ହେଡଲାଇନସ୍:

ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାପାଳ ଅଫିସ ଘେରିଲା ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାର ୧୫୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ  ଜିଲ୍ଲା ପ୍ରଶାସନ ବନ୍ଦ କରିବା ନିଷ୍ପତିକୁ ବିରୋଧ କରି ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  

ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ଲୋକେ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ।  ଶିକ୍ଷାର ବ୍ୟବସ୍ଥାକୁ ଉଚ୍ଚ ମାନର କରିବା ବଦଳରେ ଆହୁରି ଭୂଷୁଡାଇ ଦେବା କୁ ସରକାର ଓ ଶିକ୍ଷା ବିଭାଗ ବିଧିବଦ୍ଧ ଷଡଯନ୍ତ୍ର କରୁଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଶିକ୍ଷା ବିରୋଧି ନିତି ଅବଲମ୍ବନ କରି ଜିଲ୍ଲାର ୧୫୬ ସ୍କୁଲକୁ ଉଚ୍ଛେଦ କରି ନିକଟସ୍ଥ ସ୍କୁଲରେ ମିଶ୍ରଣ କରିବାକୁ ପଦକ୍ଷେପ ନେଇଛନ୍ତି । ଏଥିରେ ୧୪୦ ଟି ପ୍ରାଥମିକ ବିଦ୍ୟାଳୟ ଓ ୧୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ନୂଆପଡ଼ା ଏକ ଅନୁନ୍ନତ, ଆଦିବାସୀ ଅଧୁ୍ୟଷିତ, ଚିରମରୁଡି ପ୍ରପିଡିତ, ଦାଦନ ପ୍ରବଣ, ମାଓ ଉପଦୃତ ଓ ରାଜ୍ୟର ସର୍ବନିମ୍ନ ଶିକ୍ଷାହାର ଜିଲ୍ଲା । ଏହି ନିଷ୍ପତି ଦ୍ୱାରା ଜିଲ୍ଲାର ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାର ଶତାଧିକ ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନର ସବୁ ଦିନ ପାଇଁ ବଂଚିତ  ହେବେ । କରୋନା ମାହାମାରି ସମୟରେ ଜିଲ୍ଲାର ଅସହାୟ ଦାଦନ ଶ୍ରମିକ ଓ ଚାଷି ଭାଇ ନିଜ ଜୀବନ ଜିବୀକା ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଜନ ବିରୋଧି ନିଷ୍ପତ୍ତି ବୋଝ ଉପରେ ନଳିତା ବିଡା ସଦୃଶ୍ୟ । ଜିଲ୍ଲାର ୧୫୬ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ନିଯୁକ୍ତ ୩୧୨ ଜଣ ନିରାଶ୍ରୟ, ଅସହାୟ ଗରିବ ମହିଳା ପାଚିକା ଓ ସହାୟିକାଙ୍କ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏବେ ଶିକ୍ଷା ବିଭାଗର ଅଧିକାରୀ ମାନେ ଗ୍ରାମବାସୀଙ୍କ ବିନା ପରାମର୍ଶରେ ସ୍କୁଲ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନୁନ୍ନତ, ପଛୁଆ ଓ ଉପାନ୍ତ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟୟ କରି ବିକାଶର ରଥକୁ ରୋକିବା ପାଇଁ ସରକାର ଯୋଜନା କରିଛନ୍ତି । ରାଜ୍ୟ ସରକାର ଶିକ୍ଷାଆଇନ ୨୦୦୯ ପ୍ରଣୟନ କରି ସମସ୍ତଙ୍କୁ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହି ଆଇନ ପରିପନ୍ଥି ଅଟେ । ଶିକ୍ଷା ବ୍ୟବସ୍ଥା ସରକାରଙ୍କ ଦୟା କିମ୍ବା ସୁଯୋଗ ନୁହେଁ, ଏହା ସମସ୍ତଙ୍କ ଅଧିକାର ବୋଲି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରିଥିଲେ । ବିକ୍ଷୋଭ ଚାଲିଥିଲା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ସରକାର ସ୍କୁଲ ବନ୍ଦ ତଥା ମିଶ୍ରଣ ପ୍ରକ୍ରିୟାକୁ କୋହଳ କରି ପୁର୍ନବିଚାର ପାଇଁ ନିଦେ୍ର୍ଧଷ ଦେଇଛନ୍ତି । ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ହିତକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ତେବେ ସରକାର ତଥା ଜିଲ୍ଲା ପ୍ରଶାସନ ସ୍କୁଲ ବନ୍ଦ ଓ ମିଶ୍ରଣ ପ୍ରକ୍ରିୟାକୁ ପୁର୍ନବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନ  ଆହୁରୀ ଭୟାବହ ହେବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି । ଯୁବନେତା ମୃତ୍ୟୁଞ୍ଜୟ  ପାଣିଗ୍ରାହୀ, ଭୁବନେଶ୍ୱର ନାଏକ, ଅଭିନ୍ନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।     

 

0
0
0
s2sdefault