ବନ୍ୟାଘେରରେ ଛତିଶଗଡ଼ର ସୀମାନ୍ତଵର୍ତ୍ତୀ ଝାରସୁଗୁଡ଼ା ଜିଲ୍ଲାର ଗ୍ରାମ : ପ୍ରଶାସନର ତତ୍ପରତା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): ହୀରାକୁଦ ଜଳଭଣ୍ଡାରର ପଛୁଆ ଜଳ ଯୋଗୁଁ ଆଜି ମଧ୍ୟ ଛତିଶଗଡ଼ ଓ ଝାରସୁଗୁଡ଼ାର ଅନେକ ଗ୍ରାମ ବନ୍ୟାଜଳରେ ଘେରି ଯାଇଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ଦୁଃଖ ସରିବା ନାମ ନେଉନାହିଁ। ତେବେ ପ୍ରଶାସନର ତତ୍ପରତା ପାଇଁ କିଛିଟା ଦୁଃଖ ଉପଶମ ହୋଇପାରିଛି। 

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାର ଅନେକ ଗ୍ରାମରେ ପାଣି ପଶିଯାଇ ଲୋକଙ୍କ ନିମନ୍ତେ ବିପଦ ସୃଷ୍ଟି କରିଛି। ମୂଖ୍ୟତଃ ମହୁଲପାଲି, ଚିଖଲି, ସୁଖାସୋଡ଼ା, ମୁହୁଦି,ସେମଲିଆ,ଶରଧା ପ୍ରଭୃତି ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା କଥା କହିଲେ ନ ସରେ। ଗ୍ରାମଗୁଡ଼ିକରେ ଥିବା ଶହ ଶହ ପରିବାର ଜଳଘେରରେ ରହି ଡଙ୍ଗା ସାହାଯ୍ୟରେ ଯିବା ଆସିବା କରିବାପାଇଁ ବାଧ୍ୟ ହେଉଛନ୍ତି। ଧାନ, ଅଦା, ଲଙ୍କା, ପନିପରିବା ଭଳି ବିଭିନ୍ନ ପ୍ରକାରର ଫସଲ ଉପରେ ପାଣି ଜମି ରହି ଶହ ଶହ ଏକର ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ସଙ୍କଟରେ ପଡ଼ିଯାଇଛନ୍ତି। ଅନେକ କଚ୍ଚା ଘର ଭାଙ୍ଗିଯାଇ ଲୋକଙ୍କୁ ନିରାଶ୍ରୟ କରିଦେଇଛି ବନ୍ୟା। ଏହି ପରିସ୍ଥିତିରେ ଅନେକ ପରିବାରଙ୍କ ପାଖରେ ନା ଅଛି ଖାଦ୍ୟ ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟସ୍ଥଳୀ।ତେବେ ପ୍ରଶାସନର ତତ୍ପରତା ଯୋଗୁଁ ୧୩୪୯ ଜଣଙ୍କୁ ସ୍ଥାନାନ୍ତରିତ କରିବା ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇ ପାରିଥିଲା। ଝାରସୁଗୁଡ଼ା ଜିଲ୍ଲାପାଳ ଦାୟୀତ୍ବରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତପିରାମ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉଦ୍ଧାର କାର୍ଯ୍ୟ ଓ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥା ଚାଲିଛି। 

ଛତିଶଗଡ଼ ସୀମାକୁ ଲାଗି ରହିଥିବା ଲଖନପୁର ବ୍ଲକର ଅଧିକାଂଶ ଗ୍ରାମ ହୀରାକୁଦ ଜଳଭଣ୍ଡାରର କୂଳରେ ଅବସ୍ଥିତ। ମୂଖ୍ୟତଃ ଚାଷ କରି ଓ ମାଛ ଧରି ନିଜର ଜୀବିକା ନିର୍ବାହ କରୁଥିବା ଏହି ଗ୍ରାମଗୁଡ଼ିକର ଅଧିବାସୀଙ୍କ ପାଇଁ ଏ ବର୍ଷର ଲଘୁଚାପ ଜନିତ ବର୍ଷା ସଙ୍କଟ ସୃଷ୍ଟି କରିଛି। ଫଳରେ ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଓ ବାସଗୃହ ହରାଇଥିବା ପରିବାରମାନଙ୍କୁ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଦାଵି ହେଉଛି। 

ତେବେ ହୀରାକୁଦ ଜଳଭଣ୍ଡାରର ପାଣି ଗ୍ରାମମାନଙ୍କୁ ପଶିବା ଏବର୍ଷ ନୂଆ ନୁହେଁ। ଏହା ପୂର୍ବରୁ ୨୦୧୧ ଓ ୨୦୧୪ ରେ ମଧ୍ୟ ଏହାର ପଛୁଆ ପାଣି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଳକ ସହିତ ଛତିଶଗଡ଼ର ଅନେକ ଗ୍ରାମକୁ ପଶି ଅନେକ କ୍ଷୟକ୍ଷତି ଘଟାଇଥିଲା।

0
0
0
s2sdefault