ହେଡଲାଇନସ୍:

ମହାଜନ ଛଡାଇ ନେଲା ଜମି , ଭତ୍ତା କି ଘରଟିଏ ମଧ୍ୟ ଯୋଗାଇ ପାରିଲେନି କର୍ମଠ ବାବୁମାନେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାଜନ ବେଲରେ, ଆଉ ଦୁର୍ଦଶାରେ ଭିନ୍ନକ୍ଷମ ହରିସାହୁ

ବରଗଡ :- ଆମେ କହୁଛୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମପଞ୍ଚାୟତ ନିଲାଥର ଗ୍ରାମର ଭିନ୍ନକ୍ଷମ ହରିସାହୁଙ୍କର କଥା । ହରି ସାହୁ ସମ୍ପୁର୍ଣ୍ଣ ଭାବରେ ଭିନ୍ନକ୍ଷମ ଅର୍ଥାତ ସେ କଥା କହି ପାରନ୍ତି ନାହିଁ କି ଶୁଣି ମଧ୍ୟ ପାରନ୍ତି ନାହିଁ । ସେ ଜଣେ ସରଳ ଓ ନିଷ୍କପଟ ମଣିଷ । ତାଙ୍କର ଏହି ସରଳତା ର ସୁଯୋଗ ନେଇ ପାଇକମାଲର ଜଣେ କ୍ରୁର ଓ ଶୋଷଣକାରୀ ମହାଜନ ବେଇମାନୀ କରି ଗତ କିଛି ବର୍ଷ ତଳେ ହରି ଙ୍କର ସବୁ ଜମି ଜାଲିଆତି କରି ହଡପ କରିଥିଲେ  । ସେତେବେଳେ ଆମ "ଶାସକ ପ୍ରଶାସକ" ଖବର କାଗଜରେ ଏହି ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ବରଗଡ଼ ପୋଲିସ ଅଧିକ୍ଷକଙ୍କର ନିର୍ଦେଶରେ ତନାଘନା ଆରମ୍ଭ ହୋଇଥିଲା ଓ ବେଇମାନକରି ଜମି ହଡପ କରିଥିବା  ମହାଜନ ବିରୋଧରେ ଷୋହଳଟି କେଶ ରୁଜୁ ହୋଇ ମହାଜନ ଓ ତାର କିଛି ସହଯୋଗୀ ଙ୍କର ଜେଲ ଯାତ୍ରା ମଧ୍ୟ ହୋଇଥିଲା । ବର୍ତ୍ତମାନ ମହାଜନ ବେଲରେ,  ଆଉ ହରି ଦୁର୍ଦଶାରେ । ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କର ମାଳମାଳ ଯୋଜନା ରହିଛି | କିନ୍ତୁ ଦାୟିତ୍ୱରେ ଥିବା ବାବୁ ମାନଙ୍କର ଦାୟିତ୍ୱହୀନତା ଓ କର୍ମ କୋଢ଼ିଆ ମନୋଭାବ କାରଣରୁ ହରି ସାହୁ ଙ୍କୁ ଆଜି ପର୍ଯନ୍ତ ନା ମିଳିଛି ଘର ନା ମିଳୁଛି ଭତ୍ତା । ବାରମ୍ବାର ସେ ଓ ତାଙ୍କର ସ୍ତ୍ରୀ କେତକୀ ସାହୁ , ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କର ଦ୍ୱାରସ୍ଥ ହୋଇ କାକୁତି ମିନତୀ କରି ଥକି ଗଲେଣି ହେଲେ କେବଳ ଆଶ୍ୱାସନା ବ୍ୟତୀତ ତାଙ୍କର କିଛି ହସ୍ତଗତ ଆଜି ପର୍ଯନ୍ତ ହୋଇ ପାରିଲା ନାହିଁ । ବର୍ତ୍ତମାନ ତାଙ୍କର ପୁରୁଣା ଖପର ଘର ମଧ୍ୟ ଭାଙ୍ଗିବା ଆରମ୍ଭ କଲାଣି । ହରିଙ୍କର ଦୁଇଟି ଝିଅ ଅଛନ୍ତି । ସେମାନେ ବାହା ହୋଇ ନିଜ ଶାଶୁ ଘରେ ରହୁଛନ୍ତି । ତାଙ୍କର କୋଣସି ପୁଅ ନାହିଁ । ବଡ଼ଭାଇ ହେମଚନ୍ଦ୍ର ସାହୁ ଙ୍କର ପରିବାର ସହିତ ରହୁଛନ୍ତି ହରି ଓ ତାଙ୍କର ସ୍ତ୍ରୀ ।  ମହାଜନ ତ ତାଙ୍କର ସବୁ ରକ୍ତ ଶୋଷଣ କରି ନେଇ ଗଲା ଏବେ ଅପେକ୍ଷା ବାବୁ ମାନଙ୍କର ଦୟା ଦୃଷ୍ଟି କେବେ ପଡିବ ହରି ଙ୍କର ଉପରେ । କେବେ ପାଇବେ ଆବାସ ଯୋଜନାରେ ଘର ଖଣ୍ଡେ ଓ ନିୟମିତ ଭତ୍ତା ଦେଖିବାକୁ ବାକି ରହିଲା ।

0
0
0
s2sdefault