ଅଚାନକ ବଡ ଦାଣ୍ଡରେ ନବୀନ, ସିଂହଦ୍ୱାରରୁ କଲେ ପତିତପାବନ ଦର୍ଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  • ସ୍ବପ୍ନ ପ୍ରକଳ୍ପର କଲେ ସମୀକ୍ଷା, ପାଦରେ ଚାଲି ଚାଲି ମେଘନାଦ ପାଚେରୀ ଚାରିପାଖ କଲେ ପରିକ୍ରମା 
  • ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦେଲେ ନିର୍ଦ୍ଦେଶ, ଦର୍ଶନାର୍ଥୀଙ୍କ ସ୍ଵାଚ୍ଛନ୍ଦ୍ୟ ପ୍ରତି ଯତ୍ନବାନ ହେବାକୁ ଦେଲେ ପରାମର୍ଶ 

ପୁରୀ : ଆଜି ଅପରାହ୍ନରେ ଅଚାନକ ବଡ଼ଦାଣ୍ଡରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସିଂହଦ୍ୱାର ସାମନାକୁ ଯାଇ ସେଠାରୁ ପତିତପାବନ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କରିଥିଲେ କାଳିଆକୁ ପ୍ରାର୍ଥନା | ଏଥିସହ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଚାଲୁଥିବା ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର ଓ ଅବଢ଼ା ଯୋଜନା କାର୍ଯ୍ୟର ଅଗ୍ରଗତି ନେଇ କରିଥିଲେ ସମୀକ୍ଷା । ଭକ୍ତମାନଙ୍କ ଧାଡ଼ି ଦର୍ଶନକୁ ସହଜ ଏବଂ ବୟସ୍କ ଓ ଭିନ୍ନକ୍ଷମଙ୍କ ସୁବିଧାକୁ ବିଶେଷ ଗୁରୁତ୍ୱ ଦେଇ ବ୍ୟବସ୍ଥାର ବିକାଶ କରାଯାଉଥିବା ବେଳେ  ଶ୍ରୀମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ଆସନ୍ତା ଜାନୁଆରୀ ୧ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଉ ସବୁଠାରୁ ବଡ଼କଥା ହେଲା ଯେ ମେଘନାଦ ପାଚେରୀ ଚାରିପଟେ ଚାଲି ଚାଲି ବୁଲିବା ଓ ପ୍ରତିଟି ବିକାଶ କାମକୁ ଟିକିନିଖି କରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ | 

। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ପୁରୀବାସୀ କରିଥିବା ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ  ଏହି ତ୍ୟାଗକୁ କେବେ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ଓ  ଓଡ଼ିଆ ଜାତି ଏବଂ କୋଟି କୋଟି ଜଗନ୍ନାଥ ଭକ୍ତ ଏହି ତ୍ୟାଗ ନିକଟରେ ସର୍ବଦା ଋଣୀ ରହିବେ। ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |

ଅପରାହ୍ନ ୫ଟା ରେ ମୁଖ୍ୟମନ୍ତ୍ରୀ ସିଧା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । କୋଭିଡ କଟକଣା ଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବାରୁ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରୁ ଆଗ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ଚାରିପଟେ ୭୫ ମିଟର ସୁରକ୍ଷା ଜୋନ୍ ବୁଲି ଦେଖିଥିଲେ । ଉନ୍ନୟନ କମିଶନର ସୁରେଶ ମହାପାତ୍ର, ବ୍ୟକ୍ତିଗତ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍,ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସକ ଡ. କ୍ରିଷନ୍ କୁମାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ |  ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଯେଭଳି ସିଂହଦ୍ୱାର ବାଟେ ଅନାୟାସରେ ଯାଇପାରିବେ ଓ ଧାଡିରେ ଠିଆ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ଵାଚ୍ଛନ୍ଦ୍ୟ ପାଇଁ  ବ୍ୟବସ୍ଥା କରାଇବା ସହ  ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ  ଇଲେକ୍ଟ୍ରିକ୍ ଗାଡିର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ ।

ମେଘନାଦ ପାଚେରୀର ଦକ୍ଷିଣ ପଟରେ ଗଛ ଲଗାଇ ଭକ୍ତଙ୍କୁ ଛାଇର ସୁବିଧା ଦେବା, ପଶ୍ଚିମ ପଟରେ କୌଣସି ବିଦ୍ୟୁତ ସବଷ୍ଟେସନ୍ କିମ୍ବା ମାଷ୍ଟର ପ୍ଲାନ୍ କଣ୍ଟ୍ରୋଲ୍ ରୁମ୍ ନ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସେଠାରେ ଥିବା ସେସୁ କଣ୍ଟ୍ରୋଲ୍ ରୁମ୍ କୁ ସ୍ଥାନାନ୍ତର କରାଯିବ । ମନ୍ଦିର ପରିକ୍ରମା ବେଳେ ଭକ୍ତମାନେ ମେଘନାଦ ପାଚେରୀ ଦେଖିବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଉତ୍ତର ପଟ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମହାପ୍ରସାଦ ବଣ୍ଟନର ପର୍ଯ୍ୟପ୍ତ ସୁବିଧା କରିବାକୁ ପରାମର୍ଶ ଦେଇଥିଲେ । ଗୋଟିଏ ଥରରେ ବହୁତ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା କରିବାକୁ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସବୁ କାମ ଚାଲିଛି ବୋଲି ମତ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର । ଆଜି ଶ୍ରୀମନ୍ଦିିରର ଚତୁଃପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରିବା ସହିତ କାର୍ଯ୍ୟ ର ସୁପରିଚାଳନା ନିମନ୍ତେ ମୁଖ୍ୟ ପ୍ରଶାସକ ଙ୍କୁ ଦାୟିତ୍ୱ ଦିଆଯାଇଛି । ପଞ୍ଜାବୀ ମଠ, ନେପାଳ ଭବନ, ମେଘନାଦ ପ୍ରାଚୀର କୁ ଲାଗି ୭୫ ମିଟର ପରିଧି ମଧ୍ୟରେ ଥିବା ଇଲେକ୍ଟ୍ରି ଅଫିସ କୁ ଯାଇ କାହିଁକି ଏତେ କମ୍ ପରିଧି ମଧ୍ୟରେ ଅଫିସ୍ ରହିଛି ବୋଲି ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ର ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରିମ ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଯେଉଁଥିରେ ୭୫ ମିଟରର ଶ୍ରୀମନ୍ଦିର ଚତୁଃପାର୍ଶ୍ୱ କରିଡରର ଉନ୍ନତିକରଣ କରାଯିବ ବୋଲି ଲକ୍ଷ୍ୟ ରହିଛି ତେବେ ଏହି ଉନ୍ନତିକରଣ ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର ୩ ମାସ ଭିତରେ ଭୂମି ଅଧିଗ୍ରହଣ କାର୍ଯ୍ୟ ସରିଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦୁଇଟି ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟ ୩ଟି ପ୍ରୋଜେକ୍ଟର କାର୍ଯ୍ୟ ଆଉ ୩ ମାସ ମଧ୍ୟରେ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି ପୁରୀ ରେ ମୁଖ୍ୟମନ୍ତ୍ରୀ ଙ୍କ ମାର୍ଗଦର୍ଶନରେ ସବୁ କାର୍ଯ୍ୟ ସଠିକ୍ ଭାବେ ହେବ ବୋଲି କହିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।

0
0
0
s2sdefault