ହେଡଲାଇନସ୍:

ସରକାରଙ୍କ ଉଦ୍ଦେଶ୍ୟ ହୋଇଥାଇପାରେ  ମହତ : ହେଲେ ଅସାଧୁ ଓ ତେଲିହାଙ୍କ ପାଇଁ ଗଳାବାଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦକ୍ଷତା ଆଧାରରେ ଆଗୁଆ ପଦୋନ୍ନତି ନିୟମ : କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ

ସଚିବାଳୟର କେତେକ କର୍ମଚାରୀଙ୍କ କହିବା  ଅନୁଯାୟୀ  , ଯଦି ସରକାର କେତେକ ଦକ୍ଷ ଅଧିକାରୀଙ୍କୁ ତା’ଙ୍କ କାମ ସକାଶେ  ପୁରସ୍କୃତ କରିବା ପାଇଁ ଚାହୁଛନ୍ତି , ତେବେ ତାଙ୍କୁ ବରିଷ୍ଠଠାରୁ ଆଗୁଆ ପଦୋନ୍ନତି ବଦଳରେ , ସେମାନଙ୍କୁ ଉପହାର , ଅଧିକ ଇନକ୍ରିମେଣ୍ଟ , ବିନା ସୁଧରେ ଗାଡି ଓ ଘର ପାଇଁ ଆର୍ଥିକ ସାହାଯ୍ୟ, ବିଦେଶ ଭ୍ରମଣ ପାଇଁ ସାହାଯ୍ୟ , ପିଲାଙ୍କ ପାଇଁ ମାଗଣା ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିପାରନ୍ତି । ଯାହା ବନ୍ଦ ହୋଇଥିଲା , ତାକୁ ପୁନର୍ବାର ଲାଗୁକରିବା ପ୍ରଶାସନିକ ବାତାବରଣ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି।       

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତାନୁଗତିକ କାମ ଓ ଧାର୍ଯ୍ୟ ଦାୟିତ୍ଵ ତୁଲାଇବା  ପରେ ଯେଉଁ ସରକାରୀ କର୍ମଚାରୀମାନେ ନିଜ ସ୍ତରରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ସରକାର ,ଲୋକ ଓ ସମାଜର ମଙ୍ଗଳ ପାଇଁ କାମ କରିଛନ୍ତି, ସେମାନଙ୍କୁ ସରକାର ଆଗୁଆ ପଦୋନ୍ନତି ଦେବା ପାଇଁ ଏକ ନୂଆନିୟମ ପ୍ରଣୟନ  କରିଛନ୍ତି । ଏଭଳି ନିୟମ କରିବା ପଛରେ ସରକାରଙ୍କର ଯଇଛି ମହତ ଉଦ୍ଦେଶ୍ୟ ରହିଥାଇପାରେ, ହେଲେ କୌଣସି କର୍ମଚାରୀ ସଂଗଠନ ଏଥିପାଇଁ ଦାବି କରିନଥିବା ବେଳେ, ଏପରି ପଦୋନ୍ନତି କର୍ମଚାରୀଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ ସମ୍ପର୍କକୁ ଆଞ୍ଚ ପହଞ୍ଚାଇବ ଏବଂ ଏହାର କୁପରିଣାମ କାମରେ ପ୍ରତିଫଳିତ ହେବ  ବୋଲି ସଚିବାଳୟ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଏହି ନିୟମ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଗଳାବାଟ ହେବାର ଆଶଙ୍କା ଏଡାଇ ଦିଆଯାଇ ନପାରେ | 

ଗତ ମାର୍ଚ୍ଚ  ମାସରେ ରାଜ୍ୟ ସରକାର ଏକ ନୂତନ ନିୟମ ପ୍ରଣୟନ କରି, ଯେଉଁ ସରକାରୀ କର୍ମଚାରୀ ମାନେ ଧାର୍ଯ୍ୟ ଦାୟିତ୍ଵ ତୁଲାଇବା  ପରେ,  ନିଜ ଉଦ୍ୟମରେ ଦୃଷ୍ଟାନ୍ତ ମୂଳକ ନୀତି ବା ଯୋଜନା ପ୍ରଣୟନ କରି ସରକାର ,ଲୋକ ଓ ସମାଜର ମଙ୍ଗଳ ପାଇଁ କାମ କରିଛନ୍ତି ବା ଯେଉଁ ମାନଙ୍କ କାମ ରାଜ୍ୟ ଓ ଦେଶ ପାଇଁ ପୁରସ୍କାର ବା ସମ୍ମାନ ଆଣି ଦେଉଛି , ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ଦେବାର ବ୍ୟବସ୍ଥା କରିଛନ୍ତି । ଏ’ ନିୟମ ମାଧ୍ୟମରେ କୌଣସି ଜଣେ କର୍ମଚାରୀଙ୍କୁ ପଦୋନ୍ନତି ପାଇଁ ତାଙ୍କର ଯୋଗ୍ୟତା ନଥିଲେ ମଧ୍ୟ, ତା’ଙ୍କ ବରିଷ୍ଟ କର୍ମଚାରୀଙ୍କ ଠାରୁ ଆଗୁଆ ପଦୋନ୍ନତି ଦିଆଯାଇପାରିବ । ଏପରିକି ଉପର ପାହ୍ୟାରେ  ପଦବୀ ଖାଲି ନଥିଲେ, ତାଙ୍କ ପାଇଁ ପଦବୀ ସୃଷ୍ଟି କରାଯିବ । ଏପରି ପ୍ରାର୍ଥୀଙ୍କୁ ବାଛିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏ କମିଟି ଯେଉଁ ମାନଙ୍କୁ ସୁପାରିସ କରିବ, ତାଙ୍କୁ ବିଭାଗୀୟ ଅଧିକାରୀ କ୍ୟାବିନେଟର ଅନୁମୋଦନ ନେଇ ପଦୋନ୍ନତି ଦେବେ । 

     ଏଠାରେ ପ୍ରକାଶ ଥାଉକି , ୧୯୯୨ ବର୍ଷର ପଦୋନ୍ନତି ନିୟମାବଳୀରେ ଏପରି ଆଗୁଆ ପଦୋନ୍ନତିର ପ୍ରାବଧାନ ଅଛି । କିନ୍ତୁ ଏହାକୁ ମାତ୍ର ତିନିବର୍ଷ ଅର୍ଥାତ ୧୯୯୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରି କରାଯିବା ପରେ , କର୍ମଚାରୀଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ ସମ୍ପର୍କକୁ ଆଞ୍ଚ ଆସିବା  ଏବଂ ଏହାର କୁପରିଣାମ କାମରେ ପ୍ରତିଫଳିତ ହେବାର ଅନୁଭବ କରି ସରକାର ଏହାକୁ ଅଘୋଷିତ ରୂପେ ବନ୍ଦ କରିଦେଇଥିଲେ । ଉକ୍ତ ନିୟମାବଳୀରେ ଜଣେ କନିଷ୍ଠ କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଦେବାକୁ ବିଚାର କରାଗଲେ , ସେ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିବା ଦରକାର ଓ ତାହା ତା’ଙ୍କ ବ୍ୟାଚର କର୍ମଚାରୀଙ୍କ ମଧ୍ୟରେ ସୀମିତ ରଖାଯାଏ । କିନ୍ତୁ ଏ’ ନୂଆ ନିଯମରେ , ଜଣେ ତା’ଙ୍କ ସେବାର ଯେକୌଣସି ବ୍ୟାଚର କର୍ମଚାରୀଙ୍କ ଅପେକ୍ଷା ଆଗୁଆ ପଦୋନ୍ନତି ପାଇପାରିବେ  । ଏଠାରେ ପ୍ରକାଶ ଥାଉକି, ଏପରି ବ୍ୟବସ୍ଥାକୁ ବିଜୁ ବାବୁ ନିଜେ ନଥିରେ ବାରଣ କରିଥିଲେ ।  ତାହା ସାଙ୍ଗକୁ ଏଥିରେ ଅନେକ ନିୟମ , ଏପରିକି ସଂରକ୍ଷଣ ନିୟମକୁ ମଧ୍ୟ କୋହଳ କରାଯାଇଛି । ଏପରି ବ୍ୟବସ୍ଥା ପାଇଁ କୌଣସି କର୍ମଚାରୀ ସଂଗଠନ କେବେବି ଦାବି କରିନାହାନ୍ତି । ଏହା କେତେକ କର୍ମଚାରୀଙ୍କୁ ସୁହାଇବା ବେଳେ, ଅନେକ ସାଧୁ , ସଚ୍ଚୋଟ  କର୍ମଚାରୀଙ୍କୁ ତା’ଙ୍କ ନ୍ୟାର୍ଜ୍ୟ ପଦୋନ୍ନତିରୁ ବଞ୍ଚିତ କରିବ ବୋଲି କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଅନେକ କର୍ମଚାରୀ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ସଚିବାଳୟର କେତେକ କର୍ମଚାରୀଙ୍କ କହିବା  ଅନୁଯାୟୀ  , ଯଦି ସରକାର କେତେକ ଦକ୍ଷ ଅଧିକାରୀଙ୍କୁ ତା’ଙ୍କ କାମ ସକାଶେ  ପୁରସ୍କୃତ କରିବା ପାଇଁ ଚାହୁଛନ୍ତି , ତେବେ ତାଙ୍କୁ ବରିଷ୍ଠଠାରୁ ଆଗୁଆ ପଦୋନ୍ନତି ବଦଳରେ , ସେମାନଙ୍କୁ ଉପହାର , ଅଧିକ ଇନକ୍ରିମେଣ୍ଟ , ବିନା ସୁଧରେ ଗାଡି ଓ ଘର ପାଇଁ ଆର୍ଥିକ ସାହାଯ୍ୟ, ବିଦେଶ ଭ୍ରମଣ ପାଇଁ ସାହାଯ୍ୟ , ପିଲାଙ୍କ ପାଇଁ ମାଗଣା ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିପାରନ୍ତି । ଯାହା ବନ୍ଦ ହୋଇଥିଲା , ତାକୁ ପୁନର୍ବାର ଲାଗୁକରିବା ପ୍ରଶାସନିକ ବାତାବରଣ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି।                           

0
0
0
s2sdefault