ହେଡଲାଇନସ୍:

ବାଲେଶ୍ୱର ଉପନିର୍ବାଚନ : ରୁଟି ସେକିଲେ ଅପରାଜିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାନସଙ୍କ ପାଇଁ କମର କଷିଲେ ଷଢଙ୍ଗି ଆଣ୍ଡ ଷଢଙ୍ଗି 

ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଦ୍ୱିତୀୟଥର ପାଇଁ ବାଲେଶ୍ୱର ଆସି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ମିଶି ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ନିମନ୍ତେ ଆଜି ମାରାଥନ୍ ପ୍ରଚାର କରିଛନ୍ତି । ସକାଳେ ବାଲେଶ୍ୱର ସହରର ସିନେମାଛକ, ଷ୍ଟେସନଛକ, ଫକୀରମୋହନ ଗୋଲେଇ ପ୍ରଭୃତି ଅଞ୍ଚଳରେ ଥିବା ଚା’ଖଟି ଓ ଜଳଖିଆ ଦୋକାନରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କ ସମେତ ଦୋକାନୀଙ୍କ ସହ ସେ ଆଲୋଚନା କରିଛନ୍ତି । ବିଶେଷ କରି ପୌରପାଳିକାର ବିଫଳତା ଯୋଗୁଁ ରାସ୍ତାପାର୍ଶ୍ୱ  ଉଠାଦୋକାନୀ ସାମ୍ନା କରୁଥିବା ସମସ୍ୟା ଓ ଅବ୍ୟବସ୍ଥିତ ଡ୍ରେନେଜ ସିଷ୍ଟମ ପାଇଁ ସୃଷ୍ଟି ହୋଇଥିବା ପୁତିଗନ୍ଧମୟ ପରିବେଶ ସମ୍ପର୍କରେ ମନ୍ତ୍ରୀ ଓ ସାଂସଦ ଲୋକମାନଙ୍କ ଆଲୋଚନା କରିଥିଲେ । ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା  ଜନିତ ଅବହେଳା ଉଠାଦୋକାନୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଥିବା ସେମାନେ କହିଥିଲେ । ସହରକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ଶହ ଶହ କୋଟି ଟଙ୍କା କୁଆଡେ଼ ଗଲା, ତା’ର ହିସାବ ମାଗିବା ବେଳ ଏବେ ପହଞ୍ଚିଛି ବୋଲି ସେମାନେ ଲୋକଙ୍କୁ କହିଥିଲେ । ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏକ ଦୋକାନରେ ରୋଟି ସେକିଥିବା ଦେଖିବାକୁ ମିଳିଥିଲା । ପରେ ସାଂସଦ ଓ ମନ୍ତ୍ରୀ ସହଯୋଗୀ ତଥା ଦଳୀୟ କର୍ମୀଙ୍କ ସହ ସହରର ମିର୍ଜାପୋଖରୀ, ଗୋପାଳଗାଁ ପ୍ରଭୃତି ଅଞ୍ଚଳରେ ଡୋର କ୍ୟାମ୍ପେନିଂ କରିବା ସହ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟଭିକ୍ଷା କରିଥିଲେ । ପରେ ସେମାନେ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ଓ ପଞ୍ଚୁପଡ଼ା ଅଞ୍ଚଳରେ ରୋଡ଼ ସୋ’ରେ ଯୋଗଦେବା ସହ ଏକାଧିକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ୨୧ ବର୍ଷର ଶାସନ କାଳରେ ଜନସାଧାରଣଙ୍କୁ ମୌଳିକ ସେବା ପ୍ରଦାନରେ ବିଫଳ ହୋଇ ରାଜ୍ୟ ସରକାର କେବଳ କର୍ମୀ ତୋଷଣକୁ ଗୁରୁତ୍ୱ ଦେଇ ଆସିଛି ବୋଲି ସେମାନେ ଅଭିଭାଷଣରେ ପ୍ରକାଶ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପ୍ରଭୃତି କ୍ଷେତ୍ରରେ ବିଫଳ ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ହରିଲୁଟ୍ କରିଚାଲିଛି ବୋଲି ସେମାନେ ଆରୋପ ଉଠାଇଥିଲେ । ଶାସକଦଳର ମିଥ୍ୟା ପ୍ରତିଶ୍ରୁତିରେ ନ ଭୁଲି ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସଙ୍କୁ ଅଧିକ ଭୋଟରେ ଜିତାଇବାକୁ ମନ୍ତ୍ରୀ ଓ ସାଂସଦ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

 

0
0
0
s2sdefault