ହେଡଲାଇନସ୍:

ମୋଦି ଚାଷୀଙ୍କ ହିତ ପାଇଁ ତତ୍ପର, ବିରୋଧୀ ସୃଷ୍ଟି କରୁଛି ଭ୍ରମ: ସୁରେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷକ ଆନ୍ଦୋଳନ ଆଧାରହୀନ। ବିରୋଧୀଙ୍କ ହାତ ରହିଛି। 

 

ଝାରସୁଗୁଡ଼ା :(ସୁଭାଷ ସହାରେ) - ଗତ ତିନି ମାସ ଧରି ଦେଶର ଚାଷୀ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଆସୁଛି। କୌଣସି କୃଷକ ସଂଗଠନ ସହ ଆଲୋଚନା ନ କରି ତରବରିଆ ଭାବରେ ଅଧ୍ୟାଦେଶ ଆଣି ପ୍ରଥମେ ଆଇନ ପ୍ରଣୟନ କଲେ। ପରେ ସଂଖ୍ୟାଗରିଷ୍ଠତା ବଳରେ ଏହାକୁ ବିରୋଧୀ ଓ ଭାରତର ବିଭିନ୍ନ ଜନ ସଂଗଠନମାନଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ସଂସଦରେ ନାମକୁ ମାତ୍ର ଆଲୋଚନା କରାଇ ଆଇନ ପ୍ରଣୟନ କରାଇନେଲେ ସରକାର। ସରକାରଙ୍କ ନିଜର ସହଯୋଗୀ ଦଳ, ଏପରିକି ସରକାରୀ ଦଳର ସାଂସଦ ଓ ମନ୍ତ୍ରୀମାନେ ମଧ୍ୟ ଏହା ସପକ୍ଷରେ କୌଣସି ବଳିଷ୍ଠ ଯୁକ୍ତି ଦେବାରେ ଅସମର୍ଥ। ନିଜର ସାଂସଦମାନଙ୍କୁ ମଧ୍ୟ ଭରସାକୁ ନେବାକୁ ଆବଶ୍ୟକ ମନେ କଲେ ନାହିଁ ମୋଦି। କେବଳ ନିଜର ଦୁଇ କର୍ପୋରେଟ ବନ୍ଧୁ ଅଦାନୀ ଓ ଅମ୍ବାନୀଙ୍କ ବେପାର ପାଇଁ ତିନୋଟି କୃଷି ବିଲକୁ ଆଇନରେ ପରିଣତ କରାଇ ଦେଲେ। କୃଷକଙ୍କୁ କହିଲେ ସେମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ। ମାତ୍ର ଏତେ ପ୍ରବଳ ବିରୋଧର ସମ୍ମୁଖୀନ ହେବା କଥା ବୋଧହୁଏ ସେ ଚିନ୍ତା କରି ନଥିଲେ। ଆଜି ଦେଶସାରା କୃଷକ ସଂଗଠନ ଏହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିଵାକୁ ଦାଵୀ କରୁଛନ୍ତି। ଏପରିକି ଦିଲ୍ଲୀରେ ଦୀର୍ଘ ତିନି ସପ୍ତାହ ହେଲା ଘେରି ରହିଛନ୍ତି କୃଷକ। ସମସ୍ତ ଆଲୋଚନା ବ୍ୟର୍ଥ। କୃଷକ ପ୍ରତ୍ୟାହାର ଦାବିରେ ଅଟଳ, ସରକାର ନିଜର କର୍ପୋରେଟ ବନ୍ଧୁଙ୍କ ସ୍ବାର୍ଥ ରକ୍ଷା ପାଇଁ ବାଧ୍ୟ। ଏହିପରି ଏକ ସଂକଟରୁ ରକ୍ଷା କରିବା ପାଇଁ ଶେଷରେ ମୋଦି ନିଜର ପୁରୁଣା ଶୈଳୀ ଆପଣାଇବା ଦେଖାଯାଉଛି। ଏଥର ପୁଣି ପୂର୍ବଭଳି ସାଂସଦ ଯିବେ ଲୋକଙ୍କ ପାଖକୁ। ସରକାରଙ୍କ ଭୁଲରେ ତାଳି ପକାଇବାକୁ। ଲୋକଙ୍କୁ ବୁଝାଇବେ ଆଇନର ଉପକାରିତା ବାବଦରେ।ଯେପରି ନୋଟବନ୍ଦୀ ପରେ ଯାଇଥିଲେ, ଯେପରି ଜିଏସଟି ପରେ ଯାଇଥିଲେ। 

ବରଗଡ଼ ସାଂସଦ ଏହା ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଚାଷୀ ଆନ୍ଦୋଳନକୁ ଆଧାରହୀନ କହିବା ସହ ଏଥିରେ ବିରୋଧୀଙ୍କ ହାତ ଥିବା ଅଭିଯୋଗ ଆଣି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି।  କୃଷି ଆଇନ ଚାଷୀଙ୍କ ହିତ ପାଇଁ କରାଯାଇଛି ଏବଂ ଏହି ଆଇନ ସଂପର୍କରେ ଚାଷୀଙ୍କୁ ବୁଝାଇବା ପାଇଁ ଦଳ ୭୦୦ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଘୋଷଣା କରିବା ପରେ ଆଜି ଝାରସୁଗୁଡାରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଚାଷୀ ଆନ୍ଦୋଳନର କୌଣସି ଆଧାର ନାହିଁ ଏବଂ ଏହି ଆନ୍ଦୋଳନ ପଛରେ ଦେଶବିରୋଧୀ ଲୋକଙ୍କ ହାତ ରହିଛି | ଆନ୍ଦୋଳନ କରୁଥିବା ଚାଷୀ ପ୍ରକୃତ ଚାଷୀ ନୁହଁନ୍ତି ବୋଲି କହିଛନ୍ତି |ଏଥିସହ ଚାଷୀଙ୍କ ମଙ୍ଗଳ ପାଇଁ ମୋଦୀ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି ପାଇଁ ବିରୋଧୀ ଦଳ ପକ୍ଷରୁ ଉଦ୍ୟମ ହେଉଥିବା କହିଛନ୍ତି |

ଦେଖିବାକୁ ବାକି ରହିଲା,କୃଷି ସମୃଦ୍ଧ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ସାଂସଦ ମହୋଦୟାଙ୍କୁ କେତେ ଦୂର ଗ୍ରହଣ କରୁଛନ୍ତି। ଯଦି କୃଷକ ସଂଗଠନ ବରଗଡ଼ ସାଂସଦଙ୍କୁ ଏହା ବାବଦରେ ଆଲୋଚନା କରିବାକୁ ଖୋଲା ମଞ୍ଚରେ ଆହ୍ବାନ ଜଣାଇବେ, ତେବେ ସେ ଏହାକୁ ସ୍ବୀକାର କରିବେ କି ବୋଲି ଜଣେ କୃଷକ ନେତା ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ,ବରିଷ୍ଠ ନେତା ଦିନେଶ ଜୈନ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। 

0
0
0
s2sdefault