍ରତ୍ୟେକ କିଲୋମିଟର ମୋରମ ବିଛାଇବା ବାବଦରେ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏହାର ନିର୍ମାଣ କାର୍ଯ୍ୟରେ ଜଙ୍ଗଲ ସୁରକ୍ଷା ସହାୟକମାନଙ୍କୁ ନିୟୋଜିତ କରାଯାଉଛି । ପୁଣି ଠିକାକାର୍ଯ୍ୟ ବନ ବିଭାଗର ପଦାଧିକାରୀ ଓ ଅଧିକାରୀମାନଙ୍କ ସମ୍ପର୍କୀୟ ଅଥବା ପାଖ ଲୋକ ଓ ଏଜେଣ୍ଟମାନଙ୍କୁ ଦିଆଯାଉଛି । କୋର ଏରିଆ ନିଷିଦ୍ଧାଞ୍ଚଳ ହୋଇଥିବାରୁ ବନ ବିଭାଗ ପାଇଁ ଦୁଧିଆଳି ଗାଈ ସାବ୍ୟସ୍ତ ହୋଇଛି । ସରକାରୀ ଅନୁଦାନକୁ ସିଧାସଳଖ ଭାବେ ହରିଲୁଟ ଚାଲିଛି । ଆମର ଏହି ଗସ୍ତ ନୂଆ ରାସ୍ତା ଦେଖାଇ ଦେଇଛି । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଏକ ରାଜନୈତିକ ଦଳ ହିସାବରେ ଓ ନୈତିକତା ଦୃଷ୍ଟିକୋଣରୁ କିଛି ଗୁରୁଦାୟିତ୍ୱ ରହିଛି । ଶିମିଳିପାଳ ବନ ବିଭାଗ ଅଥବା ସରକାରଙ୍କ ସମ୍ପଦ ନୁହେଁ , ଏହା ଜାତୀୟ ସମ୍ପତ୍ତି । ତେଣୁ ଆଜି ଯଶୀପୁର ଓ କରଞ୍ଜିଆ ଆଦି ଅଞ୍ଚଳ ଗସ୍ତ ଶେଷ କରି ଟିମ୍ ତାର ରିପୋର୍ଟ ପିସିସି ସଭାପତି ଶ୍ରୀପଟ୍ଟନାୟକଙ୍କୁ ହସ୍ତାନ୍ତର କରିବା ପରେ ଦଳ ଶିମିଳିପାଳ ସୁରକ୍ଷା ଦିଗରେ ନୀରବଦ୍ରଷ୍ଟା ନ ସାଜି ଏହାର ସୁରକ୍ଷା ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଦାସ ସୂଚନା ଦେଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଟିମର ସଦସ୍ୟ ସୋର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ସତ୍ୟଶିବ ଦାସ, ମମତା କୁଣ୍ଡୁ ଓ ମହେନ୍ଦ୍ର ନାଏକ ପ୍ରମୁଖଙ୍କ  ସମେତ ମହିଳା ନେତ୍ରୀ ସସ୍ମୀତା ଘୋଷାଲ, ସହର ସଭାପତି ସାନ୍ତନୁ ପାଲ, ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault