ହେଡଲାଇନସ୍:

ପ୍ରଦୂଷିତ ଅଞ୍ଚଳ ପରିଦର୍ଶନ କଲେ ରାଜ୍ୟ ବିଜେପି ଟିମ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା:(ସୁଭାଷ ସହାରେ)- ଝାରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଗଢ଼ି ଉଠିଛି ଅନେକ ଶିଳ୍ପ କାରଖାନା। ଲୋକଙ୍କ ବିକାଶ ନାମରେ ଗଢ଼ି ଉଠିଥିବା ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକ କିନ୍ତୁ ଲାଭଜନକ ହୋଇଛନ୍ତି କେବଳ କେତେକ ନ୍ୟସ୍ତସ୍ବାର୍ଥ ନେତା,ମାଫିଆ ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କ ପାଇଁ। ମାତ୍ର ସାଧାରଣ ଜନତାଙ୍କୁ ମିଳୁଛି କେବଳ ବିଷାକ୍ତ ବାୟୁ ଓ ଜଳ। କାରଖାନା ଗୁଡ଼ିକର ପାଉଁଶ ଆଜି ମୃତ୍ତିକା ଓ ନଦୀକୁ ବିଷାକ୍ତ କରି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ଦଳର ପ୍ରତିନିଧିମାନେ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ରବି ନାୟକଙ୍କ ନେତୃତ୍ବରେ ଆଜି ଏକ ବିଜେପି ପ୍ରତିନିଧିଦଳ ଲୋକଙ୍କ ଅଭିଯୋଗ ପାଇ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନ ବଲି ଦେଖିଥିଲେ। ଚଳିତ ମାସ ୯ ଓ ୧୩ ତାରିଖ ଝାରସୁଗୁଡ଼ା ଜିଲ୍ଲାର ପଞ୍ଚପଡ଼ା, କଟିକେଲା,ସିରିଆପାଲି ଓ ସମ୍ବଲପୁର ଜିଲ୍ଲାର ଶ୍ରୀପୁରା, ଡେର୍ବା,ଗୁମକୁର୍ମା,ଲାରିଆପାଲି, ଗୁଲାମାଲ ଆଦି ସ୍ଥାନ ବୁଲି ଦେଖିଥିଲେ ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ।

ପରେପରେ ବରଗଡ଼ ସାଂସଦସୁରେଶ ପୁଜାରୀ ଓସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ମଧ୍ୟ ଏହି ପ୍ରତିନିଧି ଦଳରେ ଯୋଗ ଦେଇଥିଲେ। 

ଜିଲ୍ଲାରେ ପ୍ରଦୂଷଣ ନିମନ୍ତେ ଏହି ପ୍ରତିନିଧି ଦଳ ବେଦାନ୍ତ, ଭୂଷଣ  ଷ୍ଟିଲ, ସମଲେଶ୍ଵରୀ ସ୍ପଞ୍ଜ ଆଇରନ୍ କାରଖାନା ତଥା ବିରାଜ ଷ୍ଟିଲକୁ ଦାୟୀ କରି କହିଛନ୍ତି ଯେ ଅବିଚାରିତ ଭାବରେ ଓ ସରକାରୀ ନିୟମ କାନୁନକୁ ଉଲ୍ଲଙ୍ଘନ କରି ଏହି କମ୍ପାନୀମାନେ ପାଉଁଶର ପାହାଡ଼ ସୃଷ୍ଟି କରି ଚାଲିଛନ୍ତି ଯାହାଦ୍ୱାରା ଏହି ଦୁଇ ଜିଲ୍ଲାର ଚାଷଜମି, ନଦୀ, ନାଳ ଓ ହୀରାକୁଦ ଜଳଭଣ୍ଡାର ପ୍ରଦୂଷିତ ହେବାରେ ଲାଗିଛି। ଡମ୍ପିଂ ୟାର୍ଡକୁ ବିଷାକ୍ତ ପାଉଁଶକୁ ଟ୍ୟାଙ୍କର ଯୋଗେ ନିଆଯିବା ନିୟମ ଥିବା ସତ୍ତ୍ବେ ଖୋଲା ଟ୍ରକରେ ନିଆଯାଉଛି। ପାଉଁଶ ନିଆଯିବା ରାସ୍ତାରେ ପାଣି ପକାଇ ଓଦା କରିବା ପାଇଁ ଓ ଗଛ ଲଗାଇବା ନିୟମ ଥିବା ସତ୍ତ୍ବେ ଏ ସବୁ ନିୟମ ଆଦୌ ପାଳନ କରାଯାଉନାହିଁ ବୋଲି  ପ୍ରତିନିଧି ଦଳ ଅଭିଯୋଗ କରିଛି। ବିଧାୟକ ଶ୍ରୀ ନାଉରୀ ନାଏକ ଗତ 12 ତାରିଖ ଘଟଣାର ଉଦାହରଣ ଦେଇ କହିଛନ୍ତି ଯେ ବେଦାନ୍ତର ପାଉଁଶ ପାହାଡ଼ ଭାଙ୍ଗି ଯାଇ କିପରି ନଦୀପାଣିରେ ମିଶିଯାଇ ପାନୀୟ ଜଳକୁ ଦୂଷିତ କରି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। 

ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ବିଧାୟିକା କୁସୁମ ଟେଟେ କମ୍ପାନୀ ମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉ ନ ଥିବା ଅଭିଯୋଗ ଆଣିଥିଲେ। 

ସେହିପରି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ କମ୍ପାନୀ ମାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ବିଷାକ୍ତ ପାଉଁଶକୁ ପରିବହନ କରିବା ପାଇଁ ଠିକା ନେଇଥିବା କମ୍ପାନୀ ମାନେ ଯଥା   ଗ୍ଲୋବାଲ ଲଜିଷ୍ଟିକ୍, ୟୁନାଇଟେଡ଼ ଲଜିଷ୍ଟିକ୍ ଓ ଦାସ ଟ୍ରାନ୍ସପୋର୍ଟ ସମସ୍ତ ନିୟମକାନୁନକୁ ଖୋଲାଖୋଲି ଉଲଂଘନ କରୁଛନ୍ତି। ଏମାନେ ଏସବୁ କରୁଛନ୍ତି ଶାସକ ଦଳର ଜଣେ ପ୍ରଭାବଶାଳୀ ମନ୍ତ୍ରୀ, କିଛି ମାଫିଆ ଓ  ପ୍ରଭାବଶାଳୀ ନେତାମାନଙ୍କ ପ୍ରୋତ୍ସାହନ ଯୋଗୁଁ। ଏହାର ବିରୋଧ କଲେ ଜୀବନରୁ ମାରି ଦେବାର ଭୟ ଦେଖାଉଛନ୍ତି ବୋଲି ସେ କହିଛନ୍ତି। 

ଏହିସବୁ ସମସ୍ୟାର ସମାଧାନ କରିବା ପାଇଁ ଏହି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

0
0
0
s2sdefault