ହେଡଲାଇନସ୍:

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ମାନସ ଦାସପଟ୍ଟନାୟକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର(ଶାସକ ପ୍ରଶାସକ) : ବାଲେଶ୍ୱର ସଦର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଜମି ଆସୁଥିବା ବେଳେ ଛାମୁଆ କର୍ମୀ ଓ ନେତାଙ୍କ ଦଳ ବଦଳ ଏବେ ବି ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ସବୁ ଦଳ ପକ୍ଷରୁ ଜିତିବା ପାଇଁ ଚାଲିଛି ରୀତିମତ୍ ଉଦ୍ୟମ । ଏହି ପରିପ୍ରେକ୍ଷୀରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମାନସ ଦାସପଟ୍ଟନାୟକ ଆଜି ବିଜେଡିରେ ବିଧିବଦ୍ଧ ଯୋଗଦାନ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିବା ସହିତ ମାନସ ଦାସପଟ୍ଟନାୟକଙ୍କ ଯୋଗଦାନ ଦଳର ଶକ୍ତିବୃଦ୍ଧିରେ ସହାୟକ ହୋଇଛି ବୋଲ କହିଥିଲେ । ଆଇନମନ୍ତ୍ରୀ ପ୍ରତାପ ଜେନା, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ପ୍ରମୁଖ ଏଥିିରେ ଯୋଗଦେଇ ଶ୍ରୀ ଦାସପଟ୍ଟନାୟକଙ୍କୁ ଦଳୀୟ ଉତ୍ତରରୀୟ ପିନ୍ଧାଇ ଆନୁଷ୍ଠାନିକ  ଭାବେ ଦଳକୁ ସ୍ୱାଗତ କରିଥିଲେ ।  ଶ୍ରୀ ଦାସପଟ୍ଟନାୟକଙ୍କ ଆଗମନ ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ନିଶ୍ଚିତ କରିପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଲୋକମାନଙ୍କର ସେବା କରିବା ସାଙ୍ଗକୁ ବାଲେଶ୍ୱରର ବିକାଶକୁ ଆଗେଇ ନେବାର ଥିବା ସୁଯୋଗକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି ବୋଲି ମାନସ ପ୍ରକାଶ କରିଛନ୍ତି । ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

୨୯ ନଂ ୱାର୍ଡରେ  ବିଜେଡିର ନର୍ବାଚନୀ ସଭା: ସ୍ୱରୂପ ଦାସଙ୍କୁ ବିଜୟୀ କରିବାକୁ ନିବେଦନ

ବିଜୁ ଜନତା ଦଳ ପକ୍ଷରୁ ୨୯ ନଂ ୱାଡର଼୍ରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ  ହୋଇଯାଇଛି । ସ୍ଥାନୀୟ କ୍ୟାଥୋଲିକ୍ ପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଂଜ ଜିଲ୍ଲା ଉଦଳାର ପୂର୍ବତନ ବିଧାୟକ ତଥା  ଏହି ୱାଡର଼୍ର ବିଜେଡି ପ୍ରଭାରୀ ଶ୍ରୀନାଥ ସୋରେନ୍ ଅଧ୍ୟକ୍ଷତା କରିବା ସହିତ ଆସନ୍ତା ସଦର ଉପ-ନିର୍ବାଚନରେ ଏକମାତ୍ର ଯୋଗ୍ୟପ୍ରାର୍ଥୀ ବିଜେଡିର ସ୍ୱରୂପ ଦାସଙ୍କୁ ଜିତାଇବାକୁ କହିଥିଲେ । ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ପ୍ରମୁଖ ଏଥିରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ସୁଶାସନ ଉପରେ ଭରସା କରି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ବିଜୟୀ କରିବାକୁ ଉପସ୍ଥିତ ୱାଡର଼୍ବାସୀଙ୍କୁ ନିବେଦନ କରିଥିଲେ । ପୂର୍ବତନ ପୌରପାଳ ଆଲୋକ ସାହୁ, ବରିଷ୍ଠ ବିଜେଡି ନେତା ସନତ ଦାସ,   ଆଇନଜୀବୀ ଦୀପକ ଦାଶ ପ୍ରମୁଖ ଏଥିରେ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ପୂର୍ବତନ ୱାଡର଼୍ କାଉନସିଲର ଅନୂପ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ କାର୍ତ୍ତିକ ଚନ୍ଦ୍ର ସାହୁ, ସୁଦୀପ୍ତ ପିଟର,ଅରୂପ ଯୋଶେଫ, ତୁଫାନ୍ ଆନ୍ଥୋନି ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀ ସୋରେନ୍ଙ୍କ ସହଯୋଗୀ ଶଶଧର ସ୍ୱାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault