ହେଡଲାଇନସ୍:

ଟ୍ରାଫିକ ନିୟନ୍ତ୍ରଣ ନାଁରେ ପୋଲିସର ମାଡ଼ ଘଟଣା: ଜିଲାପାଳଙ୍କୁ ଫେରାଦ ହେଲା ବ୍ୟବସାୟୀ ମଣ୍ଡଳ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବରଗଡ଼/ ନୀଳ ଦୀପ -ବରଗଡ଼ ସହରରେ ଶନିବାର ଟ୍ରାଫିକ ନିୟନ୍ତ୍ରଣ ନାଁରେ ସ୍ଥାନୀୟ ଯୁବକ ଅମିତ ସାହୁ(୨୦)ଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ଏଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସ୍ଥାନୀୟ ଜଗନ୍ନାଥ ବ୍ୟବସାୟୀ ମଣ୍ଡଳ ଜିଲାପାଳଙ୍କୁ ଫେରାଦ ହୋଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ବ୍ୟବସାୟୀ ମଣ୍ଡଳର କର୍ମକର୍ତ୍ତାମାନେ ଅତିରିକ୍ତ ଜିଲାପାଳ ତପିରାମ ମାଝିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ପୋଲିସ ମାଡ଼ରେ ଆହତ ଯୁବକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ମାଡ଼ ମାରିଥିବା ଟାଉନ ଥାନାର ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସେମାନଙ୍କୁ ଏଠାରୁ ତୁରନ୍ତ ଅପସାରଣ କରାଯିବା, ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେହି ସମସ୍ୟା ନିୟନ୍ତ୍ରଣ ନାଁରେ ପୋଲିସର ବର୍ବରୋଚିତ ଆଚରଣ ବନ୍ଦ କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି।

ପ୍ରକାଶ ଯେ, ଗତ ୧୨ତାରିଖ ରାତ୍ରି ପ୍ରାୟ ସାଢ଼େ ୭ଟାରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ ବରଗଡ଼ ଟାଉନ ଥାନାରେ କାର୍ଯ୍ୟରତ କେତେକ ପୋଲିସ କର୍ମଚାରୀ ଅମିତଙ୍କୁ ସ୍ଥାନୀୟ ଥାନାଛକ ନିକଟ ଏକ ଦୋକାନ ସମ୍ମୁଖ ବିଚ୍‌ ରାସ୍ତାରେ ପିଟିପିଟି ଥାନାକୁ ନେଇଥିଲେ। ଥାନା ହାଜତରେ ମଧ୍ୟ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା ଏବଂ ଏଥିରେ ତାଙ୍କ ପିଠି ସମେତ ଶରୀରର ଅନ୍ୟସ୍ଥାନରେ ଆଘାତ ଲାଗିଥିଲା। ଘଟଣାଟି ପ୍ରଘଟ ହେବା ପରେ ଥାନା ସମ୍ମୁଖରେ ଉତ୍ତେଜନା ଦେଖାଯାଇଥିଲା। ଏହା ପରେ ଥାନାରେ ଆହତ ଅବସ୍ଥାରେ ପଡ଼ି ରହିଥିବା ଅମିତଙ୍କୁ ପୋଲିସ ସ୍ଥାନୀୟ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ରବିବାର ସନ୍ଧ୍ୟାରେ ଡାକ୍ତରଖାନାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ୩ଟି ମାମଲା ରୁଜୁ କରିଛି। ପୋଲିସ ମାଡ଼ରେ ଆହତ ଅମିତଙ୍କ ବିରୋଧରେ ଏକ ମାମଲା(ନଂ.୨୦୬।୧୮) ରୁଜୁ ହୋଇଥିବାବେଳେ ଏହାକୁ ଦେଖାଯାଇଥିବା ଉତ୍ତେଜନା ଘଟଣାକୁ ନେଇ ଅନ୍ୟ ଏକ ମାମଲା(ନଂ.୨୦୭।୧୮) ଏବଂ ଅମିତଙ୍କ ଏତଲାକୁ ନେଇ ଏକ ମାମଲା(ନଂ.୨୦୭।୧୮) ରୁଜୁ ହୋଇଛି ।

ତେବେ କେବଳ ରାସ୍ତା ଉପରେ ନୁହେଁ, ଥାନା ହାଜତରେ ମଧ୍ୟ ପୋଲିସ ଅମିତଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇ ଥିବାବେଳେ ଏବେ ସେହି ଘଟଣାକୁ ନେଇ ପ୍ରତିବାଦ ଜୋର୍‌ ଧରି ବସିଥିବାବେଳେ ନିଜ ଆତ୍ମରକ୍ଷା ପାଇଁ ପୋଲିସ ଅମିତଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଛି ବୋଲି ଜଗନ୍ନାଥ ବ୍ୟବସାୟୀ ମଣ୍ଡଳ ପକ୍ଷରୁ ଅଭିଯୋଗ ହୋଇଛି । ଫଳରେ ତୁରନ୍ତ ସେହି ମାମଲା ପ୍ରତ୍ୟାହାର କରିବା ସହିତ ଅମିତଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ବ୍ୟବସାୟୀ ମଣ୍ଡଳ ଦାବି କରିଛି। ଜଗନ୍ନାଥ ବ୍ୟବସାୟୀ ମଣ୍ଡଳର ସମ୍ପାଦକ ଦିପକ ରଥ, ଭରତ ସାହୁ, ମୁକେଶ ମେହେର, ସନ୍ତୋଷ ମଣ୍ଡଳ, ରମେଶ ମେହେର ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ । ସ୍ମାରକପତ୍ର ପ୍ରଦାନବେଳେ ବରଗଡ଼ ଜିଲା ଓକିଲ ସଂଘର ସଭାପତି ଅଶୋକ ଯୋଶୀ ଏବଂ ସମ୍ପାଦକ ଲିପସିତ୍‌ ମିଶ୍ର ମଧ୍ୟ ଉପସ୍ଥିତ ରହି ଘଟଣାକୁ ନେଇ ଅତିରିକ୍ତ ଜିଲାପାଳ ମାଝିଙ୍କ ସହିତ ଆଲୋଚନା କରିଥିଲେ ।

 

0
0
0
s2sdefault