ହେଡଲାଇନସ୍:

  ଅବହେଳାରୁ ସଚିବାଳୟ ସେବାବର୍ଗ କ୍ଷତିଗ୍ରସ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସଚିବାଳୟର ବିଭିନ୍ନ ବିଭାଗରେ କାମକରୁଥିବା ବିଧି ଅଧିକାରୀ ମାନଙ୍କର ସଚିବାଳୟ ସେବାରେ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତିକୁ ନେଇ ରାଜ୍ୟ ପ୍ରଶାସନିକ ନ୍ୟାୟାଧୀକରଣ ଠାରୁ ଆରମ୍ଭ କରି ଦେଶର ଉଚ୍ଚତମ ନ୍ୟାୟଳୟ ପର୍ଯ୍ୟନ୍ତ ଦୀର୍ଘ କୋଡିଏବର୍ଷ ଧରି ଚାଲିଥିବା ମାମଲା ଶେଷରେ ଚଳିତମାସ ଏକ ତାରିଖ ଦିନ ଶେଷ ହୋଇଛି। ଉଚ୍ଚତମ ନ୍ୟାୟଳୟ ରାଜ୍ୟ ଉଚ୍ଚନ୍ୟାୟାଳୟର ଆଦେଶକୁ କାଏମରଖି ଯୋଗ୍ୟ ବିଧିଅଧିକାରୀ ମାନଙ୍କୁ ୨୦୦୧ ବର୍ଷଠାରୁ ପିଛିଲା ଭାବେ ପଦୋନ୍ନତି ଦେବାକୁ  ନିର୍ଦ୍ଦେଶ ଦେଇଥିବା ବେଳେ , ଇତି ମଧ୍ୟରେ ଅନ୍ୟ ଯେଉଁମାନେ ପଦୋନ୍ନତି ପାଇଛନ୍ତି ସେମାନଙ୍କର ପଦବୀ ଓ ଦରମା ବଳବତର ରଖିବାକୁ କହିଛନ୍ତି । ଏଥିଯୋଗୁଁ  ବିଧିଅଧିକାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଥିବା ବେଳେ, ସଚିବାଳୟ ସେବାର ଅଧିକାରୀ ମାନେ ନିଜ ନିଜର ପଦବୀ କେତେ ପ୍ରଭାବିତ ହେବ , ତା’ର ଅଙ୍କ କଷୁଥିବା  ଏବଂ ଏ’ ନିର୍ଦ୍ଦେଶ କେବେ ଓ କିପରି କାର୍ଯ୍ୟକାରୀ ହେବ, ସେ ନେଇ ଚର୍ଚ୍ଚା କରୁଥିବା  ଦେଖିବାକୁ ମିଳିଛି ।

ହସ୍ତଗତ ତଥ୍ୟ ଅନୁଯାୟୀ ସଚିବାଳୟ ସେବା ନିୟମ,୧୯୮୦ ଅନୁସାରେ ସଚିବାଳୟ ସେବାରେ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ୨୦୦୦ ମସିହା ପର୍ଯ୍ୟନ୍ତ ହୋଇଆସୁଥିଲା । ଉଭୟ ବିଧିଅଧିକାରୀ ଓ ସଚିବାଳୟ ସେବାର ଅଧିକାରୀ ମାନେ ନିଜ ନିଜ କ୍ଷେତ୍ରରେ ଦଶବର୍ଷ ଲେଖାଏଁ କାର୍ଯ୍ୟକରିଥିଲେ, ଏ ପଦୋନ୍ନତି ପାଉଥିଲେ । ଉପରୋକ୍ତ ନିୟମକୁ ୨୦୦୧ ମସିହାରେ ସଂଶୋଧନକରି ସଚିବାଳୟ ସେବାର ଅଧିକାରୀଙ୍କ ପାଇଁ ସାତବର୍ଷର ସମୟସୀମା ରଖିବା ବେଳେ , ଜଣେ ବିଧିଅଧିକାରୀ ସଚିବାଳୟ ସେବାରେ ଥିବା ତାଙ୍କ ସମସାମୟିକ ଅଧିକାରୀ ଯେଉଁଦିନ ଉକ୍ତ ପଦୋନ୍ନତି ପାଇବେ , ସେ ସେହିଦିନ ସେଥିପାଇଁ ଯୋଗ୍ୟହେବେ ବୋଲି କୁହାଗଲା। ଏ ସଂଶୋଧନ ବିରୋଧରେ  ୨୦୦୧ ମସିହାରେ ବିଧିଅଧିକାରୀ ମାନେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲଙ୍କ ଦ୍ଵାରସ୍ଥ ହେଲେ । ଟ୍ରିବୁନାଲ ୨୦୧୨ ମସିହାରେ ମାମଲାକୁ  ଫଇସଲା କରି, ୨୦୦୧ ମସିହାର ପଦୋନ୍ନତିକୁ ପୁନଃ ବିଚାର କରିବାକୁ କହିବା ସାଙ୍ଗକୁ ବିଧିଅଧିକାରୀଙ୍କ ପାଇଁ  ସଚିବାଳୟ ସେବାରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ ପଦବୀ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଲେ । 

ଗୃହ ବିଭାଗ ଟ୍ରିବୁନାଲଙ୍କ ରାୟକୁ ଗ୍ରହଣ କଲେ ନ।ହିଁ। ଏହା ବିରୋଧରେ ଉଚ୍ଚ ନ୍ୟାୟାଳୟରେ ୟାଚିକା ଦାଖଲ କଲେ । ଉଚ୍ଚ ନ୍ୟାୟାଳୟ ୨୦୧୮ ମସିହା ଅଗଷ୍ଟ ମାସରେ ମାମଲାକୁ ଫଇସଲା କରି, ଟ୍ରିବୁନାଲଙ୍କ ୨୦୧୨ ମସିହାର ରାୟକୁ କାଏମ ରଖିବା ସାଙ୍ଗକୁ ,୨୦୦୧ ମସିହାର ସଂଶୋଧନକୁ ଅବୈଧ ଘୋଷଣା କଲେ । ଉଭୟ ଗୃହ ବିଭାଗ ଓ ବିଧି ବିଭାଗ ଏ ରାୟକୁ କାର୍ଯ୍ୟକାରୀ କରିବାକୁ ନିଜର ମତ ରଖିଲେ । କିନ୍ତୁ ସଚିବାଳୟ ସେବାର ଅଧିକାରୀମାନେ ଏହାକୁ ଉଚ୍ଚତମ ନ୍ୟାୟାଳୟରେ ବିରୋଧ କରିବାକୁ ସରକାରଙ୍କ ଉପରେ ଚାପ ପକାଇଲେ । ୨୦୧୯ ମସିହାରେ ସରକାର ଓ ସଚିବାଳୟ ସେବାର କେତେକ ଅଧିକାରୀ ଉଚ୍ଚତମ ନ୍ୟାୟାଳୟରେ ଏସ. ଏଲ. ପି.  ଦାଖଲ କଲେ । ଦୀର୍ଘ କୋଡିଏ ମାସ ଧରି ମାମଲାର ଶୁଣାଣି ହେବାପରେ, ଚଳିତମାସ ଏକ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟ ଉଭୟ ଏସ. ଏଲ. ପି.କୁ ନାକଚ କରିଦେଲେ । ଉଚ୍ଚ ନ୍ୟାୟାଳୟ ପରି ୨୦୦୧ ମସିହାର ସଂଶୋଧନକୁ ଅବୈଧ ଘୋଷଣା କଲେ । ଏହା ସହିତ ରାୟରେ କହିଲେ ,’ ଯେଉଁ ବିଧି ଅଧିକାରୀମାନେ ପଦୋନ୍ନତି ପାଇବେ , ସେମାନଙ୍କୁ ୨୦୧୮ ମସିହା ଅଗଷ୍ଟ ମାସ ଠାରୁ ଉଭୟ ପଦ ଓ ଦରମାର ସୁବିଧା  ମିଳିବ ଏବଂ ଅନ୍ୟ ଯେଉଁମାନେ ଇତିମଧ୍ୟରେ ପଦୋନ୍ନତି ପଇସାରିଛନ୍ତି , ସେମାନଙ୍କ ପଦ ଓ ଦରମା ସୁରକ୍ଷିତ ରହିବ ।‘ 

                 ସଚିବାଳୟରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ତଳୁ ଉପରପର୍ଯ୍ୟନ୍ତ ମାମଲା ଏକତରଫା ଚାଲିଲା । ଟ୍ରିବୁନାଲ ଠାରୁ ଆରମ୍ଭ କରି ଉଚ୍ଚନ୍ୟାୟାଳୟ ପର୍ଯ୍ୟନ୍ତ ସଚିବାଳୟ ସେବାର କୌଣସି ଅଧିକାରୀ ମାମଲାରେ ନିଜରପକ୍ଷ ରଖିନଥିଲେ । ଏପରିକି ମାମଲା ପରିଚାଳନା ନାଁରେ ବାର୍ଷିକ ଚାଳିଶ –ପଚାଶ ହଜାର ଟଙ୍କାର ଖର୍ଚ୍ଚର ହିସାବ ଦେଖାଉଥିବା ନେତାଙ୍କୁ ଏ ମାମଲା ସମ୍ପର୍କରେ ଜଣାନଥିଲା । କୌଣସି ହିତାଧିକାରୀ ମଧ୍ୟ  ଏ ମାମଲା ସମ୍ପର୍କରେ ଯାଣିନଥିଲେ ।  ଅପରପକ୍ଷରେ ଗୃହ ବିଭାଗର ସମ୍ପୃକ୍ତଶାଖା ମାମଲାକୁ ଠିକରୂପେ ପରିଚାଳନା କରିପାରିଲାନ।ହିଁ। ବିଧି ଅଧିକାରୀମାନେ କୋର୍ଟରେ ଉଠାଇଥିବା ପ୍ରସଙ୍ଗର ଜବାବ ମଧ୍ୟ  ଠିକଭାବେ ରଖି ପାରିନଥିଲା । ବିଧି ଅଧିକାରୀଙ୍କ  ସ୍ଵତନ୍ତ୍ର କ୍ୟାଡର ଅଛି , ସେମାନେ ଏକ ବଡ ଓ  କଡା ପରୀକ୍ଷା ଦେଇଥା’ନ୍ତି , ସେମାନେ ଅନ୍ୟଠାରୁ ଭିନ୍ନ ଏବଂ ବଡ , ସେମାନଙ୍କର ପ୍ରଶାସନିକ ଅଭିଜ୍ଞତା ଅଧିକ, ଏପରି ଅବାନ୍ତର ଯୁକ୍ତିକୁ ଗୃହବିଭାଗ ନାକାମ କରିବାରେ ଅସଫଳ ରହିଲା । 

       ତଳକୋର୍ଟରୁ ଉପରକୋର୍ଟ ପର୍ଯ୍ୟନ୍ତ ସରକାରୀ ଓକିଲମାନେ ଠିକଭାବେ ସରକାରଙ୍କ ପକ୍ଷ ରଖିନଥିବାର ଅଭିଯୋଗ ମଧ୍ୟ କେହି କେହି ଆଣିଛନ୍ତି । ଏପରିକି ଆଜିର ଏହିରାୟ ଆସିବାପୂର୍ବରୁ , ଗୃହ ବିଭାଗର କେତେକ ଅଧିକାରୀ ବିଧିଅଧିକାରୀ ମାନଙ୍କୁ ଚାରିମାସତଳେ ଉଚ୍ଚନ୍ୟାୟାଳୟର ରାୟ ଆଧାରରେ ପଦୋନ୍ନତି ଦେବାକୁ ମସୁଧା ଚଳାଇଥିଲେ । ତେଣୁ ଅଭିଯୋଗ ହୁଏ ,ବିଭିନ୍ନ ସ୍ତରରେ ଆଇନ ଅଧିକାରୀମାନେ ବେଆଇନ ଭାବେ ମୋଟାଅଙ୍କର ଅର୍ଥ କାରବାର କରିବା ସାଙ୍ଗକୁ ପ୍ରିୟାପ୍ରୀତିର ସାହାରା ନେଇଛନ୍ତି । ସଚିବାଳୟ ସେବାବର୍ଗର କେତେକ ଅଧିକାରୀ ବର୍ଗର ବରିଷ୍ଟ ଅଧିକାରୀ ଓ ତଥାକଥିତ ସୁବିଧାବାଦୀ ନେତାଙ୍କୁ ଏଥିପାଇଁ ଦାୟୀକରିଛନ୍ତି । କିନ୍ତୁ ଉଚ୍ଚତମ ନ୍ୟାୟାଳୟରେ ଏସ. ଏଲ. ପି.  ଦାଖଲ ହୋଇନଥିଲେ , ଅବସ୍ଥା ଅଧିକ ଗମ୍ଭୀର ହୋଇଥାନ୍ତା । ଆଜିର ସଭାପତିଙ୍କୁ  ଉପବିଭାଗ ଅଧିକାରୀ ସ୍ତରରୁ ଅବସର ନେବାକୁ ପଡିଥା’ନ୍ତା ଓ ଅନ୍ୟ କେତେକ ପୂର୍ବତନ କର୍ମକର୍ତ୍ତାଙ୍କୁ ଦୟନୀୟ ଭାବେ କ୍ଷତିଗ୍ରସ୍ତ ହେବାକୁପଡିଥାନ୍ତା ବୋଲି କେତେକ କହିଛନ୍ତି । 

 

0
0
0
s2sdefault