ହେଡଲାଇନସ୍:

ସଘନ ମିଶନ ଇନ୍ଦ୍ରଧନୁଷ୍ ୩.୦  ଫେବୃୟାରୀ ୨୨ରୁ : ଦୁଇଟି ପର୍ଯ୍ୟାୟରେ ଚାଲିବ ଅପ୍ରେଲ ୯ ତାରିଖ ପର୍ଯ୍ୟନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାର ଓ ଓଡିଶା ସରକାରଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ଆସନ୍ତା ୨୨ ଫେବୃଆରୀ ଦିନ ସଘନ ମିଶନ ଇନ୍ଦ୍ରଧନୁସ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଏହି ଅବସରରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ , ଜାତୀୟ ସାମଗ୍ରିକ ଟୀକାକରଣ କାର୍ଯ୍ୟକ୍ରମର ସୂଚୀ ଅନୁସାରେ ପ୍ରତ୍ୟେକ ଶିଶୁଙ୍କୁ ବୟସ ଉପଯୁକ୍ତ ଟୀକା ପ୍ରଦାନ କରି ଟୀକା ଦ୍ୱାରା ପ୍ରତିରୋଧ କରାଯାଇ ପାରୁଥିବା ରୋଗ ସମୂହରୁ ଶିଶୁ ମାନଙ୍କୁ ରକ୍ଷା କରାଯାଇପାରିବ । ଏହା ଶିଶୁଟିର ଭବିଷ୍ୟତକୁ ସୁରକ୍ଷିତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ବିଶେଷ ସହାୟକ ହୋଇ ପାରିବ ।   ଗତବର୍ଷ ଠାରୁ କୋଭିଡ୍-୧୯ ବିଶ୍ବ ମହାମାରୀର ପ୍ରଭାବରେ ଜନସାଧାରଣଙ୍କ ଜୀବନଶୈଳୀ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଣୁ କୋଭିଡ୍-୧୯ କିମ୍ବା ଅନ୍ୟ କୌଣସି କାରଣରୁ ଯେ କୌଣସି ଟୀକା ପାଇବାରୁ ବଞ୍ଚିତ ହୋଇଥିବା ଶିଶୁ ମାନଙ୍କୁ ଏହି ସଘନ ମିଶନ ଇନ୍ଦ୍ରଧନୁଷ୍ ୩.୦ କାର୍ଯ୍ୟକ୍ରମ ସମୟରେ ଟୀକା ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ଭାବେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ୱାରା ଟୀକାକରଣରୁ ବଞ୍ଚିତ ହୋଇଥିବା ବା କୌଣସି ନିର୍ଦ୍ଧିଷ୍ଟ ଟୀକା ପାଇବାରୁ ବଞ୍ଚିତ ହୋଇଥିବା ସର୍ବମୋଟ ୧୭୫ ଜଣ ଶିଶୁ ଓ ୨୧ ଜଣ ଗର୍ଭବତୀ ମହିଳାଙ୍କୁ ସମଗ୍ର ଜିଲ୍ଲାରେ ପଞ୍ଜିକୃତ କରାଯାଇଅଛି । ଏହି ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ପୂର୍ବରୁ ନିରୁପିତ ସ୍ଥାନ ମାନଙ୍କରେ ନିର୍ଦ୍ଧିଷ୍ଟ ଦିନ ସମୂହରେ ଟୀକା ଦିଆଯିବ । ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଇଅଛି । ଏତଦ ବ୍ୟତୀତ , କୌଣସି ଶିଶୁ ଟୀକା ପାଇବାରୁ ବଞ୍ଚିତ ହୋଇଥିଲେ ନିକଟରେ ଥିବା ଆଶା ଦିଦି , ଅଙ୍ଗନବାଡି ଦିଦି କିମ୍ବା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ଜଣାଇବା ପାଇଁ ଅନୁରୋଧ କରାଯାଇଛି । ଏହାଦ୍ୱାରା ଆମେ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟିକାକରଣ ସୁନିଶ୍ଚିତ କରି ପାରିବା , ଏଥିପାଇଁ ଜନସାଧାରଣ ଓ ସମସ୍ତ ବର୍ଗର ହିତାଧିକାରୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରିହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ:-ଡାଃ ଏମଏସ ମୁନିର , ଡିଏମଓ:-ଡାଃ ପ୍ରମୋଦ କୁମାର ପଣ୍ଡା ଏବଂ ଡିଏମଆରସି:-ଶୁସାନ୍ତ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault