ହେଡଲାଇନସ୍:

ଜାଣିଛନ୍ତି କି ପୁରୀ ୭ ସାହି ୪୨ କନ୍ଦି ନାମର ବିଶେଷତ୍ୱ !!!!! ତେବେ  ପଢନ୍ତୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: ଶ୍ରୀଜଗନ୍ନାଥଧାମ ପୁରୀରେ ଅନେକଗୁଡିଏ ସାହି ଥିଲେ ମଧ୍ୟ ସେଥିମଧ୍ୟରେ ସାତସାହି ବୟାଳିଶ କନ୍ଦି ପ୍ରଧାନ । ତେଣୁ କେତେକ କହନ୍ତି ‘ ପୁରୀର ସାତସାହି ବୟାଳିଶ କନ୍ଦି ନ ଜାଣିଲେ ପୁରୀକୁ ଜାଣିବା କଷ୍ଟ । କେତେଗୁଡିଏ ଜନବସତିକୁ ନେଇ ସାହିର ସୃଷ୍ଟି । ଏହି ସାହିର ନାମକରଣ ମଧ୍ୟରେ କିଛି ନା କିଛି ପୃଷ୍ଠଭୂମି ରହିଅଛି । ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ବରେ ଏହି ସାତସାହି ବୟାଳିଶ କନ୍ଦି ଅବସ୍ଥିତ । ପୁରୀରେ ଅନେକଗୁଡ଼ିଏ ସାହି ଥିଲେ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ସେବାପୂଜା ସହିତ ମୁଖ୍ୟତଃ ଏହି ସାତ ସାହିର ଘନିଷ୍ଠ ସମ୍ପର୍କ ରହିଛି । 

ଏହି ସାହିଗୁଡିକ ହେଉଛି ଗୌଡବାଡ ସାହି , ହରଚଣ୍ଡୀ ସାହି , ବାଲିସାହି , କାଳିକାଦେବୀ ସାହି ; ଦୋଳମଣ୍ଡପ ସାହି , କୁଣ୍ଢେଇବେଣ୍ଟ ସାହି ଓ ମାର୍କଣ୍ଡେଶ୍ଵର ସାହି । ଏହି ସାତସାହି ମଧ୍ୟରେ ମୁଖ୍ୟତଃ ଛଅଟି ଲେଖାଏଁ ମୁଖ୍ୟକନ୍ଦି ଅଛି । ତେଣୁ ସାତସାହି ମଧ୍ୟରେ ବୟାଳିଶଟି କନ୍ଦି ଅଛି ବୋଲି କୁହାଯାଏ  । 

ଗୌଡବାଡ ସାହି  

ଏହି ସାହିକୁ ଆଦ୍ୟସାହି , ଗୌରବାଟ ସାହି , ଯମନିକ ଧାମ ଆଦି ନାମରେ ନାମିତ କରାଯାଏ । ଶ୍ରୀ ଗୌରାଙ୍ଗ ଏହି ସାହି ବାଟରେ ଶ୍ରୀମନ୍ଦିରକୁ ଯିବା ଆସିବା କରୁଥିବାରୁ ଏହା ନାମ ଗୌରବାଟ ’ ସାହି ବୋଲି କେତେକଙ୍କର ମତ , କିନ୍ତୁ ଅନ୍ୟ କେତେକଙ୍କ ମତରେ ଏହି ସାହିରେ ଗୌଡ଼ୀୟ ସମ୍ପ୍ରଦାୟର ବ୍ରାହ୍ମଣ ଥିବାରୁ ଏହାର ନାମ ଗୌଡବାଡ଼ ସାହି । ଏହି ସାହିସ୍ଥ ମୁଖ୍ୟ ଛଅଗୋଟି କନ୍ଦିର ନାମ ହେଉଛି - ଗୁଡିଆ ସାହି , ପାଳ ସାହି , ହରଚଣ୍ଡୀ ଗଳି , ତେଟାଗୋପୀନାଥ ଗଳି , ବାଲି ମଠ ଗଳି , କଣ୍ଡର ସାହି ଓ ସୁନାଗୋସାଇଁ ଗଳି । ଏହି କନ୍ଦିଗୁଡିକର ନାମକରଣ ସେହି ସ୍ଥାନର ବ୍ୟକ୍ତି ବିଶେଷ , ମଠ ବିଶେଷ , ଠାକୁର ବିଶେଷ ଓ ଜାତି ବିଶେଷଙ୍କୁ ନେଇ ହୋଇଛି ।

ଏହି ସାହିର ଇଷ୍ଟ ଦେବଦେବୀଙ୍କ ମଧ୍ୟରେ ଯମେଶ୍ଵର ଓ ହରଚଣ୍ଡୀ ପ୍ରଧାନ । ଏହି ସାହି ମଧ୍ୟରେ ଯମେଶ୍ଵର ମନ୍ଦିର , ତୋଟା ଗୋପୀନାଥ , କାମାକ୍ଷୀ ମନ୍ଦିର ଆଦି ଦର୍ଶନୀୟ ସ୍ଥାନ ସହିତ ସାତ ଲହଡ଼ି ମଠ , ସାତ ଆସନ ମଠ , ପୁରୁଷୋତ୍ତମ ମଠ , ହରିଦାସ ଠାକୁର ମଠ , ତୋଟା ଗୋପୀନାଥ ମଠ , ସୁନା ଗୋସ୍ବାମୀ ମଠ ଓ ଚାରି ମୁଖ୍ୟ ତଥା ପ୍ରାଚୀନ ଆଶ୍ରମ ମଧ୍ୟରୁ ପଣ୍ଡୁ ଆଶ୍ରମ ଅବସ୍ଥିତ । ଏହାବ୍ୟତୀତ ଆହୁରି କେତେଗୁଡିଏ ନବ ନିର୍ମିତ ମଠ ଏହି ସାହିରେ ରହିଛି । 

ଶ୍ରୀଜଗନ୍ନାଥ ମନ୍ଦିର ସହିତ ଏହି ସାହିର ଘନିଷ୍ଠ ସମ୍ପର୍କ ରହିଛି । ଭାଦ୍ରବମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ସନ୍ଧ୍ୟାଧୂପ ପରେ ଶ୍ରୀଜଗନ୍ନାଥଙ୍କର କୃଷ୍ଣ ବଳରାମ ବେଶ ହୁଏ । ତା'ପରେ ଦକ୍ଷିଣଘରୁ ମଦନ ମୋହନ ଜଗମୋହନ ଖଟରେ ବିଜେ କରିବା ପରେ ଏହି ଗୌଡବାଡ ସାହି ତରଫରୁ ଅନ୍ନ ପ୍ରଥା ପ୍ରସ୍ତାବ ହୁଏ । କେବଳ ସେତିକି ନୁହେଁ , ଭାଦ୍ରବମାସ କୃଷ୍ଣପକ୍ଷ ପଞ୍ଚମୀ ବା ଋଷି ପଞ୍ଚମୀ ଦିନ ସନ୍ଧ୍ୟା ଧୂପ ପରେ ଦକ୍ଷିଣ ଘରୁ ମଦନମୋହନ ନାଟପା ମଣ୍ଡପ ଖଟ ଉପରେ ବିଜେ କଲେ ଏହି ସାହି ଲୋକେ ଦାହଲୀଳା ପ୍ରସ୍ତାବ କରନ୍ତି । କୃଷ୍ଣ ଜନ୍ମପରେ ସାହି ତରଫରୁ ଏହି ଦୁଇଟି ନୀତିରେ ସକ୍ରିୟ ଅଂଶ ଗ୍ରହଣ କରାଯାଏ । ଏହା ବ୍ୟତୀତ ବୈଶାଖମାସ କୃଷ୍ଣପକ୍ଷ ଦ୍ଵିତୀୟା ପରେ ଯେଉଁ ଦିନ ପୁଷ୍ୟ କକଡାନକ୍ଷତ୍ରଯୁକ୍ତ ହୋଇ ମହାପ୍ରଭୁଙ୍କର ତାର ଶୁଦ୍ଧି ଥାଏ ସେହିଦିନ ସନ୍ଧ୍ୟାଧୂପ ପରେ ଗୌଡବାଡ ସାହିର ଦୁଇଜଣ ଲୋକ ଭରତ ଓ ଶତ୍ରୁଘ୍ନ ବେଶ ହୋଇ ମହାପ୍ରଭୁଙ୍କ ପାଦୁକା ନେଇ ନନ୍ଦୀଗ୍ରାମ ( ଜଗନ୍ନାଥବଲ୍ଲଭ ମଠ ) କୁ ଶ୍ରୀରାମ ଅଭିଷେକ ନିମନ୍ତେ ଯାଆନ୍ତି ।

ହରଚଣ୍ଡୀ ସାହି

ଇଷ୍ଟଦେବୀ ହରଚଣ୍ଡୀଙ୍କ ନାମାନୁସାରେ ଏହି ସାହିର ନାମ ହରଚଣୀ ସାହି ହୋଇଛି । ଏହି ସାହିର ବାସିନ୍ଦାଙ୍କ ମଧ୍ୟରୁ ଅଧକାଂଶ ଶ୍ରୀଜଗନ୍ନାଥଙ୍କ ସେବାୟତ । ଏହି ସାହିର ମୁଖ୍ୟ ଛଅଟି କନ୍ଦିର ନାମ ଯଥାକ୍ରମେ ମଣିକର୍ଣ୍ଣିକା ସାହି , ପାଟଣାହାଟ ସାହିଁ , ବାସେଳୀ ସାହି , ଗୋଛିକାର ସାହି , ପାଳ ସାହି ଓ ତିଆଡ଼ି ସାହି । ଏହି ଛଅଟି କନ୍ଦି ବ୍ୟତୀତ ଖୁଣ୍ଟିଆ ଗଳି, ସଅଙ୍କଟ ଗଳି, ଶିତଳପିଣ୍ଡା ଗଳି, ହରଚଣ୍ଡୀ ଗଳି, ମାଛହାଟ ଗଳି, ବନଦୁର୍ଗା ଗଳି, ହଜୁରୀ ଗଳି, ନାହାକ ଗଳି, ନାଗାମଠ ଗଳି, ପାନର ଗୋହିରୀ , ମାଳି ଗୋହିରୀ, ଚିତ୍ରକାର ସାହି , ପଣାପ୍ରିୟା ଗଳି, ହାତୀ ଗୁରୁଦେବ ଗଳି ଓ ବାହାନପତି ଗଳି ଆଦି ଅନେକ ଛୋଟ ଛୋଟ ଗଳି ରହିଛି । ସାହି ମଧ୍ୟରେ ବିଭିନ୍ନ ଯାଗା ଆଖଡା , ସାଙ୍ଗକୁ କେତେଗୁଡ଼ିଏ ଦର୍ଶନୀୟସ୍ଥାନ ରହିଛି । ତନ୍ମଧ୍ୟରେ କପାଳମୋଚନ , ବାସେଳୀ ଠାକୁରାଣୀ , ବାନାମ୍ବର , ପଣାପ୍ରିୟା ଠାକୁରାଣୀ ଓ ଅଲେଇ ଠାକୁରାଣୀ ଆଦି ଦେବଦେବୀଙ୍କ ମନ୍ଦିର ଅନ୍ୟତମ । ଏତଦ୍‌ବ୍ୟତୀତ ମହୀପ୍ରକାଶ ମଠ , ନାଗାମଠ , ସୁରଙ୍ଗୀ ମଠ , ପୋଡା ମଠ , ଦୁଃଖିଶ୍ୟାମବାବା ମଠ , ଫଳାହାରୀ ମଠ , ଓଡିଆ ମଠର ସୁଦର୍ଶନ ମହଲା , ବଡ ଓଡିଆ ମଠ , ସାନ ଓଡିଆ ମଠ , ଖଜୁରିଆ ମଠ , କିରିଆ ମଠ , ହାତୀ ଗୁରୁଦେବ ମଠ ଆଦି ବିଭିନ୍ନ ସମ୍ପ୍ରଦାୟର ମଠ ରହିଛି । ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ପୂଜା ଆଦି କର୍ମ କର୍ମାଣି ଓ ପର୍ବ ପର୍ବାଣି , ଯାନିଯାତ୍ରା ସହିତ ସେବକମାନଙ୍କର ଯଥେଷ୍ଟ ସମ୍ପର୍କ ରହିଛି । ଭାଦ୍ରବମାସ କୃଷ୍ଣପକ୍ଷ ଦଶମୀ ଦିନ ଅଘାସୁର ବଧ ପ୍ରସ୍ତାବ , ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ଦିନ ନିକୁଞ୍ଜଲୀଳା ପ୍ରସ୍ତାବ , ଚୈତ୍ର ଶୁକ୍ଳ ଦଶମୀ ଦିନ ଅର୍ଥାତ୍ ରାମନବମୀ ପରେ ଯଜ୍ଞରକ୍ଷା ପାଇଁ ଯାନିଯାତ୍ରା ଓ ଏକାଦଶୀଦିନ ବା ସୀତାବିବାହ ଦିନ ପର୍ଶୁରାମ ପ୍ରସ୍ତାବ ଆଦି ଏହି ସାହି ତରଫରୁ ହୁଏ । ଏହି ସାହିର ସାମିଲ ସାହି ବାସେଳୀ ସାହିରୁ ଭାଦ୍ରବମାସ ଶୁକ୍ଳପକ୍ଷ ତୃତୀୟାଦିନ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଓ ଭାଦ୍ରବ ପୂର୍ଣ୍ଣମୀ ଦିନ ଇନ୍ଦ୍ରହାତୀ ପ୍ରସ୍ତାବ ହୁଏ ।

ବାଲିସାହି 

ପୁରୀର ଗଜପତି ମହାରାଜାଙ୍କ ନଅର ଏହି ସାହିରେ ଅବସ୍ଥିତ । କେତେକଙ୍କ ମତରେ ପୂର୍ବେ ଏହି ସ୍ଥାନ ବିଶେଷ ବାଲୁକାମୟ ଥିବାରୁ ଏହାର ନାମ ବାଲିସାହି ହୋଇଛି । ହରଚଣ୍ଡୀ ସାହିର ବାଦିସାହି ଭାବରେ ବାଲିସାହି ପରିଚିତ । ରାମନବମୀଠାରୁ ପୁରୀର ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ପାଳନ କରାଯାଉଥିବା ‘ ସାହିଯାତ ’ ହରଚଣ୍ଡୀ ସାହିରୁ ବାହାରି ବାଲିସାହିକୁ ଓ ବାଲିସାହିରୁ ବାହାରି ହରଚଣ୍ଡୀ ସାହିକୁ ଯାଏ । ଏହି ସାହି ଯାତରେ ସଟରା , କେଳା କେଲୁଣୀ ଗାଡି , ନାଗା , ଦେବୀମେଢ଼ , ଖଣ୍ଡାଖେଳ , ବାଡିବୁଲା ଆଦି ହୁଏ । ଏଥିରେ ସେହି ସାହିର ଯାଗା , ଆଖଡାର ସାଙ୍ଗମାନେ ଅଂଶ ଗ୍ରହଣ କରନ୍ତି । ଏହି ସାହିର ମୁଖ୍ୟ ଛଅଗୋଟି କନ୍ଦି ହେଉଛି ଗଣାମଲ ସାହି , ଗୁଡିଆ ସାହି , ତିଆଡି ସାହି , ଉଆଁସଦାଣ୍ଡ , ଆଠଗଡି ସାହି ଓ ଖୁଣ୍ଟିଆସାହି । ଏତଦ୍‌ବ୍ୟତୀତ ଅନେକ ଛୋଟ ଛୋଟ ଗଳି ମଧ୍ୟରେ ସୁଆରଗଳି , ଭଣ୍ଡାରି ଗଳି , ଶ୍ୱେତଗଙ୍ଗା ଗଳି , ଦାରି ଗଳି , ତଳୁଛି ସାହି , ଧାନକୁଟି ସାହି ଓ ସିଦ୍ଧବକୁଳ ଗଳି ଆଦି ଅନ୍ୟତମ । 

ଏହି ସାହିରେ କେତେଗୁଡିଏ ଯାଗା ଆଖଡା ସାଙ୍ଗକୁ ପୁରୁଣା ନଅରରେ ଅଷ୍ଟଶମ୍ବୁ , ଶ୍ୟାମାକାଳୀ , ବାରାହୀ , ସିଦ୍ଧ ବକୁଳ , ଉଗ୍ରସେନ ମଣ୍ଡପ , ଶ୍ୱତମାନ , ଶ୍ୱେତଗଙ୍ଗା ପୁଷ୍କରିଣୀ , ବାଟଲୋକନାଥ , ବାଟକାଳୀ ଆଦି ଦର୍ଶନୀୟ ସ୍ଥାନ ରହିଅଛି । ସାହି ମଧ୍ୟରେ ସବୁଠାରୁ ପ୍ରାଚୀନ ମଠ ବାଲିମଠ ବା ଶଙ୍କରାଚାର୍ଯ୍ୟ ମଠ , ଶଙ୍କରାନନ୍ଦ ମଠ , ଗୋପାଳତୀର୍ଥ ମଠ , ଶିବତୀର୍ଥ ମଠ , କବୀର ଚଉରା , ବିଦୁର ଆଶ୍ରମ , ବାଉଳି ମଠ , ସ୍ବର୍ଗଦ୍ବାର ମଠ , ବଡତରଳା ଓ ସାନ ତରଳା ମଠ , ଭେଙ୍କଟାଚାରୀ ମଠ , ଗିତି ସ୍ବାମୀମଠ , ସିଦ୍ଧବକୁଳ ମଠ , ରାଧାକାନ୍ତ ମଠ , ଗଙ୍ଗାମାତା ମଠ , ହରିଡାଖଣ୍ଡି ମଠ , ସମାଧ ମଠ , ବଡଝାଡୁ ଓ ସାନଝାଡୁ ମଠ , ରାମଦାସ ମଠ , କୌଶଲ୍ୟଦାସ ମଠ , ରାଘବଦାସ ମଠ , ଲୁଣିଆ ଚଉଧୁରୀ ମଠ , ପଞ୍ଜାବୀ , ମଠ , କୁଞ୍ଜ ମଠ , ଜୟପୁର ମଠ , ଜଗତମୋହିନୀ ମଠ , ଭୂଗୁଆଶ୍ରମ , ଚିକିଟି ମଠ , ଦକ୍ଷିଣପାଶ୍ୱ ମଠର ରଙ୍ଗମହଲ , ଗଙ୍ଗାମାତା ମଠର ଗୋବିନ୍ଦକୁଞ୍ଜ , ବେଦ ବିଦ୍ୟାଳୟ ଓ ଭାରତ ସେବାଶ୍ରମ ଆଦି ରହିଛି । 

ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀଦିନ ବକାସୁର ବଧ ପ୍ରସ୍ତାବ ଏହି ସାହି ତରଫରୁ ଶ୍ରୀମନ୍ଦିରରେ କରାଯାଏ । ଏହିଦିନ ଜଣେ କୃଷ୍ଣବେଶ ଓ ଜଣେ ବକାସୁର ବେଶ ହୋଇ ଏହି ନୀତି ସଂପାଦନ କରନ୍ତି । ଏହା ବ୍ୟତୀତ ବୈଶାଖ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନ ସେତୁବନ୍ଧ ପ୍ରସ୍ତାବ , ଦ୍ବିତୀୟାଦିନ ରାବଣ ବଧ ପ୍ରସ୍ତାବ ଏହି ସାହିଦ୍ବାରା ସଂପାଦିତ ହୁଏ ।

କାଳିକାଦେବୀ ସାହି 

ଦକ୍ଷିଣକାଳୀ ଓ ଗଛକାଳୀ ଥିବାରୁ ଏହି ସାହିର ନାମ କାଳିକାଦେବୀ ସାହି ହୋଇଛି । ଏହି ସାହି ସହିତ ମାଟିମଣ୍ଡପ ସାହି ସାମିଲ ରହିଅଛି । ଏହି ସାହିସ୍ଥ ମୁଖ୍ୟ ଛଅଟି କନ୍ଦିର ନାମ ହେଉଛି - ମାଟିମଣ୍ଡପ ସାହି , ତିଳକମାଟିଆ ସାହି , ଅଲେଇ ସାହି , ନୂଆପାଟଣା , ଅଙ୍ଗାରୁଆ ଗଳି ଓ ହନୁମନ୍ତ ସାହି । ଏହା ବ୍ୟତୀତ କାଳିଗଳି , ପଡ଼ିଆରୀ ଗଳି , ମୁଦୁଲିଗଳି , ମହାପାତ୍ର ଗଳି , ପାଢ଼ି ଗଳି ଓ ଗଛକାଳି ଗୁଳି ଆଦି ଛୋଟ ଛୋଟ ଗଳି ଅଛି । ସାହି ମଧ୍ୟରେ ମହାକାଳେଶ୍ଵର , ଦକ୍ଷିଣକାଳୀ , ଗଛକାଳୀ ଆଦି ଦେବ ଦେବୀ ଓ ଏମାର ମଠ , ନରସିଂହ ଆଚାରୀ ମଠ , ମଙ୍ଗୁମଠ ଓ ଅବଧୂତ ମଠ ଆଦି ବିଭିନ୍ନ ସାଂପ୍ରଦାୟିକ ମଠ ରହିଛି ।

ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ଦିନ କାଳୀୟ ଦଳନ ଉତ୍ସବ ମାର୍କଣ୍ଡେଶ୍ଵର ପୁଷ୍କରଣୀରେ ହୁଏ । ଏଥିପାଇଁ ମାଟିମଣ୍ଡପ ସାହିର ଜଣେ ଲୋକ କାଳୀକୃଷ୍ଣ ହୁଅନ୍ତି । ଏହା ବ୍ୟତୀତ ଭାଦ୍ରବ ଅମାବାସ୍ୟା ଦିନ କାଳିକାଦେବୀ ସାହି ତରଫରୁ କୃଷ୍ଣଲୀଳାର ସ୍ମାରକୀରୂପେ ବସ୍ତ୍ରହରଣ ପ୍ରସ୍ତାବ , ଭାଦ୍ରବ ଶୁକ୍ଳ ପ୍ରତିପଦା ଦିନ ମାଟିମଣ୍ଡପ ସାହି ତରଫରୁ ଦାବାଗ୍ନି ଲୀଳା , ଭାଦ୍ରବ ଶୁକ୍ଳ ସପ୍ତମୀଦିନ କାଳିକାଦେବୀ ସାହି ତରଫରୁ କେଶୀବଧ ପ୍ରସ୍ତାବ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଏ ।

ଦୋଳମଣ୍ଡପ ସାହି 

ସାତସାହି ମଧ୍ୟରେ ଦୋଳମଣ୍ଡପ ସାହି ଅନ୍ୟତମ । ଏହି ସାହିକୁ ‘ ଦେଉଳମୁଣ୍ଡି ସାହି ’ ବୋଲି କେତେକ କହନ୍ତି । କିନ୍ତୁ ଜଣାଯାଏ ଯେ ବହୁ ପ୍ରାଚୀନ କାଳରୁ ଶ୍ରୀ ଜଗନ୍ନାଥଙ୍କ ଦୋଳମଣ୍ଡପ ଏହି ସାହିରେ ଥିବାରୁ ଏହାର ନାମ ଦୋଳମଣ୍ଡପ ସାହି । ଅନ୍ୟ କେତେକଙ୍କ ମତରେ ଏହା ଦେଉଳର ପୂର୍ବଦିଗରେ ( ମୁଣ୍ଡ ଦେଶରେ ) ଥିବାରୁ ଏହାର ନାମ ଦେଉଳମୁଣ୍ଡି ସାହି ହୋଇଛି । ଏହି ସାହି ମଧ୍ୟସ୍ଥ ଛଅଗୋଟି ମୁଖ୍ୟ କନ୍ଦିର ନାମ ହେଉଛି ବାଲୁଖଣ୍ଡ ସାହି , ମୋଚି ସାହି , ଖଟୁଆ ସାହି , କରତିଆ ସାହି , ମରି ସାହି ଓ ଗହ୍ମାବେଦି ସାହି । ଏହା ବ୍ୟତୀତ ହାବେଳି ଗଳି , ହଳଦିଆ ମଠ ଗଳି , ପାତ୍ର ସାହି , ଦଇତା ଗଳି , ମାଟିମଣ୍ଡପ ଗଳି , ଖଟୁଆ ସାହି , ନୂଆସାହି ଆଦି ଅନ୍ୟତମ । ଏହି ସାହି ମଧ୍ୟରେ ଷୋଳପୁଅମାଆ , ନାରାୟଣୀ , କାଳିକା , ବାନାମ୍ବର ଆଦି ଦେବ ଦେବୀ ଅଛନ୍ତି । କେବଳ ସେତିକି ନୁହେଁ , ରାଧାବଲ୍ଲଭ ମଠ , କୋଠଭୋଗ ମଠ , ଡମପଡ଼ା ମଠ , ହଳଦିଆ ମଠ, ଝାଞ୍ଜପିଟା ମଠ , ସିଦ୍ଧ ମଠ , ନେବଳଦାସ ମଠ ଓ ପ୍ରାଚୀନ ଅଙ୍ଗିରା ଆଶ୍ରମ ଆଦି ରହିଛି । 

ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ଵାଦଶୀଦିନ ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ପ୍ରସ୍ତାବ ଓ ଚୈତ୍ର ପୂର୍ଣ୍ଣିମା ଦିନ ଲଙ୍କାପୋଡି ପ୍ରସ୍ତାବ ଏହି ସାହି ତରଫରୁ କରାଯାଏ ।

କୁଣ୍ଢେଇବେଣ୍ଟ ସାହି 

ଦୋଳମଣ୍ଡପ ସାହିର ବାଦିସାହି ଭାବରେ ଏହି ସାହି ପରିଚିତ । ସାହିର ଛଅଗୋଟି କନ୍ଦିର ନାମ ହେଉଛି ଚିତ୍ରକାର ସାହି , ସୁଆର ସାହି , ରାମଚଣ୍ଡୀ ସାହି , ପଥୁରି ଆ ସାହି , ଦଇତାପଡା ସାହି ଓ ହେରା ଗୋହିରୀ ସାହି । ଏହି ସାହି ମଧ୍ୟରେ ନଅରଗଳି , ବଣି ଆଗଳି , ଶ୍ୟାମକୁଞ୍ଜ ଗଳି , ମର୍ଚ୍ଚକୋଟଗଳି , ମାର୍କେଟଗଳି , ବଳଭଦ୍ର ଗଳି , ଭାରତୀମଠ । ଗଳି , ବଳଗଣ୍ଡିଗଳି , କାଚରାଗଳି , ଅନଙ୍କିଆ ଗଳି , ବଡ଼ଶଙ୍ଖ ଗଳି , ପଣ୍ଡିତ ମଠ ଗଳି , ତଳ ନୂଆସାହି , ଉପର ନୂଆସାହି , କୁମୁଟିସାହି , ପଟିଆରାଣୀ ଲେନ୍ , ମାଉସୀମା ଗଳି ଓ ଦରତୋଟା ଆଦି ଅନେକ ଛୋଟ ଛୋଟ ଗଳି ଅଛି । 

ଏହି ସାହି ର ଇଷ୍ଟଦେବ ନୀଳକଣ୍ଠ ଓ ଇଷ୍ଟଦେବୀ ରାମଚଣ୍ଡୀ ଠାକୁରାଣୀ । ଏହାଙ୍କ ବ୍ୟତୀତ ଏହି ସାହିରେ ମର୍ଜକୋଟ ଠାକୁରାଣୀ , ବୁଢ଼ୀମା , ମୁହାଣ ରାମଚଣ୍ଡୀ , ମାଉସୀମା , ହାତଯୋଡି ଠାକୁରାଣୀ , ଝାଡେଶ୍ୱରୀ , ସିଦ୍ଧମହାବୀର ଆଦି ଦେବଦେବୀ ଅଛନ୍ତି । ଏହି ସାହି ମଧ୍ୟରେ ଶିଶୁ ମଠ , ପଣ୍ଡିତ ମଠ , ନୂଆମଠ , ସୁନ୍ଦରଦାସ ମଠ , ଘୁମୁସର ମଠ , ଡଗରା ମଠ , ଝାଞ୍ଜପିଟାମଠ , ଭାରତୀମଠ , ପାଟରା ମଠ , ଲାଣ୍ଡିମାତା ମଠ , ପୁରାରିସଭା ମଠ , ଲବଣିଆ ମଠ , ରାଜଗୁରୁମଠ , ଗନ୍ଧର୍ବ ମଠ , ପରମାନନ୍ଦ ଦାସ ମଠ , ଗୋସ୍ଵାମୀ ମଠ , ନିଦାସ ମଠ , ବଳିବାବାଜି ମଠ , ବଡ଼ାମଠ , ଫଳଆହାରୀ ମଠ , ଚାଉଳିଆ ମଠ , ବଳଗଣ୍ଡି ମଠ , ଖେଲୋର ମଠ , ଅହଲ୍ୟା ମଠ , ବ୍ରହ୍ମଚାରୀ ମଠ , ସୁନା ଗୌରାଙ୍ଗ ମଠ , ଜେଜେରାମ ମଠ , ମହାବିରିଆ ମଠ , ମଣିରାମ ମଠ , ରୀମାଛତ୍ର , ଜୟପୁର ମଠ , ରାଣୀମଠ ବା କେନ୍ଦୁଝର ମଠ , ପଟିଆରାଣୀ ମନ୍ଦିର , ନିମ ଆଖଡ଼ା , ହାତୀ ଆଖଡା , ବାଘ ଆଖଡା , ସାଲବେଗ ମଠ , କଦଳୀ ପଟୁକା ମଠ , ଦଶବତାର ମଠ , ଜଗନ୍ନାଥ ବଲ୍ଲଭ ମଠ , ଖାକି ଆଖଡା , କାପୁଡିଆ ମଠ ଅଛି ।

ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ଦିନ ଏହି ସାହି ପକ୍ଷରୁ ଶ୍ରୀମନ୍ଦିରରେ ଧେନୁକାସୁର ବଧ ପ୍ରସ୍ତାବ ଓ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀଦିନ ମାୟାମୃଗ ପ୍ରସ୍ତାବ ହୁଏ । ଭାଦ୍ରବ ଶୁକ୍ଳଦଶମୀ ଦିନ ଶ୍ରୀଜଗନ୍ନାଥ ମନ୍ଦିରରୁ ରାମକୃଷ୍ଣଙ୍କୁ ଲବଣୀଖିଆକୁ ଅଣାଯାଏ । ଏଠାରେ ସର , ଲବଣୀ , ମାଖନ ଆଦି ଭୋଗ ହେବା ପରେ ଠାକୁରଙ୍କୁ ଜଗନ୍ନାଥ ବଲ୍ଲଭ ମଠକୁ ନିଆଯାଏ । ସେଠାରେ ଅକ୍ରୁର ପ୍ରସ୍ତାବ , ଧନୁଶର ପ୍ରସ୍ତାବ ଓ ମଲ୍ଲଯୁଦ୍ଧ ପ୍ରସ୍ତାବ ହୁଏ । ଶ୍ରୀନଅର ଆଗରେ ଘଟୁଆରୀ କୁବୁଜାବେଶ ସାଜି ଡାଲାରେ ଗୁଆ , ଖଇର ଆଦି ରାମକୃଷ୍ଣଙ୍କୁ ଭୋଗ କରନ୍ତି । ସିଂହଦ୍ୱାର ପାଖରେ କୁବଳୟାଗଜ ପ୍ରସ୍ତାବ ଓ କଂସ ବଧ ପ୍ରସ୍ତାବ ହୁଏ । ଏହି ସବୁ ନୀତି ପରେ ଉଗ୍ରସେନ ବେଶରେ ଥିବା ବ୍ୟକ୍ତିକୁ ଶାଢ଼ୀ ଦିଆଯାଏ ।

ମାର୍କଣ୍ଡେଶ୍ଵର ସାହି

ବିଭିନ୍ନ ଯାନିଯାତ୍ରା ସମୟରେ ନାଗା ମେଢ଼ , ସଟରା ଆଦି ବିଭିନ୍ନ ପ୍ରକାର ବେଶ ସହିତ ଯୁଦ୍ଧ କୌଶଳ , ବନାଟିବୁଲା , ବାଡିବୁଲା ଆଦିର ପ୍ରଦର୍ଶନ । ଯଥେଷ୍ଟ ଉତ୍ସାହପ୍ରଦ ତଥା ଉପଭୋଗ୍ୟ ବସ୍ତୁ । ଏହି ସବୁ କର୍ମ ମୂଳରେ ଥିଲା । କେବଳ ଗୋଟିଏ ମାତ୍ର ପ୍ରେରଣା । ତାହା ହେଉଛି ଶ୍ରୀଜଗନ୍ନାଥଙ୍କ ଯାତ୍ରା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା । କେବଳ ସେତିକି ନୁହେଁ ବିଭିନ୍ନ ଯାଗା ଆଖଡାର । ଚନ୍ଦନ ମଉଜ ଆଦି ମଧ୍ୟ ବେଶ ଉପଭୋଗ୍ୟ ବସ୍ତୁ । ଏହାରି ମଧ୍ୟରେ ସାହିର ଯୁବକମାନେ ସେମାନଙ୍କର ସନ୍ତରଣ କୌଶଳ ଆଦି ଦେଖାନ୍ତି । 

ମୋଟଉପରେ କହିବାକୁ ଗଲେ ଏହି ସାତସାହି ବୟାଳିଶ କନ୍ଦି ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ଵରେ ଗଢ଼ିଉଠିବା ସଙ୍ଗେ ସଙ୍ଗେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିୟମ ପର୍ବପର୍ବାଣି ଓ ଯାନିଯାତ୍ରା ସହିତ ଓତଃପ୍ରୋତ ଭାବରେ ଜଡିତ ରହୁଥିଲେ । ସାହିମାନଙ୍କରେ ଗଢ଼ିଉଠିଥିବା ଯାଗା ଆଖଡାର ମୂଳ ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ମନ୍ଦିରକୁ ବିଭିନ୍ନ ବିପଦରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଯାନିଯାତ୍ରା ସମୟରେ ଶୃଙ୍ଖଳା ରକ୍ଷା କରିବା । ସେହିପରି ସାହି ମଧ୍ୟରେ ଗଢ଼ିଉଠିଥିବା ମଠଗୁଡିକର ଉଦ୍ଦେଶ୍ୟ ଥିଲା ଧର୍ମର ସୁରକ୍ଷା , ଅତିଥି ଅଭ୍ୟାସଗତ ଚର୍ଚ୍ଚା , ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ ଓ ମନ୍ଦିରର ସେବା ପୂଜାରେ ସହାୟତା ପ୍ରଦାନ କରିବା । କିନ୍ତୁ କାଳର କରାଳ ଗର୍ଭରେ ଏଗୁଡିକରୁ କେତେକ ଲୋପ ହୋଇଯାଇଥିଲେ ମଧ୍ୟ ତାର ପ୍ରଭାବ ଏବେ ମଧ୍ୟ ରହିଛି । 

ଓଡିଆ ସଂସ୍କୃତିର ମୁଳପୀଠ ତଥା ସାଂସ୍କୃତିକ ନଗରୀ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ମୁଣ୍ଡଟେକି ରହିଛି । ଶ୍ରୀ ଜଗନ୍ନାଥ ମନ୍ଦିରର ରୀତି ନୀତି , ଆମୋଦପ୍ରମୋଦ ଯାନିଯାତ୍ରା ଓ ପର୍ବପର୍ବାଣି ସହିତ ଏଠାକାର ସ୍ଥାନୀୟ ବାସିନ୍ଦା ଓତଃପ୍ରୋତ ଭାବରେ ଜଡ଼ିତ । ଖ୍ରୀ : ୧୮୪୪ ବେଳକୁ ପୁରୀ ଥିଲା ଶ୍ରୀଜଗନ୍ନାଥଙ୍କର ସର୍ବସ୍ବ । ଏଥିରେ ବାସ କରୁଥିବା ସମସ୍ତ ବାସିନ୍ଦା ଥିଲେ ଶ୍ରୀଜଗନ୍ନାଥଙ୍କର ସେବାୟତ । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ଉଦ୍ଦେଶ୍ୟରେ ଆଗତ ଲୋକମାନେ ଏଠାରେ ବାସିନ୍ଦା ହୋଇଛନ୍ତି । 

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଧାନ୍ୟ ଲାଗି ଏହି ସହର ଏକ ପର୍ଯ୍ୟଟନ କେନ୍ଦ୍ରରୂପେ ପ୍ରତିଭାତ ହୋଇଛି । ଏଠାରେ ବାସିନ୍ଦା କେବଳ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲେ ମଧ୍ୟ କେତେକ ବିଭିନ୍ନ ପ୍ରକାର ବ୍ୟବସାୟରେ ଲିପ୍ତ ଅଟନ୍ତି । ବିଦେଶାଗତ ତୀର୍ଥଯାତ୍ରୀଙ୍କୁ ଏମାନେ ଆତିଥ୍ୟ ପ୍ରଦାନ କରିବା । ସଙ୍ଗେ ସଙ୍ଗେ ସେମାନଙ୍କର ପଣ୍ଡାରୂପେ ପରିଗଣିତ ହୋଇଛନ୍ତି ।

0
0
0
s2sdefault