ହେଡଲାଇନସ୍:

ନିଜେ ଅସଜଡ଼ା ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚ, ଅନ୍ୟକୁ ନ୍ୟାୟ ଦେବ କଣ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାହାନ୍ତି ସଭାପତି ଓ ପୁରୁଷ ସଦସ୍ୟ, କୋରମ ଅଭାବରୁ ଅଦାଲତ କାର୍ଯ୍ୟ ଠପ୍

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ନାହାନ୍ତି ସଭାପତି ଓ ପୁରୁଷ ସଦସ୍ୟ । କେବଳ ମହିଳା ସଦସ୍ୟା ଅନାମିକା ସୋରେନଙ୍କୁ ନେଇ ଚାଲିଛି ମଞ୍ଚର କାମକାର୍ଯ୍ୟ ।  ଫଳରେ ମାମଲାର ଫଏସଲା ପାଇଁ ଆବଶ୍ୟକ ସଂଖ୍ୟକ  କୋରମ ଅଭାବରୁ ଅଦାଲତର କାମକାର୍ଯ୍ୟ ଠପ୍ ହୋଇ ପଡ଼ିଛି । ପୂର୍ବରୁ ନରେନ୍ଦ୍ର କୁମାର ପ୍ରଧାନ ସଭାପତି , ବେଣୁଧର ସାହୁ ପୁରୁଷ ସଦସ୍ୟ ଓ ଅନାମିକା ସୋରେନ ମହିଳା ସଦସ୍ୟା ଭାବେ ଖାଉଟି ଅଦାଲତରେ ରୁଜୁ ହେଉଥିବା ମାମଲାଗୁଡ଼ିକର ବିଚାର କରିଆସୁଥିଲେ । ଏହି ସମୟରେ ନରେନ୍ଦ୍ର କୁମାର ପ୍ରଧାନ ସଭାପତି ଦାୟିତ୍ୱରୁ ଅବସର ନେବା ପରେ ପୁରୁଷ ସଦସ୍ୟ ବେଣୁଧର ସାହୁ ଭାରପ୍ରାପ୍ତ ସଭାପତି ଭାବେ ୨୦୧୮ ଅକ୍ଟୋବର ୧୫ଠାରୁ ଦାୟିତ୍ୱ ସମ୍ଭାଳି ଆସୁଥିଲେ; ମାତ୍ର ସଭାପତି ଶ୍ରୀ ସାହୁ ୨୦୨୧ ଜାନୁଆରୀ ୨୫ରେ ଅବସର ନେବା ପରେ ଉଭୟ ପୁରୁଷ ସଦସ୍ୟ ଓ ସଭାପତି ଆସନ ଖାଲି ପଡ଼ି ରହିଛି । ସରକାର ସଭାପତି ଓ ପୁରୁଷ ସଦସ୍ୟଙ୍କୁ ନିଯୁକ୍ତି ଦେଇ ପାରି ନ ଥିବାରୁ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ କୌଣସି ମାମଲାରୁ ବିଚାର ହୋଇ ପାରି ନାହିଁ । ଯାହାଫଳରେ ୨୦୨୦ ଡ଼ିସେମ୍ବର ୩୧ ସୁଦ୍ଧା ୧୭୯ଟି ମାମଲା ବିଚାରାଧୀନ ରହିଥିବାର ଜଣାପଡ଼ିଛି । ୨୦୧୫ ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ମୋଟ ୪୮ ମାମଲା ଫଏସଲା ପାଇଁ ରହିଥିଲା । ଏହାପରେ ୨୦୧୬ରେ ୫୫ଟି, ୨୦୧୭ରେ ୪୭ଟି, ୨୦୧୮ରେ ୨୭ଟି , ୨୦୧୯ରେ ୪୧ଟି ଏବଂ ୨୦୨୦ରେ ୪୦ ଗୋଟି ଏହିପରି ୫ ବର୍ଷରେ ମୋଟ ୨୧୦ଟି ମାମଲା ରୁଜୁ ହୋଇଥିବା ସମୟରେ ଖାଉଟି ଅଦାଲତରେ ସର୍ବମୋଟ ୨୫୮ଟି ମାମଲା ରହିଥିଲା । ଏହା ମଧ୍ୟରୁ ୧୭୯ଟି ମାମଲା ଫଏସଲା ହୋଇ ସାରିଥିବା ବେଳେ ୭୯ଟି ମାମଲା ଫାଏସଲା ହୋଇ ପାରି ନାହିଁ । ଏଣୁ ଓଡ଼ିଶା ସରକାର ଅବିଳମ୍ବେ ସଭାପତି ଓ ପୁରୁଷ ସଦସ୍ୟ ନିଯୁକ୍ତି ପ୍ରଦାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କଲେ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ଫଏସଲା ପାଇଁ ରହିଥିବା ୭୯ଟି ମାମଲାର ତ୍ୱରିତ ସମାଧାନ ସମ୍ଭବ ହୋଇ ପାରନ୍ତା । 

 

  

0
0
0
s2sdefault