ହେଡଲାଇନସ୍:

ଆନ୍ତଃ ଜିଲା ପି.ସି ବେହେରା ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତା : ଭୁବନେଶ୍ବର(ଏ) ଦଳ ଚମ୍ପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା/ ସୁବାସ ସାହାରେ : ଝାରସୁଗୁଡ଼ା ମିନି ଷ୍ଟାଡିୟମରେ ଚାଲିଥିବା ଆନ୍ତଃ ଜିଲା ପି.ସି ବେହେରା ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁବନେଶ୍ବର(ଏ) ଦଳ ଚମ୍ପିଆନ ହୋଇଛି । କଟକ ଓ ଭୁବନେଶ୍ବର ମଧ୍ୟରେ ରବିବାର ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ବେଶ୍ ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇ ନ ଥିଲେ । ଏଣୁ ଫଳାଫଳ ସକାଶେ ଟାଇବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ ଭୁବନେଶ୍ୱର ୬ -୫  ଗୋଲରେ ବିଜୟୀ ହୋଇଥିଲା ।

ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ଭୁବନେଶ୍ୱରର ସୁଭଦ୍ରା ସାହୁଙ୍କୁ ଗୋଲ୍ଡେନ ବୁଟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଲୋଚନା ମୁଣ୍ଡାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ, କଟକର ସସ୍ମିତା ପରିଡା ଶ୍ରେଷ୍ଠ ଗୋଲ କିପର, ଭୁବନେଶ୍ୱରର ମନିସା ପାନ୍ନା ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଭାବରେ ପୁରସ୍କୃତ ହୋଇଥିବା ବେଳେ ସତ୍ୟବତୀ ଖଡିଆ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇ ପୁରସ୍କୃତ ହୋଇଥିଲେ । ଫାଇନାଲ ଖେଳକୁ ପି.ରାଜେଶ୍ୱର ରାଓ, ଅମିରା ପ୍ରଧାନ, ବିଚିତ୍ରା ପ୍ରଧାନ, ଶଶିକାନ୍ତ ଦଶରିଆ, କାପୁରା ମୁରମୁ ଓ ରାଜ୍ୟ ମହିଳା ଫୁଟବଲ ଚୟନକର୍ତ୍ତା କଳ୍ପନା ବେହେରା ପରିଚାଳନା କରିଥିବା ବେଳେ ଫୁଟବଲ ଆସୋସିଏସନ ଓଡିଶାର ରବି ମହାପାତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଳାଇଥିଲେ ।  ଆଜିର ଉଦ୍‌ଯାପନୀ ସମାରୋହରେ ଝାରସୁଗୁଡା ଜିଲାପାଳ ତଥା ଜିଲା କ୍ରୀଡା ସଂଘର ସଭାପତି ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇଥିବା ବେଳେ  ସମ୍ମାନୀୟ ଅତିଥି ଭାବରେ  ଓଡିଶା ଫୁଟବଲ ଆସୋସିଏସନର କୋଷାଧକ୍ଷ ଭକ୍ତବଲ୍ଲଭ ଦାସ, ସହ-ସଂପାଦକ ବିଶ୍ୱରଞ୍ଜନ ଘଡେଇ, ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ, ଝାରସୁଗୁଡ଼ା ଏସ.ପି  ବିକାଶ ଦାସ, ଓ.ଏସ୍.ଏପିର ଦୁର୍ଗପତି ମନୋଜ ପୁରୋହିତ ଯୋଗ ଦେଇଥିଲେ ।

ଝାରସୁଗୁଡ଼ା ଝାରସୁଗୁଡ଼ା ଜିଲା କ୍ରୀଡା ଅଧିକାରୀ ସୁଶୀଲ ମିଶ୍ର, ଝାରସୁଗୁଡ଼ା ଜିଲା କ୍ରୀଡା ସଂଘର କାର୍ଯ୍ୟକରୀ ସଭାପତି ବିଜୟ ବେହେରା, ଉପ-ସଭାପତି ଜୀବନ ମହାନ୍ତି, କୋଷାଧକ୍ଷ ଗଣେଷ ନାୟକ, ସହ-ସଂପାଦକ ପ୍ରଜ୍ବଳ ପଟେଲ, ଫୁଟବଲ ସଂପାଦକ  ସୁଶାନ୍ତ ମହାନ୍ତି, କ୍ଳେମେଟ ରୋନାଲ୍ଡ (ସୋନୁ), ମନୋଜ ଦାସ, ବିଜୟ ଦାସ, ପ୍ରଶାନ୍ତ ଜେନା, ଶରତ ତ୍ରିପାଠୀ, ସତପାଲ ସିଂ, ଜଗ୍ନନାଥ ରାଓ, ମଙ୍ଗଳ ଓରାମ ଏବଂ ଓଡିଶା କ୍ରିକେଟ ସଂଘର ସହ ସଂପାଦକ ମେହେତାବ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଝାରସୁଗୁଡା ଜିଲା କ୍ରୀଡା ସଂଘ ଏବଂ ଓଡିଶା ଫୁଟବଲ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଗତ ୧୫ ତାରିଖରୁ ସ୍ଥାନୀୟ ମିନି ଷ୍ଟାଡିୟମ ଓ  ପ୍ୟାରେଡ ପଡିଆରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲାରୁ ୨୦ଟି ଦଳ ଭାଗ ନେଇଥିଲେ ।

0
0
0
s2sdefault