ହେଡଲାଇନସ୍:

ଆମ ରାଜ୍ୟରେ ସରକାର ସତରେ ଅପାରଗ ନା ଉଦାସୀନ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳା ମହାରାଜାଙ୍କ ଜାଗାରେ ମଧ୍ୟ ଆନ୍ଧ୍ର ଅକ୍ତିଆର କରି ସ୍କୁଲ ଚଳାଇଛି 

 ସୀମା ବିବାଦ ନେଇ ଉତ୍କଳ ସମ୍ମିଳନୀର କ୍ଷୋଭ

ଏ ସମସ୍ୟା ଆଜିର ନୁହେଁ | କେବେଠୁ ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଂଜି ଆନ୍ଧ୍ର ତାର କାରସାଦି କରିଚାଲିଛି | ଓଡିଶା ପକ୍ଷରୁ କୌଣସି କଂକ୍ରିଟ କାର୍ଯ୍ୟାନୁଷ୍ଠାନ ନାହିଁ | ରାଜ୍ୟ ସରକାରଙ୍କ ପକ୍ଷରୁ କଦଵା କ୍ଵଚିତ ଯାହା ପଦକ୍ଷେପ ନିଆଯାଇଛି ସେ ସବୁ କେବଳ କାମଚଳା  ବା ତାଳିପକା |ତେଣୁ ଏକଥାକୁ ବିଚାର କଲେ ଏବେ ସ୍ୱତଃ ପ୍ରଶ୍ନ ଉଠୁଛି,  ଆମ ରାଜ୍ୟରେ ଶାସନ କ୍ଷମତାରେ ରହି ଆସିଥିବା ବା ରହିଥିବା ସରକାର ସତରେ ଅପାରଗ ନା ଉଦାସୀନ !!!

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା -ଆନ୍ଧ୍ର ସୀମାନ୍ତରେ ଥିବା  ଓଡିଶାର ତଥା ଗଜପତି ଜିଲ୍ଲା ସୀମା ଭିତରେ ଆନ୍ଧ୍ର  ଅନାଧିକାର ପ୍ରବେଶ କରି ଆସୁଛି । ଆନ୍ଧ୍ର ଏଭଳି ଅନାଧିକାର ଅନୁପ୍ରବେଶ କରି , ଦୀର୍ଘ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସୀମାନ୍ତରେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମ , ଜଙ୍ଗଲ , ଜମି , ରାସ୍ତା , ନଦୀ , ରାସ୍ତା ପ୍ରଭୃତି ଲୁଟ କରିନେବା ପାଇଁ ଅପଚେଷ୍ଠା ତଥା ଷଡଯନ୍ତ୍ର ଚଲାଇ ଆସୁଛି । ଜିଲ୍ଲାର ମୁଖ୍ୟତଃ କାଶୀନଗର ଓ ରାୟଗଡ ବ୍ଲକ ସୀମାନ୍ତକୁ ଲାଗି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ରହିଥିବା ଯୋଗୁଁ ଆନ୍ଧ୍ର ପକ୍ଷରୁ ଏଭଳି ହିନ ଉଦ୍ୟମ ଚଳାଉଛି ।

ଗଜପତି ଜିଲ୍ଲାର ହାଡୁଭାଙ୍ଗି ଗ୍ରାମରେ ପାରଳା ମହାରାଜାଙ୍କ ନାମରେ ଥିବା ଜମିରେ ଆନ୍ଧ୍ର ନିଜର ସ୍କୁଲ ଓ ପ୍ରଶାସନିକ କାର୍ଯ୍ୟ ଚଳାଇଛି । ଏମିତିକି ମହାରାଜାଙ୍କ ନାମରେ ଥିବା ଜମି ମଧ୍ୟ ଛାଡିନି ।  ସେହିଭଳି , ଗଜପତି ଜିଲ୍ଲାର ଗୁଡିଖୁଡ଼ୀ ଓ ମାନିକପାଟଣା ସମେତ ୬ ଟି ଗ୍ରାମକୁ ଆନ୍ଧ୍ର ଆମର ବୋଲି କହି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚଲାଇ ଆସିବା ସହ ଆନ୍ଧ୍ରର ବିଭିନ୍ନ ନିର୍ବାଚନରେ ସମ୍ପୃକ୍ତ ଗ୍ରାମ ଗୁଡିକୁ ସାମିଲ କରାଇଛି । ଗୁଡିଖୁଡ଼ୀ ମୌଜାରେ ବିରାଟ ସାଗରରେ ଥିବା ଜାଗାରେ ଆନ୍ଧ୍ର କଳିଙ୍ଗ ଦଳା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ବେଶ ଫାଇଦା ନେଉଛି। ସେହିଭଳି ଜିଲ୍ଲାର  ସିଙ୍ଗିପୁର ଠାରୁ ଆଳତି ଦେଇ ଯାଇଥିବା ରାସ୍ତା ପରେ ଆନ୍ଧ୍ର ଗ୍ରାମ ପଡୁଥିବା ଯୋଗୁଁ ଆନ୍ଧ୍ର ଏଠାରେ ମଧ୍ୟ ଅନାଧିକାର ପ୍ରବେଶ କରି ରାସ୍ତା ନିର୍ମାଣ କାର୍ଯ୍ୟ ଚଳାଇଛି । ଏହାକୁ ପ୍ରତିରୋଧ କରା ଯାଉନାହିଁ । ଓଡିଶା-ଆନ୍ଧ୍ର ସୀମାନ୍ତରେ  ଆନ୍ଧ୍ରର ଏଭଳି ହୀନ କାରନାମା  ଘଟଣା ଉପରେ ଜିଲ୍ଲା ଉତ୍କଳ ସମ୍ମିଳନୀ ଘୋର କ୍ଷୋଭ ପ୍ରକାଶ କରିଛି । ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାର ଠାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  ଆନ୍ଧ୍ରର ଅନାଧିକାର ଅନୁପ୍ରବେଶ ଓ ହୀନ ଉଦ୍ୟମକୁ ଦୃଢ଼ ଭାବେ ନିନ୍ଦା ପ୍ରକଟ କରା ଯାଇଥିଲା।

ଗଜପତି ଜିଲ୍ଲା ଓଡିଶାର ଦକ୍ଷିଣ ଉପାନ୍ତରେ ଅବସ୍ଥିତ । ଏହାର ଦକ୍ଷିଣ ସୀମାରେ ଅବସ୍ଥିତ ୬୫ ଗୋଟି ମୌଜା ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲା ସ୍ପର୍ଶ କରୁଥିବାରୁ ପୂର୍ବତନ ପାରଳାଖେମୁଣ୍ଡି ଜମିଦାରୀର ଏହି ମୌଜା ଗୁଡିକ ମଧ୍ୟରୁ ଜମିଦାରୀ ଉଚ୍ଛେଦ ପରଠାରୁ ଅନେକ ମୌଜା ସହ ସୀମା ବିବାଦ ଲାଗି ରହିଥିଲା ।  ଇତି ମଧ୍ୟରେ ଅନେକ ବିବାଦ ଆନ୍ଧ୍ର ସହ ଆପୋସ ଭାବେ ସମାଧାନ କରା ଯାଇଥିଲେ ସୁଦ୍ଧା ହାଡୁଭାଙ୍ଗି, ଭେଙ୍କଟାପୁର , ଗୁଡିଖୁଡି, ନାଲାବାଣ୍ଠୁ, ଚେରୁଗୁଡି ପ୍ରଭୃତି ମୌଜା ଗୁଡିକରେ ସୀମା ବିବାଦ ଗୁଡିକର ସ୍ଥାୟୀ ସମାଧାନ ହୋଇପାରି ନାହିଁ । ଯଦିଓ  ସରକାରୀ ଭାବେ କେବଳ ଦୁଇଟି ମୌଜା ଯଥା ଭେଙ୍କଟାପୁର ଏବଂ ନାଲାବାଣ୍ଠୁ ମୌଜାର ବିବାଦ କେବଳ ଅସମାହିତ ଭାବେ ଥିବା କୁହାଯାଉଛି ।

କାଶୀନଗର ତହସିଲର ହାଡୁଭାଙ୍ଗି ମୌଜାରେ ଖାତା ନଂ. ୮୨, ପ୍ଲୋଟ ନମ୍ବର ୮୧୩ରେ ଆନ୍ଧ୍ରର ମଣ୍ଡଳ ପରିଷଦ ଉନ୍ନିତ ପାଠଶାଳା ନାମରେ ଏକ ସ୍କୁଲ ଗୃହ ୧୯୭୪ ମସିହା ପୂର୍ବରୁ ଚାଲିଥିବା ଓଡିଶାର ହାଡୁଭାଙ୍ଗି ମୌଜାର ରାଜସ୍ୱ ଖତିଆନରୁ ଜଣାଯାଏ । ବର୍ତ୍ତମାନ ତାହା କୌଶଲ୍ୟା ପୁରମ ନାମରେ ଅଛି । ଏହି ବିଦ୍ୟାଳୟ ରହିଥିବା ସମ୍ପୃକ୍ତ ଜମିଟି ଏକ ରୟତି ଜମି ଏବଂ ଏହାର ମାଲିକ ଭାବେ ପାରଳା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସମେତ ଅନ୍ୟ ମାନଙ୍କର ନାମ  ସେଥିରେ ରହିଅଛି । ଉକ୍ତ ବିଦ୍ୟାଳୟରେ ଆନ୍ଧ୍ର ପ୍ରଦେଶ ସରକାର ତାଙ୍କ ପ୍ରଶାସନିକ କାର୍ଯ୍ୟ କରିବା ମଧ୍ୟ ଜାରୀ ରଖିଛନ୍ତି । ଯାହାକି ଏହା ସମ୍ପୂର୍ଣ୍ଣ ଭାବେ ଓଡିଶାର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରୁଛି ।  ଅନ୍ୟପକ୍ଷରେ ଜିଲ୍ଲାର ରାୟଗଡ ତହସିଲର ଗଙ୍ଗାବାଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୁଡିଖୁଡି ମୌଜା ସୀମା ମଧ୍ୟରେ ଆନ୍ଧ୍ର ପ୍ରଦେଶ କଳିଙ୍ଗଦଳା ନାମରେ ଗୋଟିଏ ବିଶାଳ ମାଟିବନ୍ଧ ନିର୍ମାଣ କରିଛି । ଏହି ବନ୍ଧ ନିର୍ମାଣ ବିବାଦୀୟ ଯୋଗୁଁ ସେତେବେଳେ ଓଡିଶା ଓ ଆନ୍ଧ୍ର ପୋଲିସ ୧୯୯୧-୯୨ରେ ମୁହାଁମୁହିଁ ହୋଇଥିଲେ । ତତ୍କାଳୀନ ରାଜସ୍ୱମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ସରଜମିନ ଅନୁଧ୍ୟାନ କରିବାକୁ ଆସିଥିଲେ ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌.ଟି.ରାମାରାଓଙ୍କ ସହ ବିବାଦର ସମାଧାନ ପାଇଁ ଏକ ବୁଝାମଣା କରିବାରୁ ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ ହୋଇଥିଲା , କିନ୍ତୁ ଯେଉ ସର୍ତ୍ତରେ ବିଜୁ ବାବୁ ବୁଝାମଣା କରିଥିଲେ ତାହା ହେଲା ବିବାଦୀୟ ଜମିକୁ ଆପାତତଃ ଓଡିଶାର ବୋଲି ଆନ୍ଧ୍ର ସ୍ୱୀକାରୋକ୍ତି କରିବା ,  ମାମଲାଟି ସର୍ବୋଚ୍ଚ ନ୍ୟାୟାଳୟରେ ଥିବା ଯୋଗୁଁ କୋର୍ଟ ଆନ୍ଧ୍ର ସପକ୍ଷରେ ଯାଇ ବିବାଦୀୟ ଅଞ୍ଚଳକୁ ଆନ୍ଧ୍ର ମାଲିକାନାକୁ ଯିବ , ସେଥିପାଇଁ ସମ୍ପୃକ୍ତ ବିବାଦୀୟ ଜମି ପାଇଁ ଆନ୍ଧ୍ର ଓଡିଶାକୁ ସହ ଚୁକ୍ତିବଦ୍ଧ ହୋଇ ଉକ୍ତ ଜମିକୁ  ଲିଜ୍ ସୂତ୍ରରେ ବର୍ତ୍ତମାନ ପାଇଁ ଲିଜ୍ ବାବଦ ଟଙ୍କା ଓ ବୁଡିବାକୁ ଥିବା ଜଙ୍ଗଲ ପାଇଁ କ୍ଷତିପୂରଣ ଦାଖଲ କରିବ । ଯଦି ଉଚ୍ଚ ନ୍ୟାୟାଳୟ ଓଡିଶା ସପକ୍ଷରେ ନ୍ୟାୟ ଦିଅନ୍ତି ଓଡିଶା ଆନ୍ଧ୍ରରୁ ଉକ୍ତ ଚୁକ୍ତି ବାବଦରେ ପାଇଥିବା ଲିଜ୍ ଟଙ୍କା ବା କ୍ଷତିପୂରଣ ଆଉ ଫେରାଇବ ନାହିଁ ,  ଆନ୍ଧ୍ର ପ୍ରଦେଶ ଉକ୍ତ ଚୁକ୍ତି ଆଧାରରେ ନିର୍ମାଣ କାର୍ଯ୍ୟ କରିବ ଓ ଓଡିଶା ସେଥିରେ ଆପତ୍ତି କରିବ ନାହିଁ । ଉକ୍ତ ବୁଝାମଣା ଅନୁସାରେ ଆନ୍ଧ୍ର ସେହି କଳିଙ୍ଗଦଳା ପ୍ରକଳ୍ପର ନିର୍ମାଣ ଏକ ଦଶନ୍ଧି ହେଲା ସମ୍ପୂର୍ଣ୍ଣ କରି ସାରିଥିଲେ ସୁଦ୍ଧା ଉକ୍ତ ଚୁକ୍ତି ମୁତାବକ ଓଡିଶାକୁ ଅର୍ଥ ପୈଠ କଲେ କି ନାହିଁ ,  ତାହା ବର୍ତ୍ତମାନ ପର୍ଯ୍ୟନ୍ତଜଣା ପଡ଼ିନାହିଁ । ଯାହା ଶୁଣାଯାଏ  ଆନ୍ଧ୍ର ପକ୍ଷ ଏପର୍ଯ୍ୟନ୍ତ ଚୁକ୍ତି ମୁତାବକ ଅର୍ଥ ପୈଠ କରି ନାହାନ୍ତି । ଚୁକ୍ତି ସ୍ୱାକ୍ଷରିତ ହେଲା କି ନାହିଁ ତାହା ମଧ୍ୟ ସର୍ବସାଧାରଣଙ୍କୁ ଅଗୋଚର ରହିଛି ।  ସୂଚନା ଯୋଗ୍ୟ ଯେ , ଗତ ୦୧.୦୪.୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ବେଳେ ପାରଳାଖେମୁଣ୍ଡି ଜମିଦାରୀର ଏକ ତୃତୀୟାଂଶ ଗ୍ରାମ ସେତେବେଳେ ମାନ୍ଦ୍ରାଜ ଅଧିନରେ ରହିଗଲା । ଯାହା ବର୍ତ୍ତମାନ ସେସବୁ ଆନ୍ଧ୍ରରେ ରହିଅଛି ।

ସେତେବେଳେ ଓଡିଶା ଅଞ୍ଚଳରେ ଅବସ୍ଥିତ ଗଜପତି ସାଗର ଓ ସୀତା ସାଗର ପରି କେତେକ ବୃହତ ଜଳସେଚନ ପ୍ରକଳ୍ପର ଆନିକଟ ଓଡିଶା ସୀମା ବାହାରେ ତଥା ବର୍ତ୍ତମାନର ଆନ୍ଧ୍ର ସୀମା ମଧ୍ୟରେରହିଯିବା ଯୋଗୁଁ ସମ୍ପୃକ୍ତ ଜମିରୁ ଆନ୍ଧ୍ର ରାଜ୍ୟ ଜଳକର ଆଦାୟ କରିବ ଏବଂ ସମ୍ପୃକ୍ତ ଜଳସେଚନ ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ହାରରେ ଦେୟ ଓଡିଶା ସରକାରଙ୍କୁ ପ୍ରତିବର୍ଷ ପ୍ରଦାନ କରିବାକୁ ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆନ୍ଧ୍ରକୁ ଓଡିଶାର ଉକ୍ତ ପ୍ରକଳ୍ପରୁ ନିୟମିତ ଜଳ ଯୋଗାଣ ଅବ୍ୟାହତ ଥିଲେ ସୁଦ୍ଧା ଆନ୍ଧ୍ର ବୁଝାମଣା ଅନୁସାରେ ରକ୍ଷଣା ବେକ୍ଷଣ ଦେୟ ପୈଠ କରୁନାହିଁ । ଏ ବାବଦରେ କୋଟି କୋଟି ଟଙ୍କା ବକେୟା ରହିଥିବା ଆଶଙ୍କା କରାଯାଉଛି । ପାରଳାଖେମୁଣ୍ଡି ତହସିଲଦାର ଚେରୁଗୁଡି ଖାସ୍ପା ମୌଜାର କେତେକ ସିଲିଂ ବହିର୍ଭୂତ ଜମି ଓଡିଶାର ତଥା ଗଜପତି ଜିଲ୍ଲାର ୧୨ଜଣ ଭୂମି ହୀନକୁ ସେ ଜମି ଦିଆ ଯାଇଥିଲା । ସେହି ଜମି ଉପରେ ଆନ୍ଧ୍ର ନିଜର ବୋଲି ଦାବୀ କରିବାରୁ ସେବେ ଠାରୁ ଉକ୍ତ ଜମିକୁ ନେଇ ବିବାଦ ଲାଗି ରହିଛି । ମାମଲା ସିଭିଲ କୋର୍ଟରେ ବିଚାର ପାଇଁ ଦାୟର ହୋଇଥିଲା । ସେହି ମାମଲାର ସ୍ଥିତି କଣ ତାହା ସରକାର ସ୍ପଷ୍ଟ କରିବା ଉଚିତ । କିନ୍ତୁ , ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଓଡିଶାର ଭୂମୀହୀନ ସେହି ୧୨ଜଣ ଚାଷୀ ସମ୍ପୃକ୍ତ ଜମିରୁ ବଞ୍ଚିତ ହୋଇ ରହିଥିବା ଜଣାଯାଏ । ତେଣୁ ସରକାର ଯଥା ଶୀଘ୍ର ଏହି ବିଷୟରେ ଅନୁସନ୍ଧାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପୂର୍ବକ ଓଡିଶାର ସ୍ୱାର୍ଥ ଓ ଓଡିଶା ସ୍ୱାଭିମାନକୁ ରକ୍ଷା କରିବାକୁ ଉତ୍କଳ ସମ୍ମିଳନୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଜିଲ୍ଲା ସଭାପତି ଗୁରୁ ଗୌରବ ଶିକ୍ଷାବିତ ଗୌରଚନ୍ଦ୍ର ପଣ୍ଡାଙ୍କ ସମେତ ସମ୍ମିଳନୀର ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault