ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-: କୋଭିଡର ଦ୍ଵିତୀୟ ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲା ବ୍ୟାପୀ  ଏନଫୋର୍ସମେଣ୍ଟ  ପାଇଁ ମାଜିଷ୍ଟ୍ରେଟ , ପୁଲିସ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ୧୭ଟି ସ୍କ୍ବାର୍ଡ ଗଠନ କରାଯାଇଛି ।  ମାସ୍କ ପରିଧାନ , ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର ଭଳି ସର୍ବନିମ୍ନ ନିୟମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ  ଜନଗହଳିପୂର୍ଣ ସ୍ଥାନମାନଙ୍କରେ ଡ଼ାକବାଜି ଯନ୍ତ୍ର ଯୋଗେ  ପ୍ରଚାର କରାଯାଉଛି । ସରକାରୀ କାର୍ଯ୍ୟାଳୟ , ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ କୋଭିଡ ପ୍ରୋଟୋକଲ ନିଶ୍ଚିତ ପାଳନ କରାଇବା ପାଇଁ କୋଭିଡ ନିୟମ ଅନୁପାଳନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପାନୁଷ୍ଠାନମାନଙ୍କର ସପ୍ତାହନ୍ତ ଓ ଶିଳ୍ପାନୁଷ୍ଠାନମାନଙ୍କର ପ୍ରତିଦିନର କୋଭିଡ ଅନୁପାଳନ ସମ୍ପର୍କିତ   ବିବରଣୀ  ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ ପାଇଁ ଏହି ଅନୁପାଳନ ଅଧିକାରୀ ( covid compliance  officer) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ନିର୍ଦ୍ଧାରିତ କୋଭିଡ ନିୟମ ଅନୁପାଳନ ପୂର୍ବକ ସାମାଜିକ , ଧାର୍ମିକ , ସାଂସ୍କୃତିକ , ଶୈକ୍ଷିକ , ଆମୋଦ ପ୍ରମୋଦ ଓ କ୍ରୀଡ଼ା ସମ୍ବଧୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଉଛି । ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ନିୟମିତ ବିଶୋଧନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ଵାରା  ନିଜ ନିଜ ସ୍ତରରେ ଗଠିତ ସ୍କ୍ବାଡ଼ମାନ ସଂପୃକ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଅତର୍କିତ ପରିଦର୍ଶନ କରି ନିୟମିତ ବିଶୋଧନ ହେଉଛି କି ନାହିଁ ତାର ସ୍ଥିତି ଅନୁଧ୍ୟାନ କରିବେ । ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଏହି ମର୍ମରେ ସତର୍କ ମଧ୍ୟ କରାଇ ଦିଆଯାଇଛି । ଗଠନ କରାଯାଇଥିବା ସ୍ୱତନ୍ତ୍ର ସ୍କ୍ବାର୍ଡ ମାର୍କେଟ ବ୍ୟତୀତ ହୋଟେଲ , ରେଷ୍ଟୁରାଣ୍ଟ , ଢ଼ାବା ଓ ରାସ୍ତାକଡ଼ରେ ଥିବା ଉଠା ଜଳଖିଆ ଦୋକାନ ତଥା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ପରିଦର୍ଶନ କରିବେ । ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ସମେତ ସ୍ୱତନ୍ତ୍ର ଭାବରେ ନିୟୋଜିତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ଅତର୍କିତ ପରିଦର୍ଶନରେ ଯିବେ । ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋଭିଡ ନିୟମ ଅନୁପାଳନ ସମ୍ପର୍କରେ ସୂଚନା ଦେବା ସହ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ସି ବେହେରା ଓ ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡା ଉପସ୍ଥିତ ଥିଲେ ।

 

0
0
0
s2sdefault