ହେଡଲାଇନସ୍:

"କା" ରେ ଚାଲିଛି ବାରିପଦା ପୌରପରିଷଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଦୁଇ ବର୍ଷରୁ ଅଧିକ ସମୟ ହେବ ନାହାନ୍ତି ସ୍ଥାୟୀ ନିର୍ବାହୀ ଅଧିକାରୀ 

  • ଉନ୍ନୟନ ବାଧାପ୍ରାପ୍ତ, ସରକାରୀ ଅର୍ଥ ହରିଲୁଟ ହେଉଥିବାର ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଶାସନକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରିୟାଶୀଳ କରାଇବା ସହ ଅଧିକ ଉତ୍ତରଦାୟୀ ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ନିମନ୍ତେ ୨୦୧୯ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ମୋ ସରକାର କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ମୋ ସରକାର କାର୍ଯ୍ୟକ୍ରମ ପଥଭ୍ରଷ୍ଟ ହୋଇଯାଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ପରିଲକ୍ଷିତ ହୋଇଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ନାହାନ୍ତି  ଅଧିକାରୀ । କା’ରେ କାର୍ଯ୍ୟାଳୟ ଚାଲୁଥିବାର ଦେଖିବାକୁ ମିଳିଥିବା ସମୟରେ ଓଡ଼ିଶାର ଦ୍ୱିତୀୟ ପୌରପରିଷଦ ବାରିପଦା ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି । 

           ପୌରପରିଷଦର ସ୍ଥାୟୀ ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ ୨୦୧୮ ଜୁନ ୬ରେ ଅନ୍ୟତ୍ର ବଦଳି ହେବା ପରେ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ୨୦୧୮ ଜୁନ ୧୪ଠାରୁ  ୨୦୨୦ ଜୁନ ୧୮ ପର୍ଯ୍ୟନ୍ତ ୨ ବର୍ଷ ୪ ଦିନ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ବାରିପଦା ବ୍ଲକ ବିଡ଼ିଓ ଶ୍ରୀଦାଶଙ୍କର ବଦଳି ପରେ ନୂତନ  ବିଡ଼ିଓ ଆକୁଳ ଚରଣ ନାଏକ ୧୯/୦୬/୨୦୨୦ରୁ ୦୩/୦୭/୨୦୨୦ ପର୍ଯ୍ୟନ୍ତ ୧୫ ଦିନ ଏବଂ ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ୨୦୨୦ ଜୁଲାଇ ୩ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ସହିତ କା’ ରେ ବାରିପଦା ପୌରପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ପୁଣି ପୌରପରିଷଦର କାଉନସିଲ ବୋଡର଼୍ ୨୦୧୯ ଫେବୃଆରୀ ୧୨ରୁ ଭାଙ୍ଗି ଯାଇଛି । ଏକ ବର୍ଷ ୯ ମାସ ୨୭ ଦିନରୁ ଅଧିକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅତିରିକ୍ତ ଭାବେ ନଗରପାଳ ଦାୟିତ୍ୱରେ ରହିଛନ୍ତି । ଉକ୍ତ ଦୁଇଟି ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସମୟରେ ପୌରପରିଷଦର ନିର୍ବାହୀ ଅଧିକାରୀ ପଦବୀକୁ ୨ ବର୍ଷ ୫ ମାସ ୨୬ ଦିନରୁ ଅଧିକ ସମୟ ଖାଲି ପକାଇ ପ୍ରଥମେ ବିଡ଼ିଓ ଏବଂ ବର୍ତ୍ତମାନ ଉପଜିଲ୍ଲାପାଳଙ୍କୁ ଦୈତ୍ୟ ଭାବେ  ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ନିଯୁକ୍ତି ପ୍ରଦାନ ଏବଂ  ସ୍ଥାୟୀ ପୌରନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ନ ଦେବା ପଛରେ କେଉଁ  ରହସ୍ୟ ରହିଛି ତାହା କେବଳ ଓଡ଼ିଶା ସରକାରଙ୍କ ସହିତ  ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଜଣା । 

         ୨୮ଟି ୱାଡକୁ  ନେଇ ଗଠିତ ବାରିପଦା ପୌରପରିଷଦର ଜନସଂଖ୍ୟା ୧,୧୬,୮୪୯ରୁ ଅଧିକ ରହିଥିବା ବେଳେ  ୨୦୦୯ରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସାମୂହିକ ବିକାଶ ନିମନ୍ତେ ମାଳମାଳ ଯୋଜନା ପ୍ରଚଳନ କରିଚାଲିଛନ୍ତି । ବାରିପଦା ପୌରପରିଷଦରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ ନିମନ୍ତେ ପ୍ରତ୍ୟେକ ବର୍ଷ ରାଜକୋଷରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି । ଆସୁଥିବା ସରକାରୀ ଅନୁଦାନରେ କାର୍ଯ୍ୟାକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସହ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କରିବା ଦାୟିତ୍ୱ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଏଥି ସହିତ ଜନସାଧାରଣଙ୍କର ବିଭିନ୍ନ ସମସ୍ୟା, ଅଭିଯୋଗ ରହିଛି । ତେଣୁ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଓ ବାରିପଦା ଉପଜିଜିଲ୍ଲାପାଳ ଉଭୟ ପଦବୀର ଗୁରୁତ୍ୱ ଓ ଦାୟିତ୍ୱ ସମ୍ଭାଳିବା ଜଣେ ଅଧିକାରୀଙ୍କ ପକ୍ଷେ ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ହୋଇପଡ଼ିଥିବା ବେଳେ ୨ ବର୍ଷ ୫ ମାସ୨୬ ଦିନରୁ ଅଧିକ ସମୟ ଧରି ଜଣେ ଅଧିକାରୀ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳି ଆସୁଥିବାର ପରିଲକ୍ଷିତ ହୋଇଛି । ଯାହା ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମର ସଫଳତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । 

ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀଙ୍କ କହିବା ଅନୁସାରେ ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳ ଜଣେ ବ୍ୟକ୍ତି ହୋଇଥିବା କାରଣରୁ ଦୁଇଟି କାର୍ଯ୍ୟାଳୟରେ ଏକ ସଙ୍ଗେ ଉପସ୍ଥିତି କଦାପି ସମ୍ଭବପର ହୋଇନଥିବା ବେଳେ ସେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବା ବେଳେ ବାରିପଦା ପୌରପରିଷଦ ଫାଙ୍କା ରହୁଛି ଏବଂ ପୌରପରିଷଦରେ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଫାଙ୍କା ପଡ଼ୁଛି ।  ଫଳରେ  ଉଭୟ ବ୍ଲକ ଓ ପୌରପରିଷଦକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପଜିଲ୍ଲାପାଳଙ୍କର ଏହି ଦୈତ୍ୟ ଦାୟିତ୍ୱ ପୌରବାସୀଙ୍କୁ ବିଭିନ୍ନ ସମସ୍ୟା ମଧ୍ୟକୁ ଟାଣି ନେଇଥିବା ବେଳେ ବାରିପଦା ପୌର କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ସୁନେ ପେ ସୁହାଗା ସଦୃଶ୍ୟ କାର୍ଯ୍ୟକରୁଛି । ବାରିପଦା ପୌରପରିଷଦରେ ଦୃର୍ନୀତି ଚରମ ସୋପାନକୁ ଛୁଇଁଯାଇଛି । ସେହିପରି ପୌରପରିଷଦର କାଉନସିଲ ବୋଡର଼୍ ଭାଙ୍ଗି ଯିବା ପରେ ପୌରକର୍ମଚାରୀମାନେ ଅଧିକ ସ୍ୱେଚ୍ଛାଚାରୀ ହୋଇପଡ଼ିଛନ୍ତି ବୋଲି ଭଞ୍ଜସେନା ଉପାଧ୍ୟକ୍ଷ ଶ୍ରୀତ୍ରିପାଠୀ ପ୍ରକାଶ କରିଛନ୍ତି । 

 

0
0
0
s2sdefault